ଘାରିଲା ବାଲେଶ୍ଵରର ପ୍ରଦୂଷଣ ଚିନ୍ତା ? କମିବ କେମିତି, ଲାଗୁ ହେଲା ନିୟମ

NEWS7
world-cop-13-meeting

ବାଲେଶ୍ଵର: ଦେଶର ସବୁଠୁ ପ୍ରଦୂଷଣ ସହର ତାଲିକାରେ ଓଡ଼ିଶାର ବାଲେଶ୍ଵର ସହରର ନାଁ ଯୋଡ଼ି ହୋଇ ଯାଇଛି। ବାୟୁ ପ୍ରଦୂଷଣରେ ଦେଶର ରାଜଧାନୀ ଦିଲ୍ଲୀକୁ ବି ଟପି ଯାଉଛି ବାଲେଶ୍ଵର। ଏହା ସହରବାସୀଙ୍କ ସହ ଜିଲ୍ଲା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। କେମିତି କମିବ ପ୍ରଦୂଷଣ ? ବାଲେଶ୍ଵର ଜିଲ୍ଲାରେ ବର୍ତ୍ତମାନ ପ୍ରଦୂଷିତ ବାୟୁର ମାତ୍ରାକୁ କେମିତି କମ କରାଯିବ ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

GRAP ଷ୍ଟେଜ୍–II ମାର୍ଗଦର୍ଶିକା ଅନୁସାରେ, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା–୧୬୩ ଅନୁଯାୟୀ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ନିୟନ୍ତ୍ରଣାତ୍ମକ ପଦକ୍ଷେପ ଲାଗୁ କରାଯାଇଛି। ଏହି ଆଦେଶ ବାଲେଶ୍ଵର ପୌରପାଳିକା ଏବଂ ଅନ୍ୟ ଏନଏସି ଓ ମ୍ୟୁନିସିପାଲଟି (ULB) ଅଞ୍ଚଳରେ ଆଗାମୀ ୭ ଦିନ ଯାଏଁ ବଳବତ୍ତର ରହିବ। ଆବଶ୍ୟକ ପଡ଼ିଲେ ଏହାର ଅବଧି ବୃଦ୍ଧି ପାଇବ।

ଲାଗୁ ହୋଇଥିବା ପ୍ରମୁଖ ନିଷେଧାଜ୍ଞା 

ପ୍ରତିଦିନ ସନ୍ଧ୍ୟା ୬ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଷିଦ୍ଧ।

ପୌରପାଳିକା/ULB ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ (Earth Work) ସଂପୂର୍ଣ୍ଣ ଭାବେ ନିଷିଦ୍ଧ।

ପୌରପାଳିକା/ULB ଓ NHAI ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ।

ବାଲେଶ୍ୱର ସହର ଓ ଅନ୍ୟ ULB ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ।

ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଯେକୌଣସି ପ୍ରକାର ଖୋଲା ଅଗ୍ନି ସଂପୂର୍ଣ୍ଣ ନିଷିଦ୍ଧ।

ଉପଜିଲ୍ଲାପାଳ, ବାଲେଶ୍ଵର/ନୀଳଗିରି ଏବଂ ଆରଟିଓ, ବାଲେଶ୍ଵର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାୟ ଆଶ ଭରା ଟ୍ରକଗୁଡ଼ିକର ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ।

ବିନା ତର୍ପୋଲିନ ଟ୍ରକ ଗୁଡ଼ିକୁ NH-16, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ।

ଯଥୋଚିତ ଅନୁମତି ବିନା କୌଣସି ଇଟ୍ଭଟ୍ଟା (Brick Kiln Unit) ଚାଲିବ ନାହିଁ। NHAI ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ଛିଟାକୁ ସୁନିଶ୍ଚିତ କରିବେ।

ଆପାତକାଳୀନ ଦୃଷ୍ଟିରେ ଏହି ଆଦେଶ BNSS ଧାରା–୧୬୩(୨) ଅନୁଯାୟୀ ଜାରି କରାଯାଇଛି। ପୋଲିସ, ପୌରପାଳିକା/ULB, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡ଼ାକଡ଼ି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରାଯିବ।

ଜିଲ୍ଲା ପ୍ରଶାସନ ସମସ୍ତ ନାଗରିକ, ବ୍ୟବସାୟୀ ଓ ସଂପୃକ୍ତ ସଂସ୍ଥାମାନଙ୍କୁ ସାଧାରଣ ହିତ ଓ ସ୍ଵାସ୍ଥ୍ୟ ସୁରକ୍ଷା ପାଇଁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛି।