ଶାଶୁ ଦେଇଥିବା ସୁନା ଚୁଡ଼ି ଫେରାଇଲେ, ଛାଡ଼ପତ୍ରରେ ଟଙ୍କାଟିଏ ମାଗିଲେନି ପତ୍ନୀ; ବିରଳ ମାମଲା କହି ପ୍ରଶଂସା କଲେ ସୁପ୍ରିମକୋର୍ଟ

NEWS7
youth-dead-body-found-who-missing-from-yesterday-in-angul

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଗୁରୁବାର ଏକ ଛାଡପତ୍ର ମାମଲାର ଶୁଣାଣିରେ ହୋଇଛି । ଶୁଣାଣି ସମୟରେ, ପାରସ୍ପରିକ ସମ୍ମତିରେ ଛାଡପତ୍ର ମାମଲା ଦାୟର କରିଥିବା ଜଣେ ମହିଳାଙ୍କୁ ସୁପ୍ରିମକୋର୍ଟ ପ୍ରଶଂସା କରିଥିଲେ । ଛାଡପତ୍ର ଆବେଦନ କରିଥିବା ମହିଳା ଜଣକ କୌଣସି ଭରଣପୋଷଣ ଦାବି କରିନଥିଲେ । କେବଳ ଏତିକି ନୁହେଁ, ମହିଳା ଜଣକ ତାଙ୍କ ଶାଶୁଙ୍କଠାରୁ ବିବାହ ସମୟରେ ଉପହାର ପାଇଥିବା ସୁନା ଚୁଡ଼ିକୁ ମଧ୍ୟ ଫେରାଇ ଦେଇଥିଲେ । ମାମଲାର ଶୁଣାଣି କରୁଥିବା ବିଚାରପତି ମହିଳାଙ୍କ ଏଭଳି ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଲାଇଭ୍ ଲ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଏହା ମଧ୍ୟ କହିଥିଲେ ଯେ ଏହା ଏକ "ବିରଳ ବୁଝାମଣା" କାରଣ ପତ୍ନୀ କୌଣସି ଟଙ୍କା ଦାବି କରି ନଥିଲେ । ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଶୁଣାଣି ଆରମ୍ଭରେ, ମହିଳାଙ୍କ ଓକିଲ କହିଥିଲେ ଯେ ସେ କୌଣସି ଭରଣପୋଷଣ କିମ୍ବା ଅନ୍ୟାନ୍ୟ ଆର୍ଥିକ କ୍ଷତିପୂରଣ ମାଗି ନାହାନ୍ତି । ଯେତେବେଳେ କୋର୍ଟକୁ ଜଣାଗଲା ଯେ କେବଳ ଚୁଡ଼ି ଫେରାଇବା ବାକି ଅଛି, ଖଣ୍ଡପୀଠ ଭାବି ଥିଲେ ଯେ ପତ୍ନୀ ତାଙ୍କ ସ୍ତ୍ରୀଧନ ଫେରାଇବାକୁ ଦାବି କରୁଛନ୍ତି । କିନ୍ତୁ ପତ୍ନୀଙ୍କ ଓକିଲ ତୁରନ୍ତ ଏହାର ପ୍ରତିବାଦ କରି କହିଥିଲେ ଯେ ବିବାହ ସମୟରେ ଉପହାରରେ ପାଇଥିବା ଅଳଙ୍କାର ମହିଳା ଜଣକ ଫେରସ୍ତ କରୁଛନ୍ତି ।

ଜଷ୍ଟିସ୍ ପାରଦିୱାଲା ଏହା ଉପରେ କହିଥିଲେ କୋର୍ଟ ଦେଖିଥିବା ଏହା ଏକ ଅତ୍ୟନ୍ତ ବିରଳ ବୁଝାମଣା । କୋର୍ଟ ତାଙ୍କ ଆଦେଶରେ ଲେଖିଛନ୍ତି, "ଏହା ଆମେ ଦେଖିଥିବା ବିରଳ ବୁଝାମଣା ମଧ୍ୟରୁ ଗୋଟିଏ ଯେଉଁଠାରେ କିଛି ଦାବି କରାଯାଇ ନାହିଁ । ଏହା ବିପରୀତରେ, ପତ୍ନୀ ବିବାହ ଉପହାର ଭାବରେ ପାଇଥିବା ସୁନା ଚୁଡ଼ି ଫେରାଇ ଦେଇଛନ୍ତି । ଆମକୁ କୁହାଯାଇଛି ଯେ ଏହି ଚୁଡ଼ିଗୁଡ଼ିକ ସ୍ୱାମୀଙ୍କ ମାଆଙ୍କର ଥିଲା । ଆମେ ଏପରି ଭଲ କାମକୁ ପ୍ରଶଂସା କରୁଛୁ, ଯାହା ଆଜିକାଲି ବିରଳ ।"

ମହିଳା ଜଣକ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେବା ପରେ ଜଷ୍ଟିସ୍ ପାରଦିୱାଲା ତାଙ୍କୁ କହିଥିଲେ, "ଆମେ ଦେଖିଛୁ ଯେ ଏହା ବିରଳ ମାମଲା ମଧ୍ୟରୁ ଗୋଟିଏ ଯେଉଁଠାରେ କିଛି କାରବାର ହୋଇନାହିଁ । ଆମେ ଆପଣଙ୍କୁ ପ୍ରଶଂସା କରୁଛୁ । ଅତୀତକୁ ଭୁଲିଯାଅ ଏବଂ ଏକ ଖୁସି ଜୀବନ ବଞ୍ଚ ।" ତା'ପରେ କୋର୍ଟ ଚୂଡ଼ାନ୍ତ ନିର୍ଦ୍ଦେଶ ଦେଇ ଉଭୟ ପକ୍ଷଙ୍କୁ ଛାଡ଼ପତ୍ର ଅନୁମତି ଦେଇଥିଲେ ।