୩୦ ବର୍ଷ ପରେ ଦିଲ୍ଲୀରେ ପୁଣି ଆରମ୍ଭ ହେବ ଦୁଇ ଥାକିଆ ବସ୍, ଜାଣନ୍ତୁ ନୂଆ ଫିଚର୍ସ

NEWS7
woman-be-headed-deadbody-found-at-forest-of-keonjhar

ନୂଆଦିଲ୍ଲୀ ୧୩।୧୨: ରାଜଧାନୀ ଦିଲ୍ଲୀରେ ପ୍ରାୟ ୩୦ ବର୍ଷ ପରେ ପୁଣି ଗଡିବ ଦୁଇ ଥାକିଆ (ଡବଲ ଡେକର) ବସ୍। ଏଥି ପାଇଁ ଘୋଷଣା ହୋଇଛି। ଜାତୀୟ ରାଜଧାନୀରେ ଏବେ ଏହି ବସ୍ କେବଳ ଯାତ୍ରାର ସାଧନ ନୁହେଁ ବରଂ ସହରର ଟୁରିଷ୍ଟ ଆକର୍ଷଣ ଭାବେ ଗଡିବ। ନୂଆ ଡବଲଡେକର ବସ୍ ରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଥିବା ବେଳେ ଏହା ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ବସ୍। ଏହି ବସ୍ ଗୁଡିକୁ ଅଶୋକ ଲେଲ୍ୟାଣ୍ଡ ତାର ସିଏସଆରରେ ନିର୍ମାଣ କରିଛି।

ବସ୍ ରେ ୬୦ରୁ ଅଧିକ ଯାତ୍ରୀଙ୍କ ବସିବାର ସୁବିଧା ରହିଛି। ଏହାର ଉଚ୍ଚତା ୪.୭୫ ମିଟର। ବସ୍ ର ବାହାର ପଟେ ଦିଲ୍ଲୀର ପ୍ରମୁଖ ଦର୍ଶନୀୟ ସ୍ଥାନର ଚିତ୍ର ରହିବ। ନୂଆ ଡବଲ ଡେକର ବସ୍ ଯାତ୍ରୀଙ୍କୁ ରାଜଧାନୀ ଦିଲ୍ଲୀର ପର୍ଯ୍ୟଟନ ସ୍ଥଳ ବୁଲାଇବ। ଏହାର ଯାତ୍ରା ପ୍ରଧାନମନ୍ତ୍ରୀ ମ୍ୟୁଜିୟମରୁ ଆରମ୍ଭ ହୋଇ ଭାରତ ମଣ୍ଡପମ, ନ୍ୟାସନାଲ ୱାର ମେମୋରିୟାଲ, ନୂଆ ସଂସଦ ଭବନ, ଦିଲ୍ଲୀ ହାଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥଳକୁ ଜାରି ରହିବ। ବସ୍ ରେ ଜଣେ ଗାଇଡ ମଧ୍ୟ ରହିବେ ଓ ସେ ଦିଲ୍ଲୀର ବିଭିନ୍ନ ସ୍ଥାନର ଇତିହାସ ନେଇ ରୋଚକ କଥା କହିବେ।

ଏକଦା ଡବଲ ଡେକର ବସ୍ ଦିଲ୍ଲୀରେ ‘ସୁବିଧା ବସ୍’ ଭାବେ ଜଣାଶୁଣା ଥିଲା। ୧୯୭୦ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଲାଲ ରଙ୍ଗର ଏହି ଦୁଇ ମହଲା ବସ୍ ପିଲା ଓ ବଡଙ୍କ ରୋମାଞ୍ଚଭରା ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଉପର ମହଲାରେ ବସି ଯାତ୍ରା କରିବାକୁ ସ୍ମରଣୀୟ ମନେ କରାଯାଉଥିଲା। ସମୟ ସହିତ ଏହି ବସ୍ ଗୁଡିର ରକ୍ଷଣାବେକ୍ଷଣା କଷ୍ଟକର ହୋଇପଡିଥିଲା। ଏଣୁ ଧିରେ ଧିରେ ଦୁଇ ଥାକିଆ ବସ୍ ଦିଲ୍ଲୀ ସଡକରୁ ଉଭାନ ହୋଇଯାଇଥିଲା।

ଏବେ ନୂଆ ଡବଲ ଡେକର ବସ୍ ଆସିବା ଯୋଗୁ ଜାତୀୟ ରାଜଧାନୀରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ସେହିପରି ଲୋକେ ଆଧୁନିକ, ସୁରକ୍ଷିତ ଓ ରୋଚକ ଅନୁଭବ ସହିତ ଦିଲ୍ଲୀ ଦର୍ଶନର ଆନନ୍ଦ ଉଠାଇ ପାରିବେ। ଏହି ବସ୍ ରେ ଦିଲ୍ଲୀ ବୁଲିବା ପାଇଁ ବୟଷ୍କଙ୍କ ନିମନ୍ତେ ୫୦୦ ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିବା ବେଳେ ୬ରୁ ୧୨ ବର୍ଷର ପିଲାଙ୍କ ନିମନ୍ତେ ୩୦୦ ଟଙ୍କା ଧାର୍ଯ୍ୟ ହୋଇଛି।