ଭାରତ ବିରୋଧରେ ଏବେ ଜୋ ବାଇଡେନଙ୍କ ପ୍ଲାନ କାର୍ଯ୍ୟକାରୀ କରୁଛନ୍ତି ଟ୍ରମ୍ପ

NEWS7
youth-mruta-in-electric-shock-in-chandabali

ନୂଆଦିଲ୍ଲୀ ୧୮।୧୨: ଆମେରିକା-ଭାରତ ସମ୍ପର୍କରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକୀୟ ବିଦେଶ ନୀତି ବିଶେଷଜ୍ଞ ରଷ୍ଟ କୋହଲେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ଭାରତ ବିରୋଧୀ ନୀତି ଜୋ ବାଇଡେନଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା ଓ ରାଷ୍ଟ୍ରପତି ଟ୍ରମ୍ପ ଏବେ ଏହାକୁ ତ୍ୱରାନ୍ୱୀତ କରୁଛନ୍ତି। ଭାରତକୁ ତୃତୀୟ ମହାଶକ୍ତିରେ ପରିଣତ ହେବାକୁ ନଦେବା ଏବେ ୱାସିଂଟନରେ ସାଧାରଣ ଧାରଣାରେ ପରିବର୍ତ୍ତିତ ହୋଇଛି। ଏଣୁ ଆମେରିକା ଏବେ ପଡୋଶୀ ଦେଶଙ୍କ ସହ ଭାରତର ସମ୍ପର୍କକୁ ପ୍ରଭାବିତ କରିପାରେ।

ରଷ୍ଟ କୋହଲେଙ୍କ ଅନୁସାରେ ୨୦୨୪ରୁ ଭାରତ-ଆମେରିକା ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥିଲା। ଏଥିରେ ଟ୍ରମ୍ପ ପୁଣି କ୍ଷମତାକୁ ଆସିଲେ ସମ୍ପର୍କର ସୁଧାର ହେବ ବୋଲି ଭାରତ ଆଶା ବାନ୍ଧିଥିବା ବେଳେ ଏବେ ତାହା ଓଲଟା ହୋଇଛି। ଟ୍ରମ୍ପ ଭାରତ ବିରୋଧରେ ନା କେବଳ ବାଇଡେନଙ୍କ ନୀତିଗୁଡିକୁ ଜାରି ରଖିଛନ୍ତି ବରଂ ଏହାକୁ ତ୍ୱରାନ୍ୱୀତ କରୁଛନ୍ତି। ପାକିସ୍ତାନ, ବାଂଲାଦେଶ, ମିଆଁମାର ଓ ମାଲଦୀପରେ ଆମେରିକାର ବଢୁଥିବା ପ୍ରଭାବ ଏହି ରଣନୀତିର ଅଂଶବିଶେଷ।

ରଷ୍ଟ କୋହଲେ କହିଛନ୍ତି ଯେ ଆମେରିକା ୨୦୨୩ ପର୍ଯ୍ୟନ୍ତ ଭାରତର ସମର୍ଥନ କରିଆସୁଥିଲା ଓ ଆଶା କରୁଥିଲା ଚୀନ ବିରୋଧରେ ଭାରତ ଆମେରିକାକୁ ସାଥ ଦେବ। ହେଲେ ୨୦୨୪ରେ ଧୈର୍ଯ୍ୟ ଜବାବ ଦେଇଦେଲା। ବାଂଲାଦେଶ, ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଓ ଆଦାନୀ ସମ୍ପର୍କିତ ବିବାଦ ପ୍ରସଙ୍ଗରେ ବାଇଡେନ ପ୍ରଶାସନ ଭାରତ ହୀତ ବିରୋଧରେ କାମ କରିଥିଲା। ଭାରତ ଏହାକୁ ମୋଦିଙ୍କୁ ଦୁର୍ବଳ କରିବାର ପ୍ରୟାସ ମନେ କରିଥିଲା ଓ ଆଶା କରୁଥିଲା ଟ୍ରମ୍ପ ରାଷ୍ଟ୍ରପତି ହେଲେ ପୁଣି ସବୁ ଠିକ୍ ହୋଇଯିବ। ହେଲେ ଟ୍ରମ୍ପ ଏହି ନୀତିକୁ ଦୁଇଗୁଣା ଅଧିକ ଜୋର କରିଦେଇଛନ୍ତି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ନିକଟ ଭବିଷ୍ୟରେ ପଡୋଶୀ ଦେଶଙ୍କ ସହ ଭାରତର ସମ୍ପର୍କ ଆହୁରି ଖରାପ ହୋଇପାରେ। ୱାସିଂଟନର ବିଚାର ହେଉଛି ଯଦି ଆମେରିକାର ସାଥ ଛାଡି ଭାରତ ତୃତୀୟ ଧ୍ରୁବ ହେବାକୁ ଚାହିଁବ ତେବେ ଆମେରିକା ତାର ଉତ୍ଥାନରେ କୌଣସି ସହଯୋଗ କରିବ ନାହିଁ। ଅପରପଟେ ଚୀନ ସହ ମିଶି ଭାରତର ଉନ୍ନତି ପଥକୁ ରୋକିବ। ରଷ୍ଟ କୋହଲେଙ୍କ ଅନୁସାରେ ଭାରତ ନିକଟରେ ଋଷିଆ ଭଳି ମଜଭୁତ ସହଯୋଗୀ ମଧ୍ୟ ନାହାନ୍ତି। ଋଷିଆ ନିଜର ନିକଟତମ ସହଯୋଗୀ ଆର୍ମେନିୟାକୁ ଆଜରବାଇଜାନ ଓ ଇରାନକୁ ଇସ୍ରାଏଲଠାରୁ ରକ୍ଷା କରିପାରି ନାହିଁ। ଏଣୁ ଭାରତକୁ ଆମେରିକା ସହିତ ବୁଝାମଣା କରିବାକୁ ହିଁ ପଡିବ ଓ ଟ୍ରମ୍ପଙ୍କ ସହିତ କାମ କରିବା ପାଇଁ ରାସ୍ତା ବାହାର କରିବାକୁ ହିଁ ପଡିବ।

କୋହଲେଙ୍କ ବିଚାର ହେଉଛି ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତକୁ ନିଜର ମହତ୍ୱାକାଙକ୍ଷା ଚପାଇ ରଖିବାକୁ ପଡିବ, ଯେପରି ଚୀନ୍ କରିଥିଲା। ଯେବେ ଚୀନ ଭାରତ ସ୍ଥିତିରେ ଥିଲା ସେ କେବେବି ଖୋଲାଖୋଲି ମହାଶକ୍ତି ହେବ ବୋଲି କହୁନଥିଲା, ବରଂ ଚୁପଚାପ ବିକାଶ କଲା ଓ ନିଜର ମୁଖ୍ୟ ବିରୋଧୀ ସହ ମିଶି ଆଗକୁ ବଢିଲା। ଭାରତକୁ ମଧ୍ୟ ଏବେ ଏହି ରଣନୀତି ଆପଣାଇବାକୁ ପଡିବ।

ଏଥି ମଧ୍ୟରେ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କ ଆମେରିକା ଗସ୍ତରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ ଭାରତ ଓ ପାକିସ୍ତାନ ସହିତ ଆମେରିକାର ସମ୍ପର୍କ ଅପରିବର୍ତ୍ତିତ ରହିଛି। ଆମେରିକା ବିଦେଶ ବିଭାଗ ମୁଖପାତ୍ର ଟ୍ୟାମୀ ବ୍ରୁଶ କହିଛନ୍ତି ଯେ କୂଟନୀତି ଦୁଇ ଦେଶଙ୍କ ଲାଗି ସଂକଳ୍ପବଦ୍ଧ। ଏହି ବୟାନ ସେତେବେଳେ ଆସିଥିଲା ଯେତେବେଳେ ମୁନିରଙ୍କ ପରମାଣୁ ଧମକ ଉପରେ ପ୍ରଶ୍ନ କରାଯାଇଥିଲା।