ପୂର୍ବୋତ୍ତର ରାଜ୍ୟରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ୧୯ ମୃତ, ୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ: ଦେଶରେ ଆଗକୁ ପହଞ୍ଚିଥିବା ମୌସୁମୀ ଯୋଗୁ ପର୍ବୋତ୍ତର ରାଜ୍ୟରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଗତ ତିନି ଦିନରେ ପର୍ବୋତ୍ତରର ମଣିପୁର, ମିଜୋରାମ, ଆସାମ, ଅରୁମାଚଳ ପ୍ରଦେଶ, ତ୍ରିପୁରାରେ ଲଗାତାର ପ୍ରବଳ ବର୍ଷା, ଭୂସ୍ଖଳନ ଓ ବନ୍ୟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୨ ହଜାରରୁ ଅଧିକ ପରିବାର ପ୍ରଭାବିତ ହୋଇଛି । ବର୍ଷା ଓ ବନ୍ୟାରେ ଘର ଭୁଶୁଡ଼ିବା ଯୋଗୁ ବହୁ ସଂଖ୍ୟାରେ ଲୋକେ ବାସହରା ହୋଇଛନ୍ତି । ପାଣିପାଗ ବିଭାଗ ସବୁ ରାଜ୍ୟ ପାଇଁ ଆଲର୍ଟ ଜାରି କରିଛି  ।

ଦକ୍ଷିଣ ମିଜୋରାମର ଲଙ୍ଗତଲାଇ ସହରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ପାଞ୍ଚଟି ଘର ଓ ଗୋଟିଏ ହୋଟେଲ ଭୁଶୁଡ଼ି ପଡ଼ିଛି । ଏଥିରେ ଅନେକ ଲୋକ ଫସିଛନ୍ତି । ଏସଆରଡିଏଫ୍ ଓ ତୃତୀୟ ଭାରତୀୟ ରିଜର୍ଭ ବାଟାଲିୟନର ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଉଛି । ଭୁସ୍ଖଳନ ଯୋଗୁ ରାଷ୍ଟ୍ରୀୟ ରାଜମାର୍ଗ-୫୪ରେ ଯାତାୟତ ବାଧାପ୍ରପ୍ତ ହୋଇଛି । ଫଳରେ ମିଜୋରାମଠାରୁ ସୁଦୂର ଦକ୍ଷିଣ ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପ୍ରବଳ ବର୍ଷା ଓ ଭୂସ୍ଖଳ ଯୋଗୁ ଆସାମର କାମରୁପ ମେଟ୍ରୋ ଜିଲ୍ଲାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ପାଞ୍ଚ ଜିଲ୍ଲାରେ ୧୨ ହଜାରରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଗୌହାଟୀ ଓ ସିଲଚରରେ ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅନ୍ୟପଟେ ଲକ୍ଷ୍ମୀପୁରରେ ବନ୍ୟା ଯୋଗୁ ରିଙ୍ଗ ଡ୍ୟାମ ଭୁଶୁଡ଼ି ପଡ଼ିଛି । 

ଅରୁଣାଳୟ ପ୍ରଦେଶର ବି ପ୍ରବଳ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଏଠାରେ ଭୂସ୍ଖଳନ ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ କାମେଙ୍ଗରେ ନିର୍ମିତ-ସେପ୍ପା ଖଣ୍ଡରେ ହୋଇଥିବା ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଲୋୟର ସୁବନସିରି ଜିଲ୍ଲୀରେ ଜିରୋ-କାମଲେ ମାର୍ଗରେ ମାଇନ୍ ଗ୍ରୋବ ନିକଟରେ ଭୁସ୍ଖଳନରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାସହ ଉପର ସୁବନସିରି ଜିଲ୍ଲାରେ ବନ୍ୟା ଯୋଗୁ ୧୦୦ରୁ ଅଧିକ ପରିବାର ପ୍ରଭାବିତ ହୋଇଛି । ସିଗିନ ନଦୀରେ ପାଣି ବିପଦ ସଂକେତରେ ପ୍ରଭାବିତ ହେଉଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ତ୍ରିପୁରାରେ ବି ପ୍ରବଳ ବର୍ଷା ଯୋଗୁ ଜିରାନିଆରେ ଜଣେ ବ୍ୟକ୍ତି ବୁଡ଼ି ଯାଇଛନ୍ତି । ୨୦୦ରୁ ଅଧିକ ଲୋକ ବାସଗୃହ ହରାଇଛନ୍ତି । ଲୋକଙ୍କୁ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.