ଗୁରୁବାରଠୁ ସ୍ବାଭାବିକ ହେବ ଧାନ ସଂଗ୍ରହ : ସରକାର-ମିଲର ସଂଘ ଆଲୋଚନା ସଫଳ, ଚାଷୀଙ୍କ ମୁହଁରେ ହସ

NEWS7
wife-murder-to-her-husband-with-the-help-of-lover

ଭୁବନେଶ୍ବର ୭।୧: ଗୁରୁବାର ଠାରୁ ସ୍ୱାଭାବିକ ହେବ ଧାନ ସଂଗ୍ରହ ପ୍ରକ୍ରିୟା । ସରକାର ଓ ମିଲର୍ସ ସଂଘ ମଧ୍ୟରେ ଆଲୋଚନା ସଫଳ ହୋଇଛି । ୩ ଦିନ ପରେ ଧାନ ସଂଗ୍ରହ କରିବେ ମିଲର । ୪ ଦଫା ଦାବି ନେଇ ସମଗ୍ର ରାଜ୍ୟରେ ମିଲର ସଙ୍ଘ ଆନ୍ଦୋଳନ ଡାକରା ଦେଇଥିଲା । ତେବେ ସରକାର ଦାବି ଗୁଡିକ ମଧ୍ୟରୁ ଗୋଟେ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଛନ୍ତି ମିଲର୍ସ ସଂଘ ।

କଷ୍ଟମ୍ ମିଲିଂ ଚାର୍ଜ ବଢ଼ାଇବା ସହିତ ଚାଉଳ ପରିବହନ ବାବଦ ଖର୍ଚ୍ଚ ବୃଦ୍ଧି କରିବା, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି କରିବାକୁ ଦାବି ରହିଥିଲା । ସରକାର ସେମାନଙ୍କ ଦାବି ମାନିଥିବା ସତ୍ତ୍ବେ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସଂଘ ନିଜ ଜିଦରେ ଅଟଳ ରହିଥିଲା । ଯୋଗାଣ ମନ୍ତ୍ରୀ ଗଣମାଧ୍ୟମ ଆଗରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଥିବା କହିବା ପରେ ମଧ୍ୟ ସଂଘ ଲିଖିତ ପ୍ରତିଶ୍ରୁତିକୁ ଅପେକ୍ଷା କରିଥିଲେ । ୪ ଦଫା ଦାବି ମଧ୍ୟରୁ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦାବିକୁ ସରକାର ମାନି ନେଇଛନ୍ତି ଏବଂ ପରିବହନ ବାବଦ ଖର୍ଚ୍ଚ ନେଇ ସରକାର ତର୍ଜମା କରିବାକୁ ୧୫ ଦିନ ସମୟ ମାଗିଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଗୁରୁବାର ଠାରୁ ଧାନ ସଂଗ୍ରହ ଆରମ୍ଭ କରିବେ ।

ମିଲର୍ସ ସଂଘର ଆନ୍ଦୋଳନ ପାଇଁ ତିନି ଦିନ ଧରି ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିଛି । ଚାଷୀ ଧାନ ଧରି ମଣ୍ଡିରେ ମୁଣ୍ଡରେ ହାତ ଦେଇ ବସିଛି । ୧୯ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି କିନ୍ତୁ ବାକି ୧୧ ଜିଲ୍ଲାରେ ଆସନ୍ତା ୧୦ ତାରିଖରେ ଧାନ କିଣା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୯ଟି ଜିଲ୍ଲାରେ ଆଜି ସୁଦ୍ଧା ୩ ଲକ୍ଷ ୧୫ ହଜାର ୪୩୧ ଚାଷୀଙ୍କ ଠାରୁ ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଏଥିମଧ୍ୟରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର ମାନେ ଉଠାଇଛନ୍ତି । ଏ ବାବଦରେ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଶଂ ଦିଆଯାଇଛି ।

ସରକାର ମିଲର୍ସ ସଂଘର ଗୋଟିଏ ଦାବିକୁ ଯଦିଓ ମାନି ନେଇଛନ୍ତି କିନ୍ତୁ ଆଉ ତିନୋଟି ଦାବି ନେଇ ୧୫ ଦିନ ସମୟ ମାଗିଛନ୍ତି । ୧୫ ଦିନ ଭିତରେ ସରକାର ଯଦି ଏହି ଦାବି ପୂରଣ ନକରନ୍ତି ତେବେ ବୈଠକ ପରେ ପରବର୍ତ୍ତୀ ନିଷ୍ପତି ସଂଘ ନେବ ବୋଲି ସୂଚନା ଦେଇଛି ।