ଭୁବନେଶ୍ୱରରେ ମୁମ୍ବାଇ ଯୁବତୀଙ୍କ ଅସଦାଚରଣ ଅଭିଯୋଗ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | July 13, 2025 IST

ଭୁବନେଶ୍ୱର ୧୩।୦୭ : ମୁମ୍ବାଇ ଯୁବତୀଙ୍କ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ରଘୁନାଥପୁରସ୍ଥିତ କ୍ଲବ ଲିଓର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି  ମୁମ୍ବାଇ କର୍ପୋରେଟ ଆକ୍ସାଞ୍ଚରର ମାନବସମ୍ବଳ ଅଧିକାରୀ  ଅସଦାଚରଣର ଶିକାର ହୋଇଛନ୍ତି । କୌଶଳ କ୍ରମେ ଏହି ମହିଳା ଅଧିକାରୀ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।  

ଖବର ଅନୁଯାୟୀ, ଯୁବତୀ ଜଣଙ୍କ ଗତ ୧୧  ତାରିଖରେ କ୍ଲବ୍‌ ଲିଓ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ତାଙ୍କ ରାତ୍ରରହଣି ପାଇଁ କ୍ଲବ ସାମ୍ନା ପର୍ଲ ଲିଫ ହୋଟେଲରେ ଏକ ରୁମ ବୁକ କରାଯାଇଥିଲା । ସେହି ରୁମ ସାମ୍ନାରେ ଆଉ  ଏକ ରୁମ କ୍ଲବ ଲିଓ ମ୍ୟାନେଜରଙ୍କ ନାମରେ ବୁକ୍‌ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଯୁବତୀ ଜଣକ ହୋଟେଲ ରୁମରେ ରହିବା ପାଇଁ ଆସିଥିଲେ । କ୍ଲବ ମାଲିକ ମଧ୍ୟ ନିଜ ରୁମରେ ରହିଥିଲେ । ତାଙ୍କ ସହିତ ଥିଲେ କିଛି ସାଥୀ ।  ପାଖ ରୁମରେ  ଥିବା ଯୁବତୀଙ୍କ ରୁମକୁ ଯାଇ କ୍ଲବ ମାଲିକ  ରାତ୍ରୀ ଭୋଜନ ପାଇଁ ଡାକୁଥିବା କହିଥିଲେ। ସେ  ମାଲିକଙ୍କ ରୁମ୍‌କୁ ଆସି ସମସ୍ତେ ମଦ୍ୟପାନ  କରିବା ସହ ସିଗାରେଟ୍‌ ଟାଣୁଥିବା ଦେଖିଥିଲେ । ଯାହାକୁ ଦେଖି ଯୁବତୀ ଜଣଙ୍କ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା  କଲା ବେଳେ ସାଥୀମାନେ ତାଙ୍କୁ  ଅଟକାଇଥିଲେ। ପରେ କ୍ଲବ ମାଲିକ ତାଙ୍କୁ ଅସଦାଚରଣ କରିଥିଲେ । ତେବେ ଯୁବତୀ ଜଣଙ୍କ କୌଶଳ କ୍ରମେ ସେଠାରୁ ନିଜ ରୁମକୁ ଆସି ଭିତରପଟୁ କବାଟ ବନ୍ଦ କରିଦେଇଥିଲେ। ସେ ହୋଟେଲ ରୁମ୍‌  ଭିତରୁ ନନ୍ଦନକାନନ ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ହୋଟେଲରେ ପହଞ୍ଚି  ଯୁବତୀଙ୍କୁ ଉଦ୍ଧାର କରିଥିଲା। ପୁଲିସ ଅନୁସନ୍ଧାନ କରି ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ନନ୍ଦନକାନନ ଥାନାରେ ଯୁବତୀ ଦେଇଥିବା ଏତଲାରେ ତାଙ୍କ ପ୍ରତି ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.