LIVE TV

ଭାରତର ବଡ଼ ନିଷ୍ପତ୍ତି ! ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଚୀନ ସହ ଲିଙ୍କ୍ ସାଟେଲାଇଟ୍‌କୁ ନା, ଆତ୍ମନିର୍ଭର ଦିଗରେ ଅଗ୍ରସର ଭାରତ

NEWS7
women-alligation-agnist-her-husband-who-keep-unnatural-relation

ନୂଆଦିଲ୍ଲୀ: ଭାରତ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଏକ ବଡ ଓ କଠୋର ନିଷ୍ପତ୍ତି ନେଇଛନ୍ତି । ନୂଆଦିଲ୍ଲୀ ଏବେ ଚୀନ ସହ ଜଡ଼ିତ ସାଟେଲାଇଟର ଭାରତରେ ବ୍ୟବହାର ଉପରେ ରୋକ୍ ଲଗାଇବା ଆରମ୍ଭ କରିଛି । ଏହି ପଦକ୍ଷେପର ସିଧା ପ୍ରଭାବ ଦେଶରେ ଅନେକ ବ୍ରଡକାଷ୍ଟର୍ସ ଓ ଟେଲିପୋର୍ଟ ଅପରେଟର୍ସଙ୍କ ଉପରେ ପଡ଼ିବାକୁ ଯାଉଛି । ଏବେ ନିଜ ସେବା ଜାରି ରଖିବା ପାଇଁ ଅନ୍ୟ ସାଟେଲାଇଟ୍ ଆଡକୁ ଯିବା ଆରମ୍ଭ କରିଛନ୍ତି ।

ସରକାରଙ୍କ ଏହି ପଦକ୍ଷେପ ଭୂ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଦେଶର ସୁରକ୍ଷା ଭିତ୍ତିଭୂମିକୁ ମଜଭୁତ କରିବା ଉପରେ ନିଆଯାଇଛି । ଭାରତର ମହାକାଶ କ୍ଷେତ୍ରର ନିୟାମକ, ଇନ-ସ୍ପେସ୍ ଚୀନର Chinasat ଏବଂ ହଂକଂ ସ୍ଥିତ ApStar ବା AsiaSatର ପ୍ରସ୍ତାବକୁ ଖଣ୍ଡନ କରିଛି । ଏହି କମ୍ପାନିଗୁଡ଼ିକ ଭାରତୀୟ କମ୍ପାନିଗୁଡ଼ିକୁ ନିଜ ସାଟେଲାଇଟ୍ ସେବା ଦେବାକୁ ଚାହୁଁଥିଲେ । ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ସବୁଠୁ ଅଧିକ ଏସିଆସାଟ୍‌ର ଆଡ଼ୁଆ ବଢିଛି । ଏହି କମ୍ପାନି ଦେଶରେ ପ୍ରାୟ ୩୩ ବର୍ଷ ଧରି କାମ କରିଆସୁଛି । କମ୍ପାନିର କେବଳ ଦୁଇଟି ସାଟେଲାଇଟ୍ (ଏଏସ୍ ୫ ଓ ଏଏସ୍ ୭)କୁ ମାର୍ଚ୍ଚ ଯାଏ ମଞ୍ଜୁରି ମିଳିଛି । ଅନ୍ୟରଟେ ଏଏସ୍ ୬, ଏଏସ୍ ୮ ଓ ଏଏସ୍ ୯ ପରି ଅନ୍ୟ ସାଟେଲାଇଟର ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି ।

ଏହା ନିଷ୍ପତ୍ତିର ଅର୍ଥ ହେଉଛି JioStar ଓ Zee ପରି ବଡ଼ ବ୍ରଡକାଷ୍ଟର୍ସଙ୍କୁ ମାର୍ଚ୍ଚ ସୁଦ୍ଧା ଏଏସ୍ ୫ ଓ ଏଏସ୍ ୭କୁ ଛାଡ଼ି ଅନ୍ୟ ସାଟେଲାଇଟକୁ ଶିଫ୍ଟ ହେବାକୁ ପଡ଼ିବ । ଖବର ଅନୁସାରେ ସେବା ଯେପରି ବାଧାପ୍ରାପ୍ତ ନହେବ, ସେଥିପାଇଁ  କମ୍ପାନିଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । Zee ନିଜ ସେବାଗୁଡ଼ିକୁ ଜିସାଟ୍-୩୦, ଜିସାଟ୍-୧୭ ଏବଂ ଇଣ୍ଟେଲସାଟ୍-୨୦ ପରି ସାଟେଲାଇଟକୁ ନେଇସାରିଛି ।

ଟିଭି9 ହିନ୍ଦୀ ଡଟ୍ କମ୍ ଅନୁସାରେ ଏସିଆସାଟ୍ ଭାରତରେ ନିଜ ସେବା ଜାରି ରଖିବା ପାଇଁ ନିୟାମକ ସହ ଲଗାତାର ଆଲୋଚନା କରୁଛି । ଭାରତରେ ଏସିଆସାଟର ସହଭାଗୀ କମ୍ପାନି ଇନର୍ବିଟ ସ୍ପେସର ଏମଡି ରାଜଦୀପସିଂହ ଗୋହିଲ କହିଛନ୍ତି ଯେ IN-SPACeର ଶୀର୍ଷ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ବହୁ ପର୍ଯ୍ୟାୟର ଆଲୋଚନା ହୋଇଛି । ସେ ଏହା ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଯେ ୩୩ ବର୍ଷ ଧରି ଭାରତରେ ସେବା ପ୍ରଦାନ କରିବା ଓ ସମସ୍ତ ନିୟମ ପାଳନ କରିବା ସତ୍ତ୍ୱେ, ଦୀର୍ଘ ମିଆଦି ମଞ୍ଜୁରି କାହିଁକି ଦିଆଯାଉ ନାହିଁ । ତାଙ୍କ ଅନୁସାରେ, ନିୟାମକ ଏବେ ସୁଦ୍ଧା ଏହାର କୌଣସି ସ୍ପଷ୍ଟ କାରଣ କହି ନାହିଁ ।

ଏହି ପୂରା ମାମଲା ମହାକାଶ କ୍ଷେତ୍ରରେ ହେଉଥିବା ଏକ ବଡ଼ ନିୟାମକ ପରିବର୍ତ୍ତନର ଅଂଶ ଅଟେ । ନୂଆ ନିୟମ ଅଧିନରେ ଏବେ ସବୁ ବିଦେଶୀ ସାଟେଲାଇଟକୁ ଭାରତରେ କାମ କରିବା ପାଇଁ IN-SPACeର ମଞ୍ଜୁରି ନେବାକୁ ପଡ଼ିବ । ଇଣ୍ଟେଲସାଟ୍, ଷ୍ଟାରଲିଙ୍କ, ୱାନୱେବ ଓ ଇନମାରସାଟ୍ ପରି ଅନ୍ୟ ବିଦେଶୀ କମ୍ପାନିକୁ ମଞ୍ଜୁରି ମିଳିଥିବା ବେଳେ ଚୀନ ସହ ଲିଙ୍କ ଥିବା କମ୍ପାନିଗୁଡ଼ିକୁ ବାହାର ରାସ୍ତା ଦେଖାଯାଇଛି । ଅଧିକାରୀଙ୍କ କହିବା କଥା, ପୂର୍ବରୁ ଭାରତ ପାଖରେ ସାଟେଲାଇଟ୍ କ୍ଷମତା କମ ଥିଲା, ଯେଉଁ କାରଣରୁ ଚୀନ ଲିଙ୍କ୍ ଥିବା ସାଟେଲାଇଟକୁ ମଞ୍ଜୁରି ଦେବାକୁ ପଡ଼ୁଥିଲା । କିନ୍ତୁ ଏବେ ଜିସାଟ୍ ଯୋଗୁ ଘରୋଇ କ୍ଷମତା ପର୍ଯ୍ୟାପ୍ତ ଅଛି । ସରକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ମହାକାଶ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆତ୍ମନିର୍ଭର ଉପରେ ଜୋର ଦେଉଛନ୍ତି । ୨୦୩୩ ସୁଦ୍ଧା ନିଜ ମହାକାଶ ଅର୍ଥବ୍ୟବସ୍ଥାକୁ ୪ ବିଲିୟନ ଡଲାର ଯାଏ ପହଞ୍ଚାଇବାକୁ ଭାରତ ଲକ୍ଷ୍ୟ ରଖିଛି ।