LIVE TV

ଋଷିଆରେ ହଜିଗଲା ଓଡିଶାରୁ ଯାଇଥିବା ବାଜ ପକ୍ଷୀ, ୬୦୦୦ କିଲୋ ମିଟର ଉଡିବା ପରେ ସିଗନାଲ୍ ଫେଲ୍

NEWS7
wrestler-kunwarpal-singh-died-of-consuming-over-dose-of-power-boosting-medicine

ମସ୍କୋ, ୦୮|୧୧  :  ବାଜପକ୍ଷୀ  ଶରୀରରେ ଲାଗିଥିଲା ଟ୍ରାନ୍ସମିଟର୍ । ଯେଉଁଥିରେ ଥିଲା ଜିପିଏସ । ଯାହା ତାହାର ଗତିବିଧି ବାବଦରେ ଦେଉଥିଲା ତଥ୍ୟ । ୨୦୨୫ ଏପ୍ରିଲ ୩୦ରେ କେନ୍ଦ୍ରାପଡାରେ ବିଦେଶରୁ ଆସିଥିବା ଏହି ଫାଲକନ ବା ବାଜପକ୍ଷୀ ଉପରେ ନଜର ରଖୁଥିଲେ ବିଶେଷଜ୍ଞ। କିନ୍ତୁ ଋଷିଆରେ ପହଁଚିଲା ପରେ ଚଢେଇ ବାବଦରେ ଆଉ କିଛି ତଥ୍ୟ ନାହିଁ । ଟ୍ରାନ୍ସମିଟରରୁ ସିଗନାଲ ଆସୁନାହିଁ । ଅର୍ଥାତ ଟ୍ରାନ୍ସମିଟରଟି ହଜିଯାଇଥିବା ଅନୁମାନ କରାଯାଉଛି । ପ୍ରାୟ ୬୦୦୦ କିଲୋମିଟର ଉଡିବା ପରେ ଅଗଷ୍ଟ ମାସ ପରଠୁ ଚଢେଇ ବାବଦରେ କୌଣସି ତଥ୍ୟ ହାସଲ କରିପାରୁ ନାହାଁନ୍ତି ବିଶେଷଜ୍ଞ ।

ଦେରାଡୁନରେ ଅବସ୍ଥିତ ଓ୍ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବରିଷ୍ଠ ବୈଜ୍ଞାନିକ ସୁରେଶ କୁମାର କହିଛନ୍ତି ଯେ, ଚଢେଇକୁ ଚିଉଲୁଆନ-୨ ନାଁ ଦିଆଯାଇଥିଲା । ତା ଶରୀରରେ ଗତ ବର୍ଷ ନଭେମ୍ବରରେ ଏକ ଟ୍ରାନ୍ସମିଟର ଲଗାଯାଇଥିଲା । ମଣିପୁରରୁ ଟ୍ରାନ୍ସମିଟର ସହ ଯାତ୍ରା ଆରମ୍ଭ କରିଥିଲା ଫାଲକନ୍ । ସେତେବେଳକୁ ଏହା ୪୦ ହଜାର କିଲୋମିଟର ବୁଲି ସାରିଥିଲା ।

କିଛି ଦିନ ତଳେ ଏହା କଳାହାଣ୍ଡିର କର୍ଲାପାଟ ଜଙ୍ଗଲରେ ଦେଖାଦେଇଥିଲା । ସେତେବେଳକୁ ଏହା ଆଉ ୪ ହଜାର କିମି ଉଡି ସାରିଥିଲା । ମେ ୧ ତାରିଖରେ ଫୁଲବାଣୀ ଏବଂ ମେ ୨ରେ ଏହାକୁ ଢେଙ୍କାନାଳରେ ଠାବ କରାଯାଇଥିଲା । ଶେଷରେ  ଭିତରକନିକା ଜାତୀୟ ଉଦ୍ୟାନରେ କିଛି ଦିନ ରହିଥିଲା । ଏହାପରେ ଚଢେଇଟି ଚାଇନା, ମିଆଁମାର ସହ ଅନେକ ସମୁଦ୍ର ଉପରେ ଉଡିଥିଲା ।

୨୦ରୁ ଅଧିକ ଦେଶରେ ଉଡିବା ପରେ ଅଗଷ୍ଟ ମାସରେ ଏହା ଋଷିଆରେ ପହଁଚିଥିଲା । କିନ୍ତୁ ଅଗଷ୍ଟ ୧୮ରେ ଟ୍ରାନ୍ସମିଟର କାମ କରିନଥିଲା । କୌଣସି ତ୍ରୁଟି କାରଣରୁ ଏହା ଖରାପ ହୋଇଯାଇଥିବା ସୁରେଶ କୁମାର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ମାସମାସ ଧରି ତାଙ୍କ ଟିମ୍ ଫାଲକନ୍ ଉପରେ ନଜର ରଖିଥିଲା । ତାକୁ ଟ୍ରାକ୍ କରାଯାଉଥିଲା । ଏବେ ଆହୁରି ଅନେକ ବାଜ ପକ୍ଷୀ ବା ଫାଲକନ ମଣିପୁରରେ ପହଁଚିଛନ୍ତି । ଆଉ ତିନୋଟି ଚଢେଇଙ୍କ ଶରୀରରେ ଟ୍ରାନ୍ସମିଟର ଲଗାଯିବା ନେଇ ଯୋଜନା ରହିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚିଉଲୁଆନ-୨ ସହ ଗୁଆଙ୍ଗରାମ ନାଁରେ ଆଉ ଏକ ଫାଲକନ ଶରୀରରେ ଟ୍ରାନ୍ସମିଟଟର ଖଞ୍ଜା ଯାଇଥିଲା । ଫେବ୍ରୁଆରୀରେ ଏହା କେନିଆରେ ପହଁଚିବା ପରେ ଟ୍ରାନ୍ସମିଟର ଖରାପ ହୋଇଯାଇଥିଲା । ଫଳରେ ଆଉ ସିଗନାଲ ମିଳିନଥିଲା ।