ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର

Published By : Prameya-News7 Bureau | August 05, 2025 IST

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ କ୍ରୟ ନେଇ ଉଚ୍ଚ ସ୍ତରୀୟ ବୈଠକରେ ଭାରତୀୟ ବାୟୁ ନୌସେନାର ଯୁଦ୍ଧପୋତ ପାଇଁ ବହୁ ସଂଖ୍ୟାରେ ବ୍ରହ୍ମୋସ ମିସାଇଲ୍ କ୍ରୟକୁ ମଞ୍ଜୁରି ଦିଆଯାଇପାରେ । ଏହା ସହ ଭାରତୀୟ ବାୟୁ ସେନା ପାଇଁ ବି ଏହି ମିସାଇଲ୍ ଭୂମି ଓ ଆକାଶ ଭାରିଆଣ୍ଟକୁ କ୍ରୟ କରାଯିବ ।

ପାକିସ୍ତାନର ଏୟାରବେସ୍ ଓ ସୈନ୍ୟ ଠିକଣା ଉପରେ ଆକ୍ରମଣ ପାଇଁ ଏହି ମିସାଲକୁ ଅଧିକ ପ୍ରୟୋଗ କରାଯାଇଥିଲା । ନୌସେନା ଏହି ମିସାଇଲକୁ ନିଜର ବୀର-ବର୍ଗର ଯୁଦ୍ଧପୋତରେ ମୁତୟନ କରିବା କରିବ, ଅନ୍ୟପଟେ ବାୟୁ ସେନା ଏହାକୁ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନରେ ମୁତୟନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ସ୍ୱଦେଶ ହତିଆରର ପ୍ରଶଂସା କରୁଛନ୍ତି । ସେ ବାରମ୍ୱାର ନିଜ ବୟାନରେ ଅପରେସନ ସିନ୍ଦୂର ବେଳେ ସାରା ଦୁନିଆ ଆମ ସ୍ୱଦେଶୀ ହତିଆରର ଶକ୍ତି ଦେଖିଥିବା କହିଥିଲେ । ସେ କହିଥିଲେ ଆମର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ମିସାଇଲ୍ ଓ ଡ୍ରୋନ୍ ଆତ୍ମନିର୍ଭର ଭାରତର ଶକ୍ତି ଦେଖାଇଥିଲେ, ଖାସ୍ କରି ବ୍ରହ୍ମୋସ ମିସାଇଲ୍ ।

ଭାରତ ଅପରେସନ ସିନ୍ଦୂରରେ ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର ପଞ୍ଜାବ ପ୍ରାନ୍ତ ସ୍ଥିତ ମୁଖ୍ୟାଳୟରେ ଆକ୍ରମଣ କରିଥିଲା ।  ଭାରତୀୟ ବାୟୁ ସେନା ଏଥିପାଇଁ ବ୍ରହ୍ମୋସ ମିସାଇଲ୍ ବ୍ୟବହାର କରିଥିଲା । ଏହି ମିସାଇଲ୍ ସାହାଯ୍ୟରେ ଟାର୍ଗେଟ୍ ଠିକଣାକୁ ସହଜରେ ନଷ୍ଟ କରାଯାଇଥିଲା । ଏହାପରେ ପାକିସ୍ତାନୀ ସେନା ଆତଙ୍କବାଦୀ ଓ ତାର ଠିକଣା ବଞ୍ଚାଇବା ପାଇଁ ପାଲଟା ଆକ୍ରମଣ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.