ପାକିସ୍ତାନର ପୂର୍ବତନ ISI ପ୍ରମୁଖ ଫୈଜ ହମିଦଙ୍କୁ ଜେଲ, ଥିଲେ ଇମ୍ରାନଙ୍କ ନିକଟତମ

NEWS7
young-man-drink-poison-then-arrived-at-the-police-station

ଇସ୍ଲାମାବାଦ ୧୧।୧୨: ପାକିସ୍ତାନର ଏକ ମିଲେଟ୍ରି କୋର୍ଟ ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ)ର ପୂର୍ବତନ ମୁଖ୍ୟ ଫୈଜ ହମିଦଙ୍କୁ ୧୪ ବର୍ଷ ଜେଲଦଣ୍ଡାଦେଶ କରିଛି। କୌଣସି ସିନିୟର ଇଣ୍ଟେଲିଜେନ୍ସୀ ଅଧିକାରୀଙ୍କ ବିରୋଧରେ ପାକିସ୍ତାନରେ ଏହାକୁ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ମନେ କରାଯାଉଛି। ଏହି ରାୟ ଦୀର୍ଘ ୧୫ ମାସ ଧରି ଫିଲ୍ଡ ଜେନେରାଲ କୋର୍ଟ ମାର୍ଶଲ (ଏଫଜିସିଏମ)ରେ ଚାଲିଥିବା ମାମଲା ପରେ ଆସିଛି, ଯାହା ପାକିସ୍ତାନ ଆର୍ମି ଆକ୍ଟ ଅନୁସାରେ ଚାଲିଥିଲା।

ଆଇଏସଆଇ ଇତିହାସରେ କୌଣସି ପୂର୍ବମୁଖ୍ୟଙ୍କୁ ଦଣ୍ଡିତ କରାଯିବାର ଏହା ପ୍ରଥମ ଘଟଣା। ଏହି ଦଣ୍ଡାଦେଶ ପାକିସ୍ତାନ ସେନା ଓ ରାଜନୀତିର ଜଟିଳ ସମ୍ପର୍କକୁ ଉଜାଗର କରିଛି। ଫୈଜ ହମିଦ ଯିଏ କେବେ ପାକିସ୍ତାନର ସବୁଠୁ ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସୀର ମୁଖ୍ୟ ଥିଲେ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିକଟମ ଭାବେ ଜଣାଯାଉଥିଲେ ଏବେ ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ଯାଇଛନ୍ତି। ଫୈଜ ହମିଦ ପାକିସ୍ତାନୀ ସେନାର ଜଣେ ଅନୁଭବୀ ଅଧିକାରୀ ଥିଲେ। ସେ ତାଙ୍କ କ୍ୟାରିୟର ଆରମ୍ଭରେ ପେଶାବରରେ କୋର କମାଣ୍ଡର ଭାବେ କାମ କରିଥିଲେ।

ତେବେ ଫୈଜାବାଦ ଧାରଣା ଶାନ୍ତିପୂର୍ବକ ଶେଷ କରାଇବା ଯୋଗୁ ୨୦୧୭ ମସିହାରେ ଫୈଜ ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ତହରିକ-ଏ-ଲବାକ ପାକିସ୍ତାନ ନେତାଙ୍କ ସହିତ ବାର୍ତ୍ତା ମାଧ୍ୟମରେ ଧାରଣା ସମାପ୍ତ କରିବାରେ ତାଙ୍କର ଉପାୟ ସୁପ୍ରିମକୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହା ପରେ ଆଇଏସଆଇ ଓ ଅନ୍ୟ ଏଜେନ୍ସୀଙ୍କୁ ତାଙ୍କ ଅଧୀନରେ ରଖାଯାଇଥିଲା। ଫୈଜ ହମିଦ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଆଇଏସଆଇର ମହାନିର୍ଦ୍ଦେଶକ (ଡିଜି) ଥିଲେ। ଏହା ତାଙ୍କର ସବୁଠୁ ପ୍ରଭାବଶାଳୀ ସମୟ ଥିଲା।

ଆଫଗାନିସ୍ତାନରୁ ଆମେରିକୀୟ ସେନାଙ୍କ ପ୍ରତ୍ୟାହାର ପରେ କାବୁଲର ଏକ ହୋଟେଲରେ ଚା ପିଉଥିବାର ତାଙ୍କ ଭିଡିଓ ଭାଇରାଲ ହୋଇଥିଲା, ଯାହା ତାଙ୍କର ବୈଶ୍ୱିକ ପହଞ୍ଚକୁ ଦର୍ଶାଇଥିଲା। ଏହି ସମୟରେ ସେ ପାକିସ୍ତାନର ଅନ୍ତରୀଣ ରାଜନୀତି ଓ ବିଦେଶ ନୀତିର ସେ କେନ୍ଦ୍ରରେ ଥିଲେ। ତାଙ୍କ ନିଯୁକ୍ତି ସେତେବେଳେ ହୋଇଥିଲା ଯେତେବେଳେ ତତ୍କାଳୀନ ଆଇଏସଆଇ ମୁଖ୍ୟ ଓ ଏବେକା ସେନାମୁଖ୍ୟ ଅସୀମ ମୁନିରଙ୍କୁ ହଟାଗଲା। ଅନୁମାନ କରାଯାଉଛି ମୁନିର ଇମରାନ ଖାନଙ୍କ ପତ୍ନୀ ବୁଶରା ବିବି ଓ ତାଙ୍କ ନିକଟତମ ଫରାହ ଗୋଗିଙ୍କ ବିରୋଧରେ ଭ୍ରଷ୍ଟାଚାରର ପ୍ରମାଣ ଉପସ୍ଥାପନ କରିଥିଲେ। ଏଣୁ ଇମ୍ରାନ ଖାନ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ।

୨୦୨୨ରେ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ରିଟାରମେଣ୍ଟ ପୂର୍ବରୁ ଖାନ କଥିତ ରୂପେ ଫୈଜ ହମିଦଙ୍କୁ ପରବର୍ତ୍ତି ସେନାମୁଖ୍ୟ କରିବାକୁ ଚାହୁଁଥିଲେ ତେବେ ଏପରି ହୋଇ ପାରିନଥିଲା। ପାକିସ୍ତାନ ଆର୍ମି ମୁଖପାତ୍ରଙ୍କ ଅନୁସାରେ ଏଫଜିସିଏମ ହମିଦଙ୍କୁ ୪ ମୁଖ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ରାଜନୈତିକ ଗତିବିଦ୍ଧିରେ ସାମିଲ ହେବା, ଅଧିକାରୀକ ଗୋପନୀୟତା ଅଧିନିୟମର ଉଲ୍ଲଂଘନ କରିବା, କ୍ଷମତା ଓ ସରକାରୀ ସଂସାଧନର ଦୂରୁପୋଯଗ କରିବା ଓ ଲୋକଙ୍କୁ ଅନୁଚିତ କ୍ଷତିରେ ପକାଇବା ପାଇଁ ଏଫଜିସିଏମ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏହି କୋର୍ଟ ମାର୍ଶଲ ୧୨ ଅଗଷ୍ଟ ୨୦୨୪ରେ ଆରମ୍ଭ ହୋଇଥିଲା ଓ ୧୫ ମାସ ଧରି ଚାଲିଥିଲା। ଆଇଏସପିଆରଙ୍କ ଅନୁସାରେ ଫୈଜ ହମିଦଙ୍କୁ ସମସ୍ତ ଆଇନଗତ ଅଧିକାର ଦିଆଯାଇଥିଲା। ଦଣ୍ଡାଦେଶ ୧୧ ଡିସେମ୍ବର ୨୦୨୫ରୁ ଲାଗୁ ହୋଇଛି। ତେବେ ତାଙ୍କର ଅପିଲ ଅଧିକାର କାୟମ ରହିଛି। ସୁରକ୍ଷା ସମୀକ୍ଷକ ସୟଦ ମୁହମଦ ଅଲ୍ଲୀ ଙ୍କ ଅନୁସାରେ ଏହି ନିଷ୍ପତ୍ତି ସେନାର ବାର୍ତ୍ତାକୁ ସ୍ପଷ୍ଟ କରୁଛି। କୌଣସି ଅଧିକାରୀ ଯେତେ ଉଚ୍ଚ ପଦପଦବୀରେ ଥାଆନ୍ତୁନା କାହିଁକି ରାଜନୀତିରେ ଦଖଲ ଦେବେ ନାହିଁ। ହମିଦଙ୍କ ମାମଲା ବାକି ରିଟାୟାର୍ଡ ଅଧିକାରୀଙ୍କ ଲାଗି ଏବେ ଉଦାହରଣ ପାଲଟିଛି।