ନକଲି ନମ୍ବର ପ୍ଲେଟ୍‌, ନାହିଁ ବୈଧ କାଗଜପତ୍ର: ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ଟି ବସ୍‌ ଧରିଲା ଆରଟିଓ   

NEWS7
youth-torn-girls-clothes-people-kept-making-videos-in-moradabad

ବାରଙ୍ଗ: ସ୍କୁଲ ପିଲାଙ୍କ ଜୀବନ ସହ ସାଂଘାତିକ ଖେଳ । କେଉଁ ବସ୍‌ରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥିଲା ତ ଆଉ କେଉଁ ବସ୍‌ ରେ ନାହିଁ ସଠିକ କାଗଜପତ୍ର । କଟକ ତାଳବସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପିକିନିକ୍‌ ଯାଉଥିବା ୪ ବସ୍‌ ଏବେ ଆରଟିଓ କବଜାରେ । କଟକ ଆରଟିଓ ଏହି ୪ ବସ୍‌କୁ ଜବତ କରିଛି । ଏହା ସହ ବସଗୁଡ଼ିକ ଉପରେ ମୋଟ ୧୨ ଲକ୍ଷ ୩୪ ହଜାର ୧୫୭ ଟଙ୍କା ଫାଇନ୍‌ ଲାଗିଛି ।

ବସଗୁଡ଼ିକ ସଂପର୍କରେ ଟ୍ରାଫିକ୍‌ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ପୂର୍ବରୁ ଖବର ପାଇଥିଲେ । ଏହା ପରେ ସେ ବାରଙ୍ଗ ଗୋଡ଼ିସାହି କେନାଲ୍‌ କଡ଼ରେ ଜଗି ବସିଥିଲେ । ଏହି ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ନେଇ ଯାଉଥିବା ୪ଟି ବସ୍‌କୁ ଜବତ କରିଥିଲେ ରଞ୍ଜନ । ପୂର୍ବ ସୂଚନା ମୁତାବକ, ଗୋଟିଏ ବସ୍‌ରେ ନକଲି ନମ୍ବର ପ୍ଲେଟ୍‌ ଲାଗିଥିଲା । ଅନ୍ୟ ୩ଟି ବସରେ କାଗଜପତ୍ର ଭୁଲ ଥିଲା ବୋଲି ରଞ୍ଜନ କୁମାର ଡୋରା କହିଛନ୍ତି ।

ସେପଟେ ରାତିରେ ସ୍କୁଲ ପିଲା ହଇରାଣ ହୋଇଛନ୍ତି । ଏହାକୁ ଦେଖି ଆରଟିଓ ପକ୍ଷରୁ ବସ୍‌ ଯୋଗେ ଛାତ୍ରଛାତ୍ରୀଙ୍କୁ ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ବସମାଲିକମାନେ ଜାଣିଶୁଣି କିଭଳି ଏଭଳି ବସ୍‌ ସ୍କୁଲ ପିଲାଙ୍କ ପିକନିକ୍‌ ପାଇଁ ଛାଡ଼ିଥିଲେ ? ଜାନୁଆରୀ ମାସରେ ବିଭିନ୍ନ ସ୍କୁଲ୍‌ର ପିକ୍‌ନିକ୍‌ ହେଉଥିବା ବେଳେ, ବସ୍‌ଗୁଡ଼ିକର ଯାଞ୍ଚ ଭଲ ଭାବରେ ହେଉଛି କି ନାହିଁ ? ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।