ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୯ ମୃତ : ପ୍ରତିଶୋଧ ନେବ ତାଲିବାନ !

NEWS7
wtc-final-kohli-can-seal-this-playing-11-of-aakash-chopra

ଲାହୋର, ୨୨/୦୨ : ପାକିସ୍ତାନର ବଡ ଆକ୍ରମଣ । ଆଫଗାନିସ୍ତାନ ସୀମାରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏଥିରେ ୧୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆଫଗାନ୍ ସୀମା ପାଖରେ ଥିବା କିଛି ଆତଙ୍କବାଦୀ କ୍ୟାମ୍ପରେ ଏୟାରଷ୍ଟ୍ରାଇକ୍ କରାଯାଇଥିବା ପାକ୍ ଦାବି କରିଛି ।

ପାକ୍ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାର ଆକ୍ରମଣ ବାବଦରେ ନିଜ ସୋସିଆଲ ମିଡିଆ ପେଜ୍ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପାକ୍ ସେନା ତେହରିକ୍-ଏ-ତାଲିବାନ-ପାକିସ୍ତାନ ଏବଂ ଏହାର କିଛି ସହଯୋଗୀ ସଙ୍ଗଠନର ୭ଟି କ୍ୟାମ୍ପରେ ଆକ୍ରମଣ କରିଛି । ଏଠାରେ କିଛି ଟପ୍ ଆତଙ୍କବାଦୀ ଲୁଚିଥିବା ବାବଦରେ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାସହ ଇସଲାମିକ୍ ଷ୍ଟେଟ୍ ,ସହ ଜଡିତ ଅନ୍ୟ ଏକ ସଙ୍ଗଠନ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନ୍ୟ ଦିଗରେ ପ୍ରକୃତରେ କେଉଁ ଜାଗାରେ ଆକ୍ରମଣ ହୋଇଛି ତାହା ପାକ୍ ପ୍ରକାଶ କରିନାହିଁ । କେବଳ ଆଫଗାନିସ୍ତାନ ଭିତରେ ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ଆଫଗାନ୍ ସରକାର ମଧ୍ୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ଅନେକ ମଦ୍ରାସା ଉପରେ ଆକ୍ରମଣ କରିଛି । ଯାହା ନିନ୍ଦନୀୟ । ଏଥିରେ ୧୯ ଜଣ ସାଧାରଣ ଲୋକେ ପ୍ରାଣ ହରାଇଛନ୍ତି । ଏହାର ପ୍ରତିଶୋଧ ନିଆଯିବ ବୋଲି ତାଲିବାନ ସରକାର ପ୍ରକାଶ କରିଛନ୍ତି ।

ଟୋଲୋ ନ୍ୟୁଜ ଅନୁସାରେ, ପାକିସ୍ତାନ ଏୟାରଫୋର୍ସ ଆଫଗାନିସ୍ତାନର ପକ୍ତିକା ପ୍ରାନ୍ତରେ ଥିବା ବରମଲ ଜିଲ୍ଲାରେ ଆକ୍ରମଣ କରିଛି । ଏଠାରେ ଥିବା କିଛି ଧାର୍ମିକ ମଦ୍ରାସାରେ ବୋମାମାଡ ହୋଇଛି । ପାକ୍ ଜେଟ୍ ନଙ୍ଗରହାର୍ ପ୍ରାନ୍ତର ଖୋଗୟାନୀ ଜିଲ୍ଲାରେ ଏୟାରଷ୍ଟ୍ରାଇକ୍ କରିଛନ୍ତି । ଖୋଗୟାନୀ ଏବଂ ଓ୍ୱହସୋଦ-ଗନୀ ଜିଲ୍ଲାର କିଛି ଜାଗାରେ ଏୟାରଷ୍ଟ୍ରାଇକ୍ କରାଯାଇଛି ।

ସୂଚନାଯୋଗ୍ୟ, ଏୟାରଷ୍ଟ୍ରାଇକ୍ ସେହି ସମୟରେ ହୋଇଛି ଯେତେବେଳେ ପାକ୍ ର ଖୈବର ପଖତୁନଖ୍ୱା ପ୍ରାନ୍ତରେ ଆତ୍ମଘାତୀ ଆକ୍ରମଣରେ ୧୧ ପାକ୍ ସୈନ୍ୟଙ୍କ ସମେତ ଜଣେ ଶିଶୁ ପ୍ରାଣ ହରାଇଥିଲେ । ଏହାସହ ବନ୍ନୁ ଜିଲ୍ଲାରେ ମଧ୍ୟ ଅନ୍ୟ ଏକ ଆତ୍ମଘାତୀ ଆକ୍ରମଣରେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ଦୁଇ ଜଣ ନିହତ ହୋଇଥିଲେ ।