ଆନ୍ଦୋଳନରୁ ଓହରିଲେ ପାଚିକା ଏବଂ ପ୍ରାଥମିକ ଶିକ୍ଷକ, ସରକାରଙ୍କୁ ଦେଲେ ୭ ଦିନର ମହଲତ

NEWS7
why-is-team-management-supporting-hardik-pandya-its-secret-is-hidden-on-the-pitches-of-dubai

ଭୁବନେଶ୍ୱର ୧୦।୧୨ : ଆନ୍ଦୋଳନ ସ୍ଥଗିତ । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ତରଫରୁ ୭ ଦଫା ଦାବି ନେଇ ଲୋୟର ପିଏମ୍‌ଜିରେ ଦୁଇ ଦିନ ଧରି ବିକ୍ଷୋଭ ସମାବେଶ ହୋଇଥିଲା । ଶିକ୍ଷା ବିଭାଗ ସଚିବ ତଥା କମିଶନର ଏନ୍‌ ତିରୁମାଲା ପାଚିକା ମହାସଂଘ ସହ ଆଲୋଚନା ପରେ ବିକ୍ଷୋଭ ସମାବେଶକୁ ସାମୟିକ ପାଇଁ ସ୍ଥଗିତ ରଖାଗଲା ବୋଲି ମହାସଂଘ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ସ୍ୱାଇଁ କହିଛନ୍ତି, ପାଚିକାଙ୍କ ନିଯୁକ୍ତିପତ୍ର ପାଇଁ ସରକାର ପଦକ୍ଷେପ ନିଅନ୍ତୁ । ମାସିକ ୧୩୮୬୦ ଟଙ୍କା ପ୍ରଦାନ କରନ୍ତୁ । ଅବସରକାଳୀନ ଭତ୍ତା ୧ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ସେ କହିଛନ୍ତି ।

ସେହିପରି ୫ ଦିନ ଧରି ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ ଆଲୋଚନା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ସେମାନଙ୍କ ମଧ୍ୟରେ ନିଷ୍ପତ୍ତି ସରିଥିଲା ସମସ୍ତେ ସମୂହ ଛୁଟିରେ ଯିବେ । ହେଲେ ସରକାରଙ୍କ ପକ୍ଷରୁ ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଧାରଣାସ୍ଥଳରେ ପହଞ୍ଚିଥିଲେ । ଶିକ୍ଷକଙ୍କ ଦାବି ପୂରଣ ନେଇ ସରକାର ସକାରାତ୍ମକ ଥିବା ସେମାନେ କହିଥିଲେ । ଏହାପରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଏଥିରେ ସହମତି ପ୍ରକାଶ କରିଥିଲେ । ବିଧାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନ୍ଦୋଳନସ୍ଥଳରୁ ଯିବା ପରେ ଶିକ୍ଷକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । କଥା କଟାକଟିଠୁ ଆରମ୍ଭ କରି ଠେଲାପେଲା ହୋଇଥିଲେ । ଆନ୍ଦୋଳନ ଅନୁମତି ନ ଥିବା ସତ୍ତ୍ଵେ ଉତ୍ତେଜନା ସୃଷ୍ଟି କରୁଥିବାରୁ ପୋଲିସ ସେମାନଙ୍କୁ ଘଉଡ଼ାଇଥିଲା । ଏହାପରେ ସମସ୍ତେ ଆନ୍ଦୋଳନସ୍ଥଳରୁ ପଳାଇଥିଲେ । ସଂଘର ପ୍ରମୁଖ ସଦସ୍ୟ ଏକ ହୋଟେଲରେ ବସି ଆଲୋଚନା କରିଥିଲେ । ଏହାପରେ କହିଥିଲେ, ଆନ୍ଦୋଳନକୁ ୭ ଦିନ ପାଇଁ ସ୍ଥଗିତ ରଖାଗଲା । ସରକାର ଯଦି ୭ ଦିନ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ ରାଜ୍ୟର ସମସ୍ତ ଶିକ୍ଷକ ସମୂହ ଛୁଟିରେ ଯିବେ ।