ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଅପରେସନ୍ ସିନ୍ଧୁ ଜରିଆରେ ଆର୍ମେନିଆରୁ ଆସିଲେ ଦିଲ୍ଲୀ

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ ୧୯।୦୬; ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି ସମୟରେ ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ଆରମ୍ଭ କରିଥିବା 'ଅପରେସନ୍ ସିନ୍ଧୁ'ର ପ୍ରଥମ ପର୍ଯ୍ୟାୟରେ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ଫେରିଛନ୍ତି। ଗୁରୁବାର ଭୋର ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣି ଆସିଥିବା ବିମାନ ନୂଆଦିଲ୍ଲୀରେ ଅବତରଣ କରିଛି । ସେମାନଙ୍କ ମଧ୍ୟରୁ ୯୦ ଜମ୍ମୁ-କାଶ୍ମୀରର ଅଛନ୍ତି । ଇରାନ ତାର ଆକାଶପଥ ବନ୍ଦ କରିଥିବାରୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଆର୍ମେନିଆ ନିଆଯାଇଥିଲା । ସେଠାରୁ ଆର୍ମେନିଆ ସରକାର ଓ ଭାରତୀୟ ଦୂତାବାସ ସହଯୋଗରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ପଠାଯାଇଛି । ଇରାନରୁ ଆର୍ମେନିଆ ରାଜଧାନୀ ୟେରଭାନ ଦେଇ ସମସ୍ତେ ଦିଲ୍ଲୀ ଫେରିଛନ୍ତି ।

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନଉଥିବା ବେଳେ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରୁ ଇରାନରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାରକୁ ଜୋରଦାର କରାଯାଇଛି । ଇରାନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ଅପରେସନ୍ ସିନ୍ଧୁ ଆରମ୍ଭ କରିଛନ୍ତି ଭାରତ ସରକାର । ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାରେ ସହଯୋଗ କରୁଛି ଭାରତୀୟ ଦୂତାବାସ ।

ଇରାନରୁ ଫେରିଥିବା ଛାତ୍ରଛାତ୍ରୀମାନେ ପରିସ୍ଥିତି ବିଷୟରେ ବଖାଣି କହିଛନ୍ତି ଯେ, ସେଠାକାର ସ୍ଥିତି ଅତ୍ୟନ୍ତ ଦୟନୀୟ । ସେଠାରେ ଆମ ଭଳି ଥିବା ଅନେକ ନୀରିହ ଲୋକ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଆମେ ସେଠାରୁ ବାହାରି ପାରିଛୁ ସେଥିପାଇଁ ଆମେ ଖୁସି। 

ସୂଚନା ଅନୁସାରେ, ଇରାନରେ ୪ହଜାରରୁ ଅଧିକ ଭାରତୀୟ ନାଗରିକ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ରଛାତ୍ରୀ। ବିଶେଷତଃ ଜମ୍ମୁ ଓ କାଶ୍ମୀରର ଛାତ୍ରଛାତ୍ରୀମାନେ ଇରାନରେ ମେଡିକାଲ୍ ଓ ଅନ୍ୟ ପ୍ରଫେସନାଲ୍ କୋର୍ସରେ ନାମ ଲେଖାଇଥାନ୍ତି । ଶସ୍ତା ପାଠ୍ୟକ୍ରମ ଓ ସାଂସ୍କୃତିକ ସାମଞ୍ଜସ୍ୟ ପାଇଁ କାଶ୍ମୀରୀ ଛାତ୍ରଛାତ୍ରୀ ଇରାନୀୟ ବିଶ୍ବବିଦ୍ୟାଳୟରେ ପଢ଼ିବାକୁ ପସନ୍ଦ କରିଥାନ୍ତି। ତେହେରାନ୍, ସିରାଜ୍ ଓ କୋମ୍ ଆଦି ସହରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.