ବାୟୁ ପ୍ରଦୂଷଣ ଚିନ୍ତା, ୧୦ ହଜାର ଶ୍ରେଣୀ ଗୃହରେ ଏୟାର ପ୍ୟୁରିଫାଏର ଲଗାଇବେ ଦିଲ୍ଲୀ ସରକାର

NEWS7
yuvraj-singh-wish-preity-zinta-on-her-birthday

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ । ବାୟୁର ମାନ ଏତେ ଖରାପ ହୋଇଛି ଯେ, ଶ୍ବାସକ୍ରିୟା କରିବା କଷ୍ଟକର ହୋଇପଡ଼ିଛି । ଲୋକଙ୍କ ପାଇଁ ମହାମାରୀ ଭଳି ସ୍ଥିତି ଆଣିଛି ବାୟୁ ପ୍ରଦୂଷଣ । ଏଭଳି ସ୍ଥିତିରେ ସ୍କୁଲ ପଢ଼ିବାକୁ ଯାଉଥିବା ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ହୋଇଛନ୍ତି ସରକାର । ପିଲାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଦିଲ୍ଲୀ ସରକାର ସରକାରୀ ସ୍କୁଲର ପ୍ରାୟ ୧୦,୦୦୦ ଶ୍ରେଣୀ ଗୃହରେ ଏୟାର ପ୍ୟୁରିଫାଏର ଲଗାଇବେ । ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ନିରାପଦ ବାୟୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ନିରବଚ୍ଛିନ୍ନ ଶିକ୍ଷା ସୁନିଶ୍ଚିତ ହୋଇପାରିବ।

ଏକ ସାମ୍ବାଦିକ ସମ୍ମିଳନୀରେ ଶିକ୍ଷା ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ, ଦିଲ୍ଲୀ ସରକାର ପ୍ରଦୂଷଣ ମୁକାବିଲା ପାଇଁ କେବଳ ଅସ୍ଥାୟୀ ପଦକ୍ଷେପ ନୁହେଁ ବରଂ ଦୀର୍ଘକାଳୀନ ସମାଧାନ କରିବାକୁ ଯୋଜନା କରିଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଏବଂ ସ୍କୁଲଗୁଡ଼ିକରେ ଏକ ସ୍ୱଚ୍ଛ ପରିବେଶ ଯୋଗାଇବା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି। ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ପ୍ରଦୂଷଣ ସ୍ତର ଏପରି ବଢ଼ିଯାଏ ଯେ ପିଲାମାନେ ପ୍ରଶ୍ବାସ ନେବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଫଳରେ ଶ୍ରେଣୀଗୃହ ଭିତରେ ସ୍ୱଚ୍ଛ ବାୟୁ ସୁନିଶ୍ଚିତ କରିବା ଜରୁରୀ ହୋଇପଡ଼େ।

ସୁଦ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ପ୍ରଥମ ପର୍ଯ୍ୟାୟରେ, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧୦୦୦୦ ଶ୍ରେଣୀଗୃହରେ ବାୟୁ ପ୍ୟୁରିଫାଏର ସ୍ଥାପନ କରାଯିବ । ଆବଶ୍ୟକତା ଏବଂ ମତାମତ ଆଧାରରେ କାର୍ଯ୍ୟକ୍ରମକୁ ବିସ୍ତାର କରିବାର ଯୋଜନା ରହିଛି। ଆମେ ଚାହୁଁଛୁ ଯେ, ଆମର ପିଲାମାନେ ସ୍ମାର୍ଟ ଭାବରେ ପାଠ ପଢ଼ନ୍ତୁ ଏବଂ ସ୍ବଚ୍ଛ ବାୟୁ ଗ୍ରହଣ କରନ୍ତୁ । ସେମାନଙ୍କ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ସ୍ୱଚ୍ଛ ପବନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସାମ୍ବାଦିକ ସମ୍ମିଳନୀ ସମୟରେ ମନ୍ତ୍ରୀ ପୂର୍ବ ଆମ ଆଦମୀ ପାର୍ଟି ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଦୂଷଣ ଭଳି ଗମ୍ଭୀର ସମସ୍ୟାର ସମାଧାନ ଦେଖାଣିଆ ପ୍ରଚାରରେ ନାହିଁ । ଅଯୁଗ୍ମ-ଯୁଗ୍ମ ଯାନବାହନ ଯୋଜନା ଭଳି ଅସ୍ଥାୟୀ ପଦକ୍ଷେପକୁ ସେ ସମାଲୋଚନା କରିଛନ୍ତି । ବର୍ତ୍ତମାନର ସରକାର ସ୍ଥାୟୀ ସମାଧାନ ଏବଂ ଦୀର୍ଘକାଳୀନ ପଦକ୍ଷେପ ଉପରେ ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି ।