ନେହରୁଙ୍କ ଚିନ୍ତାଧାରାକୁ ମୂଳପୋଛ କରିବା ବିଜେପିର ଲକ୍ଷ୍ୟ: ସୋନିଆ ଗାନ୍ଧୀ

NEWS7
you-can-become-lakhpati-by-selling-this-2-rupee-coin-online

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକୁ ଯେଉଁ ମାନସିକତା ପୂର୍ବରୁ ପ୍ରୋତ୍ସାହିତ କରିଥିଲା, ତାହା ଏବେ ପ୍ରତିଷ୍ଠାନରେ ବ୍ୟାପିଯାଇଛି। ମୋଦି ସରକାରଙ୍କ ଚିନ୍ତାଧାରା କଥା କହି ପ୍ରବଳ ବର୍ଷିଛନ୍ତି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ଅଭିଯୋଗ କରିଛନ୍ତି ଯେ ଏହି ଚିନ୍ତାଧାରାର ଅନୁଗାମୀମାନେ କେବଳ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମହିମା ମଣ୍ଡନ କରନ୍ତି ନାହିଁ ବରଂ ଭାରତର ମୂଳ ମୂଲ୍ୟବୋଧ, ସମ୍ବିଧାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଦୁର୍ବଳ କରିବାକୁ ଚେଷ୍ଟା କରନ୍ତି।

ରାଜଧାନୀ ଦିଲ୍ଲୀର ଜବାହାର ଭବନରେ ନେହେରୁ ସେଣ୍ଟର ଇଣ୍ଡିଆର ଶୁଭାରମ୍ଭ ଅବସରରେ ସିପିପି ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି ଏହି ଚିନ୍ତାଧାରା କେବଳ ଇତିହାସକୁ ବିକୃତ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଅତୀତରେ ଏହା ଦ୍ୱାରା ପ୍ରୋତ୍ସାହିତ ଘୃଣା ମହାତ୍ମା ଗାନ୍ଧୀଙ୍କ ହତ୍ୟାର କାରଣ ହୋଇଛି। ସମାନ ଚିନ୍ତାଧାରାର ଅନୁଗାମୀମାନେ ଆଜି "ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମହିମାମଣ୍ଡନ କରନ୍ତି। ଶାସକ ଦଳର ଲକ୍ଷ୍ୟ ହେଉଛି ନେହରୁଙ୍କୁ ବଦନାମ କରିବା। ଏହା ସେହି ବିଚାରଧାରା ଯାହା ଘୃଣାର ପରିବେଶ ସୃଷ୍ଟି କରିଥିଲା, ଯାହା ମହାତ୍ମା ଗାନ୍ଧୀଙ୍କ ହତ୍ୟାର କାରଣ ହୋଇଥିଲା।

ସୋନିଆ ଗାନ୍ଧୀ କହିଥିଲେ ଯେ ଏହି ବିଚାରଧାରା କେବଳ ସ୍ୱାଧୀନତା ସଂଗ୍ରାମରୁ ଦୂରରେ ରହିଲା ନାହିଁ, ବରଂ ସମ୍ବିଧାନ ନିର୍ମାଣରେ ମଧ୍ୟ କୌଣସି ଭୂମିକା ଗ୍ରହଣ କରିନାହିଁ। ଯେଉଁମାନଙ୍କର ବିଚାରଧାରା ସ୍ୱାଧୀନତା ସଂଗ୍ରାମରେ କୌଣସି ଅବଦାନ ରଖିନାହିଁ ସେମାନେ ସମ୍ବିଧାନ ବିରୁଦ୍ଧରେ କାମ କରିଛନ୍ତି।

ସେ କହିଥିଲେ ଯେ ନେହେରୁଙ୍କ ପ୍ରତିଛବି, ଭୂମିକା ଏବଂ ଐତିହ୍ୟକୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ଏବଂ ବ୍ୟବସ୍ଥିତ ଅଭିଯାନ ଚାଲିଛି। ସେ କହିଥିଲେ ଯେ ଏହି ସମାନ ମାନସିକତା ଏବେ ଇତିହାସ ପୁନଃଲିଖନ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ସେ ଆହୁରି କହିଛନ୍ତି ଯେ ନେହେରୁଙ୍କୁ ବଦନାମ କରିବାର ମୁଖ୍ୟ ଉଦ୍ଦେଶ୍ୟ କେବଳ ତାଙ୍କୁ ଇତିହାସରୁ ଲିଭାଇ ଦେବା ନୁହେଁ, ବରଂ ଆମ ଜାତି ଯେଉଁ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ଭିତ୍ତିଭୂମି ଉପରେ ଠିଆ ହୋଇଛି ତାହାକୁ ନଷ୍ଟ କରିବା। ଦେଶର ଆତ୍ମାକୁ ରକ୍ଷା କରିବାର ଏବେ ସମୟ ବୋଲି କହିଛନ୍ତି ସୋନିଆ।