ଭୁବନେଶ୍ବର: ବୁଧବାର କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଜଣେ ଧୃର୍ତ୍ତକୁ ଗିରଫ କରିଥିଲା । ତା’ ନାଁ ରମେଶ ଚନ୍ଦ୍ର ମାଝୀ। ଅଭିଯୋଗ ରହିଛି ରମେଶ ନିଜକୁ ଆର୍ବିଆଇ ଦ୍ୱାରା ପଞ୍ଜିକୃତ ଗୋଲ୍ଡ ଟ୍ରେଡିଂ ସଂସ୍ଥାର ମାଲିକ କହିବା ସହ ତା’ ସଂସ୍ଥାରେ ଟଙ୍କା ନିବେଶ କଲେ, ଅଳ୍ପ ଦିନରେ ୨ ଗୁଣା ଲାଭ ମିଳିବ। ଆଉ ଏଭଳି କରି ସେ ପ୍ରାୟ ୨୦ କୋଟି ଟଙ୍କା ଠକିଥିଲା।
ତେବେ ଏହି ଘଟଣା ଏବେ ରାଜନୀତି ଜୋର୍ ଧରିଛି। ଶୁକ୍ରବାର କଂଗ୍ରେସ ଏହି ଘଟଣାରେ ବିଜେପି ଟାର୍ଗେଟ କରିଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ସୋନାଲି ସାହୁ କହିଛନ୍ତି, ‘‘କିଛି ଦିନ ତଳେ ଏନସିବି, ରମେଶ ଚନ୍ଦ୍ର ମାଝୀଙ୍କୁ ୨୦ କୋଟି ଟଙ୍କାର ସୁନା ଠକେଇ କରିଥିବା ଅଭିଯୋଗ ରେ ଗିରଫ କରିଥିଲା। କିନ୍ତୁ କଥା ହେଲା ଏ ଠକେଇ କରିଥିବା ବ୍ୟକ୍ତିଙ୍କ ସହ ବିଜେପିର ସିଧାସଳଖ ସମ୍ପୃକ୍ତି ରହିଛି।’’
ସେ କହିଛନ୍ତି ‘‘ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସହ ଫଟୋ ମଧ୍ୟ ଠକ ସହ ଅଛି। ଯାହାକୁ ନେଇ ଏବେ ଚର୍ଚ୍ଚା।’’ ଏମିତିରେ କଂଗ୍ରେସ ନେତ୍ରୀ ଅଭିଯୋଗ କରିବା ସହ ଏ ଠକକୁ କିଏ ସୁଯୋଗ ଦେଉଥିଲା ଏବଂ ଲୋକଙ୍କର ୨୦ କୋଟି ଟଙ୍କା ଠକେଇ କରିବାର ପ୍ରୋତ୍ସାହନ କିଏ ଦେଲା ? ବୋଲି ପ୍ରଶ୍ନ କରିଛନ୍ତି ସୋନାଲି। ଏହା ସହ ଏଥିରେ ବିଜେପି ନେତାଙ୍କ ସମ୍ପୃକ୍ତି ଅଛି କି ’ ନାହିଁ ? ଏନେଇ ବିଜେପି ନେତା ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ।