ଯାଜପୁର: ଦିଲ୍ଲୀରୁ ଯାଜପୁରକୁ ନିଜ ସାଙ୍ଗ ବାପାଙ୍କ ଶ୍ରାଦ୍ଧ ପାଇଁ ଆସିଥିବା ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଦଶରଥପୁର ପୋଲିସ ୨ ଜଣକୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ଅନିଲ ଜେନା ଏବଂ ନୀତେଶ ଜେନା।
ସୂଚନା ଥାଉକି, ସାଗରପୁର ଗ୍ରାମର ଜଣେ ଯୁବତୀ ବାପାଙ୍କ ଶ୍ରାଦ୍ଧ ପାଇଁ ଦିଲ୍ଲୀରୁ ଆସିଥିଲେ। ତାଙ୍କ ସହ ତାଙ୍କର ଜଣେ ବାନ୍ଧବୀ ମଧ୍ୟ ଆସିଥିଲେ। ଉଭୟ ଦିଲ୍ଲୀରେ ପାଠ ପଢ଼ୁଛନ୍ତି। ତେବେ ରବିବାର ସନ୍ଧ୍ୟାରେ ଉଭୟ ଯାଜପୁର ବିରଜା ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଭଦ୍ରକ ପଡ଼ିଆ ସିମେଣ୍ଟ ଗୋଡାଉନ ନିକଟରେ ଦୁଇ ଯୁବତୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ କରିଥିଲେ ଯୁବତୀ। ଅଭିଯୋଗ ଅନୁସାରେ, ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଯୁବକ ସେମାନଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ। ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରିଥିଲେ।
ଅଭିଯୋଗ ଆଧାରରେ ଦଶରଥପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଅନିଲ ଜେନାକୁ କାବୁ କରିବାରେ ସଫଳ ହୋଇଥିଲା। ହେଲେ ଗିରଫ ଭୟରେ ସେ ବିଷାକ୍ତ ଫଳ ଖାଇଦେଇଥିଲା। ଏମିତିରେ ପୋଲିସ ଅନିଲକୁ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା। ଆଉ ଏବେ ଘଟଣା ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ। ସେପଟେ ଅନିଲ ଓ ତାଙ୍କ ପରିବାର ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଫସାଇ ଦିଆଯାଇଥିବା କହିଛନ୍ତି।