ମୁମ୍ୱାଇ : ରାଜ୍ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ମରାଠୀ ପ୍ରତିବାଦ ନାଁରେ ଏକ ନୂଆ ଜୀବନ ପାଇଛି। ଅନେକ ବର୍ଷରୁ ଦୁର୍ବଳ ହୋଇ ପଡ଼ିଥିବା ଏହି ସଙ୍ଗଠନ ମରାଠୀ ନାମରେ ନିଜକୁ ମଜବୁତ କରିବାରେ ଲାଗି ପଡ଼ିଛି ଏବଂ ଏହି ବାହାନାରେ ଏହା ମଙ୍ଗଳବାର ମୀରା ରୋଡ୍ରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ଏମଏନଏସ୍ର ଘୋଷଣା ପରେ ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନାର କାର୍ଯ୍ୟକର୍ତ୍ତା ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ। ଏହା ବ୍ୟତୀତ ଆହୁରି ଅନେକ ମରାଠୀ ସଙ୍ଗଠନ ମଧ୍ୟ ଏହାର ସମର୍ଥନ କରିଥିଲେ। ଏହି କାରଣରୁ ବହୁ ସଂଖ୍ୟାରେ ଲୋକେ ଏକତ୍ର ହୋଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ସକାଳୁ ମୀରା ଭାୟନ୍ଦରରେ ପୁଲିସର କଡ଼ା ପ୍ରହରା ଥିଲା ଏବଂ ଏମଏନଏସର କାର୍ଯ୍ୟକର୍ତ୍ତାଙ୍କୁ ଧରି ହେପାଜତକୁ ନିଆ ଯାଉଥିଲା। ଏଥିରେ କ୍ରୋଧ ଆହୁରି ବଢି ଯାଇଥିଲା।
ପୁଲିସ- ପ୍ରଶାସନ ପକ୍ଷରୁ ଅନେକ କଟକଣା ସତ୍ତ୍ୱେ ହଜାର ହଜାର ଲୋକ ମରାଠୀ ଅସ୍ମିତା ନାଁରେ ରାସ୍ତାକୁ ଓହ୍ଲାଇ ଥିଲେ। ଏହି ଲୋକଙ୍କ କହିବାର ଥିଲା ଯେ, ଯେତେବେଳେ ପ୍ରବାସୀ ବ୍ୟବସାୟୀଙ୍କୁ ବିରୋଧ ପ୍ରଦର୍ଶନ କରିବାର ଅନୁମତି ଦିଆ ଯାଇ ପାରିବ , ପୁଣି ଆମକୁ କାହିଁକି ସୁଯୋଗ ଦିଆ ଯାଉ ନାହିଁ। ଏହି ପୂରା ମାମଲା ଏହି ଘଟଣା ପରଠାରୁ ଆରମ୍ଭ ହୋଇଛି, ଯେଉଁଥିରେ ଏମଏନଏସର ଜଣେ ନେତା ଅବିନାଶ ଯାଧଭ ଓ ତାଙ୍କର ସାଥିମାନେ ଫୁଡ୍ ଷ୍ଟଲ୍ର ମାଲିକଙ୍କୁ ମାଡ଼ ମାରି ଥିଲେ। ଏହି ଲୋକେ ତାଙ୍କୁ ମରାଠୀ ନକହିବାରୁ ମାଡ଼ ମାରି ଥିଲେ। ଉକ୍ତ ମାମଲାରେ ଅବିନାଶ ଯାଧଭଙ୍କୁ ସୋମବାର ସନ୍ଧ୍ୟାରେ ହେପାଜତକୁ ନିଆଯାଇ ଥିଲା। ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏମଏନଏସ୍ର ଲୋକଙ୍କ କହିବା ଥିଲା ଯେ, ପୁଲିସ ବ୍ୟବସାୟିକ ଚାପରେ ଅଛନ୍ତି ଏବଂ ମରାଠୀଙ୍କୁ ତାଙ୍କର ହିଁ ମାଟିରେ ହଇରାଣ କରାଯାଉଛି।
ଏମଏନଏସ୍ ଏହି ଘଟଣାର ବିରୋଧରେ ଠାଣେ ଜିଲ୍ଲାର ମୀରା ଭାୟନ୍ଦର ଅଞ୍ଚଳରେ ମହାରାଷ୍ଟ୍ର ଏକତାକର୍ଣ୍ଣ ସମିତିର ବ୍ୟାନରରେ ରାଲିର ଆୟୋଜନ ଘୋଷଣା କରିଥିଲା। କହି ରଖୁଛୁ ଯେ, ଏହି ରାଲିରେ ଭାଗନେବା ପାଇଁ ଏକନାଥ ସିନ୍ଦେ ସେନାର ନେତା ପ୍ରତାପ ସରନାଇକ ମଧ୍ୟ ପହଞ୍ଚି ଥିଲେ, କିନ୍ତୁ ତାଙ୍କୁ ପିଛା କରାଯାଇ ଥିଲା, ତାଙ୍କ ଉପରକୁ ବୋତଲ ଫିଙ୍ଗା ଯାଇଥିଲା। ସେ ଏଠାର ସ୍ଥାନୀୟ ବିଧାୟକ ମଧ୍ୟ ଅଛନ୍ତି। ତାଙ୍କ ଉପରେ ହମଲାରେ ରାଜନୀତି ଆହୁରି ସରଗରମ ହୋଇଛି। ରାଲିକୁ ରୋକିବାକୁ ଯେତେବେଳେ ବିରୋଧ ହେଲା ତ ଫଡଣବିସ୍ ନିଜେ ସାମ୍ନାକୁ ଆସି ସଫେଇ ଦେଲେ। ଫଡଣବିସ୍ କହିଲେ, ରାଲି ଆୟୋଜିତ କରିବାର କୌଣସି ବିରୋଧ ନାହିଁ। ଯେଉଁ ରାସ୍ତା ପାଇଁ ଅନୁମତି ମଗାଯାଇ ଥିଲା, ସେଥିପାଇଁ ମଞ୍ଜୁରୀ ଦେବା ମୁସ୍କିଲ ଥିଲା। ପୁଲିସ ତାଙ୍କୁ ରାସ୍ତା ବଦଳାଇବାକୁ ଅନୁରୋଧ କରିଥିଲା, କିନ୍ତୁ ଆୟୋଜକ ଏକ ବିଶେଷ ମାର୍ଗରେ ରାଲି ଆୟୋଜିତ କରିବାକୁ ଜିଦି ଧରିଲେ।
ସେ କହିଥିଲେ , ଏଥିରେ ଯାତାୟାତ ବ୍ୟାଘାତ ଘଟିପାରେ ବା ଦଳଚକଟା ଭଳି ସ୍ଥିତି ଉପୁଜିପାରେ। ଏପରି ପରିସ୍ଥିତିରେ ପୁଲିସ ବୁଝାଇବାକୁ ଓ ଏକ ବିକଳ୍ପ ରାସ୍ତା ଦେବାକୁ ଚେଷ୍ଟା କରିଥାଏ। ଆମେ ଗଣତନ୍ତ୍ରରେ ଅଛୁ , ସମସ୍ତଙ୍କୁ ରାଲି କରିବାର ଅଧିକାର ରହିଛି। ଯଦି ସେ ଉଚିତ୍ ମାର୍ଗ ପାଇଁ ଅନୁମତି ମାଗନ୍ତି ତ ଆମେ ଆଜି ଓ କାଲି ମଧ୍ୟ ଅନୁମତି ଦେବୁ। ଆଉ ଏକ ସଙ୍ଗଠନ ପୁଲିସ ଦ୍ୱାରା ଅନୁମୋଦିତ ମାର୍ଗରେ ରାଲି ବାହାର କରିଥିଲେ , କିନ୍ତୁ ଏହି ଏକ ସ୍ୱତନ୍ତ୍ର ମାର୍ଗ ପାଇଁ ଜିଦି କରିଥିଲେ।