ଜନ୍ମଦିନର ପରଦିନ ହୃଦଘାତରେ ଚାଲିଗଲା ବିଜେପି ବିଧାୟକଙ୍କ ଜୀବନ

NEWS7
who-said-covid-infection-decrease-in-world-except-europe

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫରିଦପୁର ବିଧାୟକ ଡକ୍ଟର ଶ୍ୟାମ ବିହାରୀ ଲାଲଙ୍କ ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ବିଜେପି ବିଧାୟକଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶ୍ୟାମ ବିହାରୀ ଫରିଦପୁର ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇଥର ବିଧାୟକ ଥିଲେ। ସେ ଗୋଟିଏ ଦିନ ପୂର୍ବରୁ ତାଙ୍କ ଦଳୀୟ କର୍ମୀଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ।

ଫରିଦପୁରର ବିଜେପି ବିଧାୟକ ଶ୍ୟାମ ବିହାରୀ ଲାଲଙ୍କ ମୃତ୍ୟୁ ଖରବ ମିଳିବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରିପୋର୍ଟ ଅନୁଯାୟୀ, ଶ୍ୟାମ ବିହାରୀ ଲାଲ ଶୁକ୍ରବାର ଅପରାହ୍ନରେ ବରେଲିର ସର୍କିଟ ହାଉସରେ ଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଥିଲା ଏବଂ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଏବଂ ସହକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ତାଙ୍କୁ ତୁରନ୍ତ ସହରରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ, ପ୍ରାଣୀସମ୍ପଦ ମନ୍ତ୍ରୀ ଧରମପାଲ ସିଂହ ସେହି ସମୟରେ ସର୍କିଟ ହାଉସରେ SIR ସମ୍ପର୍କରେ ଏକ ବୈଠକ କରୁଥିଲେ । ଏହି ବୈଠକ ସମୟରେ ଶ୍ୟାମ ବିହାରୀ ଲାଲ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଅବସ୍ଥା ଖରାପ ହେଉଥିବା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ତାଙ୍କର ଦେହାନ୍ତ ହୋଇଯାଇଛି ।

ଡକ୍ଟର ଶ୍ୟାମ ବିହାରୀ ଲାଲ ଫରିଦପୁର ବିଧାନସଭା ଆସନରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ଜଣେ ସରଳ, ଭଦ୍ର ଏବଂ ଉଚ୍ଚ ଶିକ୍ଷିତ ନେତା ଭାବରେ ଜଣାଯାଉଥିଲେ। ତାଙ୍କ ପରଲୋକ କେବଳ ଫରିଦପୁର ଅଞ୍ଚଳ ପାଇଁ ନୁହେଁ ବରଂ ସମଗ୍ର ବରେଲି ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି । ଖବର ପାଇବା ପରେ ବିଜେପି ନେତା, ପ୍ରଶାସନିକ ଅଧିକାରୀ ଏବଂ ଶୁଭେଚ୍ଛୁମାନେ ହସ୍ପିଟାଲ ଓ ସର୍କିଟ ହାଉସରେ ଏକାଠି ହୋଇଥିଲେ। ଅନେକ ବରିଷ୍ଠ ନେତା ତାଙ୍କର ପରଲୋକ ଜନସେବା ଏବଂ ଶିକ୍ଷା କ୍ଷେତ୍ର ପାଇଁ ଏକ ବଡ଼ କ୍ଷତି ବୋଲି କହି ଗଭୀର ଶୋକ ପ୍ରକାଶ କରିଛନ୍ତି।