ଆମକୁ ଟଏଲେଟ୍ ପେପର ଭଳି ବ୍ୟବହାର କରି ଫିଙ୍ଗିଦେଲା ଆମେରିକା...ସଂସଦରେ କହିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

NEWS7
youth-mrutadeha-found-in-telkoi

ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଜାତୀୟ ସଂସଦରେ ଆମେରିକାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଇସଲାମକୁ ରକ୍ଷା କରିବା ପାଇଁ ଆଫଗାନ ମାଟିରେ ଲଢ଼ାଯାଇଥିବା ଦୁଇଟି ଯୁଦ୍ଧରେ ଅଂଶଗ୍ରହଣ କରିନାହିଁ। ଆଫଗାନିସ୍ତାନ ଯୁଦ୍ଧରେ ଜିହାଦ ନାମରେ ପାକିସ୍ତାନର ଲୋକଙ୍କୁ ହତ୍ୟା କରାଯାଇଛି । ତଥାପି ପାକିସ୍ତାନ ଏଥିରୁ ଶିକ୍ଷା ନେଇନାହିଁ।

ସେ କହିଛନ୍ତି ଯେ, ପାକିସ୍ତାନ ଏହି ଯୁଦ୍ଧଗୁଡ଼ିକୁ ସମର୍ଥନ କରିବା ପାଇଁ ଏହାର ଶିକ୍ଷା ପାଠ୍ୟକ୍ରମରେ ପରିବର୍ତ୍ତନ ମଧ୍ୟ କରିଥିଲା । ଯାହା ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇନାହିଁ। ୧୯୯୯ ପରେ, ପାକିସ୍ତାନ ଆମେରିକାର ସମର୍ଥନ ପାଇବା ପାଇଁ ପୁନର୍ବାର ଯୁଦ୍ଧରେ ଯୋଗ ଦେଇଥିଲା । ଏଥିପାଇଁ ଆମେ ବହୁ ମୂଲ୍ୟ ଦେଇଛୁ। ସେ ଏହି ନିଷ୍ପତ୍ତି ପାଇଁ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଜିଆ-ଉଲ-ହକ୍ ଏବଂ ଜେନେରାଲ ପରଭେଜ ମୁଶାରଫଙ୍କୁ ସମାଲୋଚନା କରି କହିଛନ୍ତି ଯେ, ପାକିସ୍ତାନକୁ ଟଏଲେଟ୍ ପେପର ପରି ବ୍ୟବହାର କରାଯାଇଥିଲା। ଟଏଲେଟ୍ ପେପରଠାରୁ ମଧ୍ୟ ଖରାପ । ତା'ପରେ ଫିଙ୍ଗି ଦିଆଯାଇଥିଲା।

ଖ୍ବାଜା ଆସିଫ୍ କହିଛନ୍ତି ଯେ, ଏହି ଭୁଲ ନିଷ୍ପତ୍ତି ପାକିସ୍ତାନକୁ ଅନ୍ୟମାନଙ୍କ ଯୁଦ୍ଧରେ ଏକ ମୋହରା ଭାବରେ ଠିଆ କରିଥିଲା। ୧୯୮୦ ଦଶକରେ ଆଫଗାନିସ୍ତାନରେ ରୁଷ ବିରୁଦ୍ଧରେ ଏକ ବିଦ୍ରୋହ ହୋଇଥିଲା । ଯାହାକୁ ଆମେରିକା ସଂଗଠିତ କରିଥିଲା। ସେହି ସମୟରେ, ତତ୍କାଳୀନ ପାକିସ୍ତାନ ସରକାରଙ୍କୁ ଆମେରିକୀୟ ସମର୍ଥନର ଆବଶ୍ୟକତା ଥିଲା । ତେଣୁ ଆମେ ଏଥିରେ ଆମର ଲୋକମାନଙ୍କୁ ସାମିଲ କରିଥିଲୁ । ଯାହା ଏକ ବଡ଼ ଭୁଲ ଥିଲା।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ତାଲିବାନୀମାନେ ରୁଷ ବିରୁଦ୍ଧରେ ଯେଉଁ ଯୁଦ୍ଧ ଆରମ୍ଭ କରିଥିଲେ ତାହାକୁ ଜିହାଦ କୁହାଯାଉଥିଲା। ଏହା ଜିହାଦ ନଥିଲା, କାରଣ ରୁଷ ଆଫଗାନିସ୍ତାନ ଦଖଲ କରିନଥିଲା। ଏହି ଯୁଦ୍ଧରେ ପାକିସ୍ତାନ ଯୋଗଦେବାର କୌଣସି ଯଥାର୍ଥତା ନଥିଲା ।’ ସେ ଆହୁରି ମଧ୍ୟ କହିଛନ୍ତି, ଆମେ ୨୦୦୧ ମସିହାରେ ଆମେରିକା ପାଇଁ ତାଲିବାନ ବିରୁଦ୍ଧରେ ଯାଇଥିଲୁ। ସେମାନେ (ଆମେରିକା) ଚାଲିଯାଇଥିଲେ, କିନ୍ତୁ ଆମେ ଏବେ ବି ପରିଣାମ ଭୋଗୁଛୁ। ଏହି କ୍ଷତିର ଭରଣା କେବେ ବି ହୋଇପାରିବ ନାହିଁ ।