Spain: ଏମିତି ଭୁଲ କଲେ ଯେ ଚାଲିଗଲା ଭାଇର ଜୀବନ, ୭୦ ବର୍ଷ ତଳର ଘଟଣା ମନେ ପକାଇଲେ ରାଜା

NEWS7
youth-hanging-dead-body-found-from-jcb-machine-in-kendrapara

ନୂଆଦିଲ୍ଲୀ: ସ୍ପେନର ପୂର୍ବତନ ରାଜା ଜୁଆନ କାର୍ଲୋସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ନିଜ ଭାଇଙ୍କୁ ଭୁଲବଶତଃ ଗୁଳି କରି ହତ୍ୟା କରିବାର ସତୁରି ବର୍ଷ ପରେ ପ୍ରଥମ ଥର ପାଇଁ ସେ ଏହି ଘଟଣା ଉପରେ କହିଛନ୍ତି । ୧୯୫୬, ମାର୍ଚ୍ଚରେ ଜୁଆନ୍ କାର୍ଲୋସ୍ ତାଙ୍କ ସାନ ଭାଇ ଆଲଫୋନ୍ସୋଙ୍କ ମୁଣ୍ଡକୁ ଗୁଳି କରିଥିଲେ । ରାଜପରିବାର ପର୍ତ୍ତୁଗାଲରେ ନିର୍ବାସିତ ଥିବା ସମୟରେ ଏହି ଘଟଣା ଘଟିଥିଲା । ସେତେବେଳେ ଦୁଇ ଭାଇଙ୍କ ବୟସ ଯଥାକ୍ରମେ ୧୮ ଏବଂ ୧୪ ବର୍ଷ ଥିଲା ।

ଏହି ଘଟଣାଟି ସ୍ପେନରେ ବହୁତ ଜଣାଶୁଣା, କିନ୍ତୁ ପୂର୍ବତନ ରାଜା ଏହାକୁ କେବେବି ପ୍ରତ୍ୟକ୍ଷ ଭାବରେ କହି ନଥିଲେ ।ସେହି ସମୟରେ ପର୍ତ୍ତୁଗାଲରେ ଥିବା ସ୍ପାନିସ୍ ଦୂତାବାସ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଥିଲା, "ଗତକାଲି ସନ୍ଧ୍ୟାରେ ମହାମହିମ ଇନଫାଣ୍ଟେ ଆଲଫୋନ୍ସୋ ତାଙ୍କ ଭାଇଙ୍କ ସହିତ ଏକ ରିଭଲଭର ସଫା କରୁଥିବା ସମୟରେ ଏକ ଗୁଳି ତାଙ୍କ କପାଳରେ ବାଜିଥିଲା ଏବଂ କିଛି ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା ।"

ବୁଧବାର ଜୁଆନ କାର୍ଲୋସ "Reconciliation" ଶୀର୍ଷକରେ ପ୍ରକାଶିତ ପୁସ୍ତକରେ ଘଟଣାର ଏକ ଭିନ୍ନ ଚିତ୍ର ପ୍ରଦାନ ଦେଇଛନ୍ତି । ୮୭ ବର୍ଷୀୟ ଜୁଆନ ଲେଖିଛନ୍ତି, ସେ ଏବଂ ତାଙ୍କ ଭାଇ "ଏକ .୨୨ କ୍ୟାଲିବର ପିସ୍ତଲ ସହିତ ଖେଳି ମଜା କରୁଥିଲେ । ଚାମ୍ବରରେ ଗୋଟିଏ ଗୁଳି ଥିବା ଜାଣିପାରି ନଥିଲେ । ଗୋଟିଏ ଗୁଳି ଫୁଟିଲା, ଗୁଳିଟି ମୋ ଭାଇର କପାଳରେ ବାଜିଲା । ସେ ମୋ ବାପାଙ୍କ କୋଳରେ ମୃତ୍ୟୁବରଣ କଲେ ।"

ସେ ଆହୁରି ଲେଖିଛନ୍ତି, ଆଜି ମଧ୍ୟ ମୋ ପାଇଁ ଏହା ଉପରେ କଥା ହେବା ମୋ ପାଇଁ କଷ୍ଟକର । କିନ୍ତୁ ମୁଁ ପ୍ରତିଦିନ ସେହି କଥାକୁ ଭାବେ । ଜୁଆନ କାର୍ଲୋସ ୧୯୭୫ ମସିହାରେ ରାଜା ହୋଇଥିଲେ । ସ୍ପେନର ଗଣତନ୍ତ୍ର ଫେରିବା ଓ ଏକ ସାମରିକ ବିଦ୍ରୋହକୁ ପ୍ରତିହତ କରିବା ପରେ ଦଶନ୍ଧି ଧରି ତାଙ୍କୁ ଜାତୀୟ ତ୍ରାଣକର୍ତ୍ତା ଭାବରେ ବିବେଚନା କରାଯାଇଥିଲା । ସେ ୨୦୧୪ରେ ତାଙ୍କ ପୁଅ ରାଜା ଫେଲିପ୍ ଷଷ୍ଠଙ୍କ ସପକ୍ଷରେ ଇସ୍ତଫା ଦେଇଥିଲେ ଏବଂ ପରେ ସ୍ପେନ ଛାଡି ୟୁଏଇ ଚାଲି ଯାଇଥିଲେ ।