ଶିମଲା : ହିମାଚଳ ପ୍ରଦେଶରେ ଏଥର ମୌସୁମୀ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ଓ ଭୂସ୍ଖଳନରେ ରାଜ୍ୟର ଅନେକ ଅଞ୍ଚଳରେ ଖୁବ୍ କ୍ଷୟକ୍ଷତି ହୋଇଛି। ଗତ ୭୨ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ଟି ବାଦଲ ଫଟା ବର୍ଷା ଓ ୩ଟି ବନ୍ୟା ଘଟଣା ରେକର୍ଡ କରାଯାଇଛି। କେବଳ ମଣ୍ଡି ଜିଲ୍ଲାରେ ସୋମବାର ରାତିରେ ୧୩ଟି ସ୍ଥାନରେ ବାଦଲ ଫଟା ବର୍ଷାରେ ସର୍ବାଧିକ ଧନଜୀବନ ନଷ୍ଟ ହୋଇଛି।
ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ଅନୁଯାୟୀ , ଜୁନ ୨୦ ତାରିଖରୁ ରାଜ୍ୟବ୍ୟାପୀ ବର୍ଷାଜନିତ ଘଟଣାରେ ୬୯ ଜଣ ପ୍ରାଣ ହରାଇଛନ୍ତି , ଯେତେବେଳେ ୩୭ ଜଣ ଏବେ ବି ନିଖୋଜ ଅଛନ୍ତି। ଏବି ସମୟରେ ୧୧ ଜଣ ଆହତ ହୋଇଛନ୍ତି ଏବଂ ମୋଟ କ୍ଷତି ୪୯୫ କୋଟି ଟଙ୍କାରୁ ଅଧିକ କୁହାଯାଉଛି। ବାଦଲ ଫାଟିବାରୁ ୧୪ , ଆକସ୍ମିକ ବନ୍ୟାରେ ୮ ଓ ସ୍ରୋତରେ ଫସି ୭ ଜଣ ଲୋକଙ୍କ ଜୀବନ ଯାଇଛି।
ମଣ୍ଡି ଜିଲ୍ଲା ଏହିଥର ବିପର୍ଯ୍ୟର କେନ୍ଦ୍ର ପାଲଟି ଯାଇଛି। ୩୦ ଜୁନ ରାତିରେ ବାଦଲ ଫାଟିବା ପରେ ଆରମ୍ଭ ହୋଇଥିବା ପ୍ରଳୟ ଥମିବାର ନାଁ ନେଉ ନାହିଁ। ଏବେସୁଦ୍ଧା ମଣ୍ଡିରେ ୧୪ଜଣ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ୩୧ ଜଣ ଲୋକ ନିଖୋଜ ଅଛନ୍ତି। ଜିଲ୍ଲାରେ ଗୋହର , ଥୁନାଗ, କରସୋଗ ଓ ଜଞ୍ଜେହଲି ଆଦି ଅଞ୍ଚଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ର ଟିମ୍ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏବେସୁଦ୍ଧା ମଣ୍ଡିରେ ୩୪୮ ଜଣ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇ ସାରିଛି.। ଏଠାରେ ୧୫୪ ଟି କୋଠା ପୂରା ଧ୍ୱଂସ ହୋଇ ଯାଇଛି, ୩୧ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି, ୧୦୬ ଗାଈ ଗୁହାଳ ଓ ଦୁଇଟି ଦୋକାନ ଭୁଶୁଡ଼ି ପଡ଼ିଛି। ୧୪ଟି ପୋଲ ଭାସି ଯାଇଛି। ଏହି କ୍ଷୟକ୍ଷତିରେ ୧୬୫ଟି ଗୋରୁଙ୍କ ମୃତ୍ୟୁ ମଧ୍ୟ ରେକର୍ଡ କରାଯାଇଛି।
ପ୍ରବଳ ବର୍ଷା ଓ ଭୂସ୍ଖଳନରେ ରାଜ୍ୟର ଭିତ୍ତିଭୂମି ଗୁରୁତର ଭାବେ ଭୁଶୁଡ଼ି ପଡ଼ିଛି। ରାଜ୍ୟରେ ୨୪୬ଟି ସଡ଼କ ଯାତାୟାତ ପାଇଁ ବନ୍ଦ ରହିଛି, ଯେଉଁଥିରେ ଏକା ମଣ୍ଡିରେ ୧୪୫ଟି ସଡ଼କ ସାମିଲ ଅଛି। କୁଲ୍ଲୁରେ ୩୬, ସିରମୌରରେ ୨୫ ଓ ସିମିଆରେ ୨୨ଟି ସଡ଼କ ବନ୍ଦ ଅଛି। ଏହିପରି ରାଜ୍ୟରେ ୪୦୪ ଟ୍ରାନ୍ସଫର୍ମର ଠପ୍ ହୋଇ ଯାଇଛି, ଯେଉଁଥିରେ ମଣ୍ଡିରେ ସର୍ବାଧିକ ୩୫୩ ଟ୍ରାନ୍ସଫର୍ମର ବନ୍ଦ ଅଛି। ବିଜୁଳି ଯୋଗାଣ ସଂପୂର୍ଣ୍ଣ ବ୍ୟାଘାତ ଘଟିଛି। ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି।