ଭାରତ ଆସିବାକୁ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ, ତାରିକ ରହମାନଙ୍କୁ ପିଏମ୍‌ ମୋଦୀଙ୍କ ଚିଠି

NEWS7
youth-serious-before-marriage

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶପଥ ଗ୍ରହଣ ପରେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କୁ ଭେଟିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏହି ଅବସରେ ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଚିଠି ତାରିକ ରହମାନଙ୍କୁ ଦେଇଛନ୍ତି । ଏହି ଚିଠିରେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପିଏମ ମୋଦୀ । ଏହା ସହ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିବା ତାରିକ ରହମାନଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ମଙ୍ଗଳବାର ଦିନ ବାଂଲାଦେଶରେ ଏକ ନୂତନ ଯୁଗ ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କ୍ଷମତା ଗ୍ରହଣ କରିଛି । ତାରିକ ରହମାନ ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ମୁହୂର୍ତ୍ତରେ ଭାରତ ଏହାର ପଡ଼ୋଶୀ ଦେଶ ପାଇଁ ଦୃଢ଼ ସମର୍ଥନ ପ୍ରକାଶ କରିଛି। ଢାକାରେ ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ ବ୍ୟକ୍ତିଗତ ଅଭିନନ୍ଦନ ପତ୍ର ପ୍ରଦାନ କରିଛନ୍ତି।

ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବର କିଛି ସମୟ ପରେ ସୌଜନ୍ୟମୂଳକ ସାକ୍ଷାତ ସମୟରେ ଓମ୍ ବିର୍ଲା ତାରିକ ରହମାନଙ୍କୁ ଚିଠିଟି ପ୍ରଦାନ କରିଥିବା ଜଣାପଡ଼ିଛି । ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଲୋକସଭା ବାଚସ୍ପତି ବିର୍ଲା ସୋସିଆଲ ମିଡିଆରେ ଲେଖିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ବ୍ୟକ୍ତିଗତ ଚିଠି ରହମାନଙ୍କୁ ପ୍ରଦାନ କରିଛି । ଯେଉଁଥିରେ ସେ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି।’

ସୂଚନାଯୋଗ୍ୟ, ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ତାରିକ ରହମାନଙ୍କୁ ପଠାଯାଇଥିବା ଦ୍ୱିତୀୟ ବ୍ୟକ୍ତିଗତ ଚିଠି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ମୃତ୍ୟୁ ପରେ ତାରିକ ରହମାନଙ୍କୁ ଚିଠି ଲେଖି ସମବେଦନା ଜଣାଇଥିଲେ ପିଏମ ମୋଦୀ । ସେହିଭଳି ବାଂଲାଦେଶ ନିର୍ବାଚନରେ ବିଲନପି ବିପୁଳ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ୍ ଯୋଗେ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।