ଶ୍ରୀମନ୍ଦିରରେ ଆଜିଠୁ ପହିଲି ଭୋଗ ନୀତି, ମକର ସଂକ୍ରାନ୍ତି ଯାଏଁ ଚାଲିବ

NEWS7
world-economy-will-be-in-a-slump-because-of-the-corona-says-un

ପୁରୀ ୧୬।୧୨: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏହି ନୀତି ଦୀର୍ଘ ଏକ ମାସ ଧରି ମାନେ ଆସନ୍ତା ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଚାଲୁ ରହିବ।

ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ଯାଇ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ଭୋର ୫ଟା ୩୦ ରୁ ୬ ଟା ମଧ୍ୟରେ ପହିଲି ଭୋଗ ପରେ କୋଠ ଭୋଗ ହୋଇ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦ୍ଵିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ସେହିପରି ଦିବା ପହୁଡ଼ ଓ ସନ୍ଧ୍ୟା ଆଳତୀ, ମଇଲମ, ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି, ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ତେବେ ନୀତି କାନ୍ତିକୁ ଦୃଷ୍ଟିରେ ରଖି ଦିବା ପହୁଡ଼ ନୀତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି।

ସେପଟେ ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯିବ। ଏହି ପହିଲି ଭୋଗରେ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ। ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯିବ। ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି।