ଭାରତର ମିତ୍ର ରୁଷ୍‌ ସହ ପାକିସ୍ତାନର ବଡ଼ ଚୁକ୍ତି , ସେଣ୍ଟ୍ରାଲ ଏସିଆ ପର୍ଯ୍ୟନ୍ତ ଯିବ ରେଳ

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ : ଭାରତର ମିତ୍ର ଦେଶ କୁହାଯାଉ ଥିବା ରୁଷ୍‌ ସହ ପାକିସ୍ତାନ ଏକ ବଡ଼ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଅନୁସାରେ, ରୁଷ୍‌ ଓ ସେଣ୍ଟ୍ରାଲ ଏସିଆ ଯାଏ ପାକିସ୍ତାନରୁ ଟ୍ରେନ୍‌ ଦ୍ୱାରା କନେକ୍ଟିଭିଟି ହେବ। ଏହା ବ୍ୟତୀତ ସଡ଼କ ମାର୍ଗରେ ମଧ୍ୟ ପାକିସ୍ତାନରୁ ନେଇ ରୁଷ୍‌ ଓ ସେଣ୍ଟ୍ରାଲ ଏସିଆ ଯାଏ ପହଞ୍ଚି ଯାଇ ପାରିବ। ଚୀନର ତିୟାନଜିନରେ ସାଂଘାଇ ସହଯୋଗ ସଙ୍ଗଠନର ସାଇଡଲାଇନରେ ଅନୁଷ୍ଠିତ ଏକ ବୈଠକ ବେଳେ, ପାକିସ୍ତାନର ଯୋଗାଯୋଗ ମନ୍ତ୍ରୀ ଅବଦୁଲ ଅଲିମ ଖାନ ଓ ରୁଷ୍‌ର ପରିବହନ ମନ୍ତ୍ରୀ ଆଣ୍ଡ୍ରେ ସର୍ଗେଭିଚ୍‌ ନିକିଟିନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ଉଭୟ ନେତା କହିଛନ୍ତି ଯେ, ଏହା ରୁଷ୍‌ ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି କରିବ।

ଏହି ଏଗ୍ରିମେଣ୍ଟକୁ ପାକିସ୍ତାନ ନିଜର ବଡ଼ ସଫଳତା ଭାବେ ପ୍ରଚାରିତ କରୁଛି। ପାକିସ୍ତାନର କହିବାନୁସାରେ, ଏହି ଡିଲ୍‌ରେ ଆମ ଦେଶ ଏକ ବଡ଼ ଟ୍ରାଞ୍ଜିଟ୍‌ ହବ୍‌ ହୋଇଯିବ। ଏଥିରେ ବ୍ୟବସାୟ କରିଡର ସୃଷ୍ଟି ହେବ। ମାଲ୍‌ର ପରିବହନ ସହଜ ହୋଇଯିବ। ରୁଷ୍‌ ଓ ସେଣ୍ଟ୍ରାଲ ଏସିଆ ଯାଏ ପହଞ୍ଚିବା ସହଜ ହେବ। ରୁଷ୍‌ର ମନ୍ତ୍ରୀ ଆନ୍ଦ୍ରେ ନିକିତିନ କହିଛନ୍ତି ଯେ, ରୁଷ୍ ଓ ପାକିସ୍ତାନର ସହଯୋଗରେ ସେହି ଶକ୍ତି ଅଛି ଯେ, କ୍ଷେତ୍ରୀୟ ସମୀକରଣ ବଦଳି ଯିବ। ସେ କହିଛନ୍ତି ଯେ, ରୁଷ୍‌ର ଏହି ପ୍ରତିବଦ୍ଧତା ଯେ, ପାକିସ୍ତାନ ସହ କନେକ୍ଟିଭିଟି ବଢାଯାଉ ଏବଂ ବ୍ୟବସାୟରେ ମଧ୍ୟ ବୃଦ୍ଧି ହେଉ।

କହି ରଖୁଛୁ କି, ରୁଷ୍‌ ସହ ଡିଲ୍‌ ପାଇଁ ପାକିସ୍ତାନ ବାରମ୍ୱାର ଚେଷ୍ଟା କରି ଚାଲିଛି। କେବଳ ଏତିକି ନୁହେଁ ଗତ କିଛି ବର୍ଷରେ ଯେତେବେଳେ ଭାରତ ବହୁ ପରିମାଣରେ ରୁଷ୍‌ ଠାରୁ ତେଲ କ୍ରୟ କଲା ତ ପାକିସ୍ତାନ ମଧ୍ୟ ତା ସହ ସଂପର୍କ କରିଥିଲା। ହେଲେ ରୁଷ୍‌ ପାକିସ୍ତାନକୁ ଶସ୍ତାରେ ତେଲ ଦେବାକୁ ମନା କରି ଦେଇ ଥିଲା।

କହି ରଖୁଛୁ ଯେ, ରୁଷ୍‌ର ଭାରତ ସହ ଏକ ଡିଲ୍‌ ଅନୁସାରେ, ଇଣ୍ଟରନ୍ୟାସନାଲ ନର୍ଥ ସାଉଥ୍ ଟ୍ରାନ୍ସପୋର୍ଟ କରିଡର ପ୍ରସ୍ତୁତ କରାଯାଉଛି। ଏହି କରିଡରର ମାଧ୍ୟମରେ ଭାରତ ସଂପର୍କ ସିଧା ୟୁରୋପ ଯାଏ ହୋଇପାରେ। କୁହାଯାଉଛି ଯେ, ଏହି ପ୍ରତିସ୍ପର୍ଦ୍ଧା କାରଣରୁ ପାକିସ୍ତାନ ରୁଷ୍ ସହ ଏହି ଚୁକ୍ତି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.