ଅହମଦାବାଦ୍ ବିମାନ ଦୁର୍ଘଟଣା; ଆଖି ଆଗରେ ସବୁ ଘଟିଛି, ପୂରା ଲାଇଭ୍...

Published By : Prameya-News7 Bureau | June 18, 2025 IST

 ନୂଆଦିଲ୍ଲୀ 18/06 : ମୋ ଆଖି ଆଗରେ ସବୁ ଘଟିଛି। ପୂରା ଲାଇଭ୍ ଭଳି । ଆଖି ସାମ୍ନାର ସେ ଦୃଶ୍ୟ ଏବେ ବି ମୋ ଆଖି ଆଗରେ ନାଚୁଛି। ପ୍ଲେନ୍ ପୂରା ପାଖରେ ଯାଉଥିଲା। ମୋ ସାଙ୍ଗମାନଙ୍କୁ ଦେଖାଇବାକୁ ମୁଁ ମୋବାଇଲରେ ଶୁଟ୍ କରିବା ଆରମ୍ଭ କଲି।  ଦେଖିଲି ବିମାନ ଉଡ଼ିବା ଆରମ୍ଭ କଲା, ତାପରେ ଧିରେ ଧିରେ ତଳକୁ ଖସିଲା... ଆଉ ହଠାତ୍ ସେଥିରୁ ନିଆଁ ବାହାରିଲା। ଧଳା ଓ କଳା ଧୂଆଁ ତା ସହ ନିଆଁ । ମୁଁ ଖୁବ୍  ଡରିଗଲି। ଏଭଳି କିଛି କହିଛନ୍ତି , ଜଣେ 17ବର୍ଷୀୟ ବାଳକ। ସେ ଖାଲି କହିନାହାନ୍ତି। ତାଙ୍କ ମୋବାଇଲରେ କଏଦ୍ ହୋଇଥିବା ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଘଟଣା ପରେ  ପୋଲିସ ସେହି ବାଳକଙ୍କ ବୟାନ ରେକର୍ଡ କରିଛି। ତାଙ୍କ ନାମ ଆର୍ଯ୍ୟନ୍। ସେ ବଖାଣିଛନ୍ତି କିପରି ଘଟିଲା ବୋଇଙ୍ଗ 787 ଡ୍ରିମଲାଇନର୍ ଦୁର୍ଘଟଣା? କାହିଁକିନା ଏସବୁର ସେ ଥିଲେ ପ୍ରତ୍ୟକ୍ଷଦର୍ଶୀ।  ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରିଛି। 

ଆର୍ଯ୍ୟନ୍ ପ୍ରାୟତଃ ବିମାନର ଭିଡିଓ ତିଆରି କରନ୍ତି। ଦୁର୍ଭାଗ୍ୟବଶତଃ, ସେ ଦିନ ସେ ଯେଉଁ ବିମାନର ଭିଡିଓ ନେଉଥିଲେ ବିମାନଟି  ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁ ଘରର ଛାତ ଉପରେ ବିମାନଟି ଯାଇଥିଲା ସେହି ଘରେ ରହୁଥିବା ଜଣେ ମହିଳା କହିଛନ୍ତି ଯେ,  ସେହି ଦିନ ଏୟାର ଇଣ୍ଡିଆର ବିମାନ AI 171 ରୁ ଆସୁଥିବା ଶବ୍ଦ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବିମାନଟି ଉଡ଼ୁଥିବା ପରି ଲାଗୁ ନଥିଲା। ମୋ ପିଲାମାନେ କହିଲେ ଯେ ଏହି ବିମାନଟି ବହୁତ ନିକଟରୁ ଯାଉଥିଲା, ଏଥିରେ କୌଣସି ଶବ୍ଦ ନଥିଲା। ପିଲାମାନେ ଛାତ ଉପରକୁ ଆସି ପ୍ଲେନକୁ ଦେଖି ଖୁସି ହେଉଥିଲେ । ସେତେବେଳେ ଆର୍ଯ୍ୟନ ମଧ୍ୟ ଏଠାରେ ଥିଲେ ଏବଂ ସେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ। ଆର୍ଯ୍ୟନ ପ୍ରଥମ ଥର ପାଇଁ ଏଠାକୁ ଆସିଥିଲେ। ସେ ତାଙ୍କ ବନ୍ଧୁମାନଙ୍କୁ ଦେଖାଇବା ପାଇଁ ଭିଡିଓ ତିଆରି କରିଥିଲେ। ବିମାନଟି ଏତେ ନିକଟରୁ ଯାଏ , ଏପୂରା ଦୃଶ୍ୟ ସେ ତାଙ୍କ ବନ୍ଧୁମାନଙ୍କୁ ଦେଖାଇବା ତାଙ୍କ ଉଦ୍ଦେଶ୍ୟ ଥିଲା। କିନ୍ତୁ କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ଆକାଶ ଧୂଆଁ ମୟ ହୋଇଗଲା।

 ଆର୍ଯ୍ୟନ କହିଥିଲେ ଯେ, ରେକର୍ଡିଂ ଆରମ୍ଭ କରିବାର 24 ସେକେଣ୍ଡ ପରେ ଦୁର୍ଘଟଣା ଘଟିଥିଲା। ମୁଁ ବହୁତ ଭୟଭୀତ ହୋଇଗଲି। ମୋ ଭଉଣୀ ପ୍ରଥମେ ମୋର ଭିଡିଓ ଦେଖିଲା ଏବଂ ବାପାଙ୍କୁ ଜଣାଇଲା। ମୁଁ ଜାଣି ନଥିଲି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବ।  ଅନ୍ୟପଟେ ଆର୍ଯ୍ୟନଙ୍କ ଭଉଣୀ କହିଛନ୍ତି,  ସେ ବହୁତ ଭୟଭୀତ। ସେଥିପାଇଁ ଆର୍ଯ୍ୟନ ଆଉ  ସେହି ଅଞ୍ଚଳରେ ରହିବାକୁ ଚାହାଁନ୍ତି ନାହିଁ।  କାରଣ ଯାହା ଘଟିଲା ଖୁବ୍ ଭୟଙ୍କର ଥିଲା। ଭଉଣୀ କହିଥିଲେ ଯେ ଆର୍ଯ୍ୟନ ମଧ୍ୟ  ଘଟଣା ପରେ ଠିକ୍ ଭାବରେ କଥା କହିପାରୁ ନଥିଲେ।

 ଆର୍ଯ୍ୟନଙ୍କ ପରିବାର ଏକ ଭଡା ଘରେ ରୁହନ୍ତି। ଘରମାଲିକ କହିଛନ୍ତି ଯେ ଦୁର୍ଘଟଣା ପରେ ଆର୍ଯ୍ୟନ ସାରା ରାତି ଚେଇଁ ରହିଥିଲେ। ସେ କିଛି ଖାଇ ନଥିଲେ। ଏ ଘଟଣା ତାଙ୍କୁ ଖୁବ୍ ମର୍ମାହତ କରିଛି। ଏହି ଘଟଣା ଅତ୍ୟନ୍ତ ଦୁଃଖଦ। ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଆର୍ଯ୍ୟନ ଏବଂ ତାଙ୍କ ପରିବାର ବହୁତ ଭୟଭୀତ। ସେମାନେ ଏହି ଘଟଣାକୁ ଭୁଲିଯିବାକୁ ଚାହାଁନ୍ତି।  ଅନ୍ୟପଟେ ପୋଲିସ ଲୋକମାନଙ୍କୁ ଗୁଜବ ପ୍ରସାର ନ କରିବାକୁ ନିବେଦନ କରିଛି। 

 

ଦୁର୍ଘଟଣା ଗ୍ରସ୍ତ ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ସର୍ଦ୍ଦାର ବଲ୍ଲବଭାଇ ପଟେଲ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ, ଏହା ଏକ ମେଡିକାଲ କଲେଜର କୋଠା ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ 241 ଜଣ ଯାତ୍ରୀଙ୍କ ସହ ଆଉ 24 ଜଣ ପ୍ରାଣ ହରାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.