ଭାରତରେ ୧୯୯୦ ତୁଳନାରେ ୨୦୨୪ରେ ଗରିବ ଲୋକଙ୍କ ସଂଖ୍ୟା ଅଧିକ: ବିଶ୍ୱ ବ୍ୟାଙ୍କ

Published By : Prameya-News7 Bureau | October 17, 2024 IST

internet

ନୂଆଦିଲ୍ଲୀଭାରତରେ ଏବେ ବି ୧୨୯ ମିଲିଅନ(୧୨.୪) ଲୋକ ଅତି ଦାରିଦ୍ର୍ୟ ସୀମା ରେଖା ତଳେ ରହୁଛନ୍ତି। ସେମାନଙ୍କ ଦୈନିକ ରୋଜଗାର ୧୮୧ ଟଙ୍କା(୨.୧୫ ଡଲାର)ରୁ ବି କମ୍। ତେବେ ୧୯୯୦ ମସିହାରେ ଦେଶରେ ୪୩୧(୪୩.୧ କୋଟି) ମିଲିଅନ ଲୋକେ ଅତି ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିଲେ। ଯେଉଁମାନଙ୍କର ଦୈନିକ ରୋଜଗାର ୧୮୧ ଟଙ୍କାରୁ ବି କମ ଥିଲା। ମଙ୍ଗଳବାର ବିଶ୍ୱ ବ୍ଯାଙ୍କ ଏକ ରିପୋର୍ଟ ଜାରି କରି ଏହି ସୂଚନା ଦେଇଛି। 

ତେବେ ମଧ୍ୟମ ଆୟର ଦେଶ ପାଇଁ ନିର୍ଦ୍ଧାରିତ ଦୈନିକ ରୋଜଗାର ସୀମା ୬.୮୫ ଡଲାର (୫୭୬ ଟଙ୍କା) ଆଧାରରେ ଦେଖିଲେ ୧୯୯୦ ଅପେକ୍ଷା ୨୦୨୪ରେ ଅଧିକ ଲୋକ ଗରିବ ସୀମାରେଖା ତଳେ ରହୁଛନ୍ତି। ଭାରତରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଏହି ଦାରିଦ୍ରତାର ଏକ କାରଣ ବୋଲି ବିଶ୍ୱ ବ୍ୟାଙ୍କ କହିଛି। 

‘ପଭର୍ଟି, ପ୍ରସ୍ପରିଟି ଆଣ୍ଡ ପ୍ଲାନେଟ: ପଥୱେସ୍ ଆଉଟ ଅଫ୍ ଦି ପଲିକ୍ରାଇସିସ’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ କେବଳ ଭାରତରେ, ଏହି ସମୟ ମଧ୍ୟରେ ଅତ୍ୟଧିକ ଗରିବ ଲୋକଙ୍କ ସଂଖ୍ୟା ୪୩୧ ନିୟୁତରୁ ୧୨୯ ମିଲିୟନକୁ ଖସି ଆସିଛି। ସମଗ୍ର ଦକ୍ଷିଣ ଏସିଆ ଏବଂ ଉପସାହାରା ଆଫ୍ରିକା ଏବଂ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି ବୋଲି ବିଶ୍ୱ ବ୍ୟାଙ୍କ କହିଛି। 

ତେବେ ୨୦୨୨-୨୩ରେ ଜାରି ଘରୋଇ ଖର୍ଚ୍ଚ ଏବଂ ବ୍ୟୟ ସର୍ଭେକ୍ଷଣ(HCES)ର ନୂଆ ରିପୋର୍ଟରେ ଏହି ଗବେଷଣା ଡାଟାକୁ ସାମିଲ୍ କରାଯାଇ ନାହିଁ। କାରଣ କିଛି ଜରୁରୀ ବିଶ୍ଳେଷଣ କାର୍ଯ୍ଯ ସମୟ ଅନୁସାରେ ସରିନଥିଲା। ତେଣୁ ଏହାକୁ ସାମିଲ୍ କରାଯାଇ ପାରି ନାହିଁ ବୋଲି ବିଶ୍ୱ ବ୍ୟାଙ୍କ କହିଛି।। ଏହି ଦୁଇଟି ନୂଆ ଆକଳନକୁ ମିଶାଇବା ଦ୍ୱାରା ବିଶ୍ୱ ଦାରିଦ୍ର୍ୟ ଆକଳନ ରିପୋର୍ଟରେ କେତେ ପାର୍ଥକ୍ୟ ଆସିବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ରିପୋର୍ଟରେ କିଛି ଠୋସ୍ ସିଦ୍ଧାନ୍ତ ଦିଆଯାଇଛି।

ଆଫ୍ରିକାର ସାହାରା ଅଞ୍ଚଳ ତଥା ଅନ୍ୟାନ୍ୟ ପଛୁଆ ଦେଶମାନଙ୍କରେ ଅତ୍ୟଧିକ ଦାରିଦ୍ର୍ୟତା ରହିଛି। ଏହାକୁ ଦୃଷ୍ଟିରେ ରଖି ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂର କରିବାର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ କରିବାରେ ଆହୁରି ବହୁତ ସମୟ ଲାଗିପାରେ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ତେବେ ଚଳିତ ଦଶନ୍ଧୀର ଶେଷ ବେଳକୁ ଭାରତରେ ଅତି ଦାରିଦ୍ର୍ୟ ୩ ପ୍ରତିଶତ ଖସିପାରେ। ଫଳରେ ଆସନ୍ତା ଦଶନ୍ଧୀରେ ବିଶ୍ୱ ଅତି ଦାରିଦ୍ର୍ୟ ସ୍ଥିତିରେ ଭାରତର ଅବଦାନ ଯଥେଷ୍ଠ କମିଯିବ ବୋଲି ରିପୋର୍ଟରେ କୁହାଯାଇଛି। 

ଭାରତକୁ ନେଇ ହୋଇଥିବା ଏହି ଆକଳନ ଆସନ୍ତା ଦଶନ୍ଧି ମଧ୍ୟରେ ମୁଣ୍ଡପିଛା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧିର ଆକଳନ ଏବଂ ଐତିହାସିକ ଅଭିବୃଦ୍ଧି ହାର ଉପରେ ଆଧାରିତ। ୨୦୩୦ ମସିହାରେ ଭାରତର ଚରମ ଦାରିଦ୍ର୍ୟ ହାରକୁ ଶୂନରେ ରଖିଲେ ବି ୨୦୩୦ ସୁଦ୍ଧା ବିଶ୍ୱ ଚରମ ଦାରିଦ୍ର୍ୟ ହାର ୭.୩୧ ରୁ ୬.୭୨ ପ୍ରତିଶତକୁ ଖସି ଆସିବ। ଯାହା ନିର୍ଦ୍ଧାରିତ ୩ ପ୍ରତିଶତ ଲକ୍ଷ୍ୟଠାରୁ ବହୁତ ଅଧିକ ହେଉଛି ବୋଲି ବିଶ୍ୱ ବ୍ୟାଙ୍କ କହିଛି। 

ବିଶ୍ୱରେ ଚରମ ଦାରିଦ୍ର୍ୟତା କମିବାର ଗତି ମନ୍ଥର ହୋଇଛି। ତେଣୁ ୨୦୨୦-୩୦ ଦଶନ୍ଧି ମଧ୍ୟରେ ଚରମ ଦାରିଦ୍ର୍ୟ ହ୍ରାସ କରିବାକୁ ସଠିକ୍ ସମୟ ବୋଲି ବିବେଚନା କରାଇଯାଇପାରିବ ନାହିଁ। ବର୍ତ୍ତମାନ ଯେଉଁ ହାରରେ ଅତି ଦାରିଦ୍ର୍ୟତା କମୁଛି ସେହି ହାରରେ ଦେଖିଲେ ଦାରିଦ୍ର୍ୟ ଦୂରିକରଣ ପାଇଁ ଆହୁରି ଏକାଧିକ ଦଶନ୍ଧୀ ଲାଗିଯିବ। ସେହିପରି ଦୈନିକ ୬.୮୫ ଡଲାରରୁ ଅଧିକ ରୋଜଗାର ଶ୍ରେଣୀରେ ଲୋକଙ୍କୁ ନେବା ପାଇଁ ଶତାବ୍ଦି ସମୟ ଲାଗିଯାଇପାରେ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଇଛି।  

ରିପୋର୍ଟରେ ଆହୁରି ଗୁରୁତ୍ୱାରୋପ କରାଯାଇଛି ଯେ ଯଦିଓ ୧୯୯୦ ମସିହାରୁ ୨୦୧୩ ପର୍ଯ୍ଯନ୍ତ ଚରମ ଦାରିଦ୍ୟତା ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି, ହେଲେ ସେବେଠାରୁ ପ୍ରଗତିରେ ମଧ୍ୟ ନାଟକୀୟ ଢଙ୍ଗରେ ହ୍ରାସ ଘଟିଛି। ୧୯୯୦ରୁ ୨୦୧୩ ମଧ୍ୟରେ ଚରମ ଦାରିଦ୍ର୍ୟତା ୩୭.୮ ପ୍ରତିଶତରୁ ୧୧.୫ ପ୍ରତିଶତ ଖସି ଆସିଥିବା ବେଳେ ୧.୨ ବିଲିଅନ ଲୋକ ଦାରିଦ୍ର୍ୟ ସୀମା ରେଖା ତଳୁ ବାହାରିଛନ୍ତି। ବାସ୍ ଏହାପର ଠାରୁ ଏମିତିକି କୋଭିଡ୍ ଗ୍ରାସିବା ପୂର୍ବରୁ ଦାରିଦ୍ର୍ୟ ଦୂରିକରଣ ଗତି ମନ୍ଥର ହେବାରେ ଲାଗିଛି। ୨୦୧୩ରୁ ୨୦୧୮ ମଧ୍ୟରେ ଚରମ ଦାରିଦ୍ର୍ୟତା ଦୂରିକରଣ ଗତି ମନ୍ଥର ହୋଇ ମାତ୍ର ୨.୮ ପ୍ରତିଶତ ହ୍ରାସ ପାଇଛି। ତେବେ ୨୦୧୮ ପର ଠାରୁ ଧାରା ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି ବୋଲି ବିଶ୍ୱ ବ୍ୟାଙ୍କ ତା ରିପୋର୍ଟରେ କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.