ବିମାନ ତିଆରି ସରିଛି, କିନ୍ତୁ ଇଞ୍ଜିନ ନାହିଁ...ତେଜସ୍ ଯୋଗାଣ ବିଳମ୍ୱ ଉପରେ HAL ମୁଖ୍ୟଙ୍କ ବୟାନ

Published By : Prameya-News7 Bureau | June 24, 2025 IST

ନୂଆଦିଲ୍ଲୀ: ତେଜସ ଯୁଦ୍ଧ ବିମାନ ପାଇଁ ବାୟୁସେନାର ଅପେକ୍ଷା ବଢି ବଢି ଚାଲିଛି । ଏହି ଯୁଦ୍ଧ ବିମାନ ପାଇଁ ଜିଇ ଏୟରୋସ୍ପେସ୍ ପକ୍ଷରୁ ଇଞ୍ଜିନ ଯୋଗାଣ ହୋଇଥାନ୍ତା । ତେଜସ୍ ଫାଇଟର୍ ପ୍ଲେନ୍ ପାଇଁ ଏଫ୍୪୦୪ ଇଞ୍ଜିନ୍ ଡେଲିଭରିରେ ବିଳମ୍ୱ ଭାରତୀୟ ବାୟୁସେନାର ପରିଚାଳନାକୁ କ୍ଷମତା ଉପରେ ପ୍ରଭାବ ପକାଉଛି । ଉଲ୍ଲେଖଯୋଗ୍ୟ ଯେ ମିଗ୍-୨୧ର ବିକଳ୍ପ ଭାବେ ଏହାକୁ ନିର୍ମାଣ କରାଯାଉଛି, କିନ୍ତୁ ଯୋଗାଣରେ ବିଳମ୍ୱ କାରଣରୁ ବାୟୁସେନାକୁ ପୁରୁଣା ଓ କମ ଭରସାଯୋଗ୍ୟ ବିମାନ ଉପରେ ନିର୍ଭର କରିବାକୁ ପଡ଼ୁଛି । ବାୟୁସେନା ପାଇଁ ତେଜସ୍ ଏମକେ-୧ଏ ଫାଇଟର୍ ପ୍ଲେନ୍ ନିର୍ମାଣ କରିବା ଦାୟିତ୍ୱ ଏଚ୍‌ଏଏଲ୍ ଉପରେ ରହିଛି । ଏବେ ସ୍ଥିତି ଏହା ଯେ ଆମ ପାଖରେ ବିମାନ ପ୍ରସ୍ତୁତ ଅଛି କିନ୍ତୁ ଇଞ୍ଜିନ ନାହିଁ ।

ଏଚ୍‌ଏଏଲ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଡିକେ ସୁନୀଲ କହିଛନ୍ତି, ଏହି ବିଳମ୍ୱ କେବଳ ଆମେରିକୀୟ କମ୍ପାନି ଜିଇ ଏୟରୋସ୍ପେସ୍ ଦ୍ୱାରା ଏଫ୍୪୦୪ ଇଞ୍ଜିନ୍ ସପ୍ଲାଇରେ ଅସମର୍ଥ କାରଣରୁ ହୋଇଛି । ସେ କହିଛନ୍ତି ଯେ ସବୁ କମ୍ପାନିକୁ ସମାଲୋଚନାର ସାମନା କରିବାକୁ ପଡ଼ିଥାଏ । ଏପରି ହିଁ ହୋଇଥାଏ । ଦୁର୍ଭାଗ୍ୟରୁ, ଏଲସିଏ ମାର୍କ-୧ଏ ମାମଲାରେ ବି, ଆମେ ବିମାନ ନିର୍ମାଣ କରିସାରିଛୁ । ଆଜିର ସମୟରେ ଆମ ପାଖରେ ଛଅ ବିମାନ ପ୍ରସ୍ତୁତ ଅଛି । କିନ୍ତୁ ଜିଇ ଏୟରୋସ୍ପେସରୁ ଇଞ୍ଜିନ ମିଳିପାରି ନାହିଁ । ୨୦୨୩ରେ ଇଞ୍ଜିନ ମିଳିବାର ଥିଲା, କିନ୍ତୁ ଆମକୁ କେବଳ ଗୋଟିଏ ଇଞ୍ଜିନ ମିଳିଛି ।

କରୋନା ମହାମାରୀ ସମୟରେ ଉତ୍ପାଦନରେ ବିଳମ୍ୱ ଓ ପରେ ଅନେକ ବରିଷ୍ଠ ଇଞ୍ଜିନିୟରଙ୍କ କମ୍ପାନି ଛାଡ଼ିବା କାରଣରୁ ଏହି ବିଳମ୍ୱ ହୋଇଛି । ଏଚ୍‌ଏଏଲ୍ ସିଇଓ କହିଛନ୍ତି, ଜିଇ ଏୟରୋସ୍ପେସ ସହ ବୈଷୟିକ ପ୍ରସଙ୍ଗର ସମାଧାନ କରାଯାଇଛି ଓ ଏଚ୍‌ଏଏଲ୍ ୨୦୨୬ ମାର୍ଚ୍ଚ ସୁଦ୍ଧା ୧୨ଟି ଜେଟ୍ ଇଞ୍ଜିନ ମିଳିପାରେ । ଏଚ୍‌ଏଏଲ୍ ଆଗାମୀ ବର୍ଷରେ ୧୬ ଜେଟ୍ ନିର୍ମାଣର ଯୋଜନା ରଖିଛି । ତେବେ ଏହି ଲକ୍ଷ୍ୟ ହାସଲ ପାଇଁ ଜିଇ ଏୟରୋସ୍ପେସଠାରୁ ଇଞ୍ଜିନ ସପ୍ଲାଇ ସଠିକ୍ ସମୟରେ ହେବା ଦରକାର । 

ଉଲ୍ଲେଖଯୋଗ୍ୟ ଯେ ବାୟୁସେନା ମୁଖ୍ୟ ତେଜସ ମିଳିବାରେ ହେଉଥିବା ବିଳମ୍ୱ ଉପରେ ଚିନ୍ତା ପ୍ରକାଶ କରିସାରିଛନ୍ତି । ଏୟାର ମାର୍ଶଲ୍ ଏ.ପି.ସିଂହ ବିଳମ୍ୱ ଉପରେ ପ୍ରଶ୍ନ ଉଠାଇବା ପରେ ଏହା ଏକ ବଡ଼ ପ୍ରସଙ୍ଗ ପାଲଟିଥିଲା । ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ୮୩ ତେଜସ୍ ଏମ୍‌କେ-୧ଏ ଜେଟ୍ କିଣିବା ପାଇଁ ଏଚ୍‌ଏଏଲ୍ ସହ ୪୮୦୦୦ କୋଟି ଟଙ୍କାର ଚୁକ୍ତି କରିଥିଲା । ମନ୍ତ୍ରଣାଳୟ ୬୭୦୦୦ କୋଟି ଟଙ୍କାରେ ଆହୁରି ୯୭ ଏଲ୍‌ସିଏ ଏମ୍‌କେ-୧ଏ କିଣିବା ପ୍ରକ୍ରିୟାରେ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.