ନୂଆଦିଲ୍ଲୀ: ଆରମ୍ଭରୁ ଭାରତ ସହ ଥିବା ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ। ଏନେଇ ସେ ପ୍ରସ୍ତୁତ ଥିବା ବୁଧବାର ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି। ପହଲଗାମ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୂର ଓ ପାକିସ୍ତାନର ଜବାବୀ ହମଲାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା। ଏହାର ପାଖାପାଖି ଦୁଇ ମାସ ପରେ ଭାରତ ସହିତ ଆଲୋଚନା କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଣିଥରେ ପ୍ରସ୍ତୁତ ବୋଲି କହିଛନ୍ତି।
ପିଟିଆଇ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସାଉଦି ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ ସରିଫ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ଭାରତ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତା’ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ବିବାଦ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବା ସେ କହିଥିଲେ।
ସଲମାନଙ୍କୁ ଶରିଫ କହିଥଲେ “ଜମ୍ମୁ-କାଶ୍ମୀର, ଜଳ, ବାଣିଜ୍ୟ ଏବଂ ଆତଙ୍କବାଦ ସମେତ ସମସ୍ତ ପ୍ରସଙ୍ଗ ଉପରେ ଭାରତ ସହିତ ଏକ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ପାକିସ୍ତାନ ପ୍ରସ୍ତୁତ।” ରେଡିଓ ପାକିସ୍ତାନର ରିପୋର୍ଟକୁ ଉଦ୍ଧୃତ କରି ପିଟିଆଇ ଏହି ଖବର ପ୍ରକାଶ କରିଛି। ଏହାପୂର୍ବରୁ ମଧ୍ୟ ସରିଫ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମେ ମାସରେ ସରିଫ ଇରାନ ଏବଂ ଆଜରବୈଜାନରେ ଥିବା ସମୟରେ କାଶ୍ମୀର, ଆତଙ୍କବାଦ, ଜଳ ଏବଂ ବାଣିଜ୍ୟ ସମେତ ସମସ୍ତ ଅମୀମାଂସିତ ପ୍ରସଙ୍ଗର ସମାଧାନ ପାଇଁ ଭାରତ ସହିତ ଶାନ୍ତି ଆଲୋଚନା କରିବାକୁ କହିଥିଲେ।
ସେପଟେ ଭାରତ ବାରମ୍ବାର ପାକିସ୍ତାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଭାରତ କେବଳ ପାକ୍ ଅଧିକୃତ କାଶ୍ମୀରର ପ୍ରତ୍ୟାବର୍ତ୍ତନ ଏବଂ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହୀ ଅଛି ବୋଲି ସିଧା ସିଧା କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପାକିସ୍ତାନକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଆତଙ୍କବାଦ ସମସ୍ୟାର ସମାଧାନ ନହେଲେ ଭାରତ ପାକିସ୍ତାନ ସହିତ କୌଣସି ଶାନ୍ତି ଆଲୋଚନା କରିବ ନାହିଁ।
ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ଏବେ ବି କୂଟନୈତିକ, ବ୍ୟବସାୟୀକ ସମ୍ପର୍କ ବନ୍ଦ ରହିଛି। ପାକିସ୍ତାନ ଭାରତ ପାଇଁ ଏହାର ଏୟାର ସ୍ଫେସ୍ ବନ୍ଦ ରଖିଥିବା ବେଳେ ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବଥାର କାରଣ ପାଲିଟିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ଦେବା ବନ୍ଦ ନ କରିବ ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ।