T 20 World Cup: ଇଶାନଙ୍କ ବିସ୍ଫୋରଣ ପରେ ବୋଲରଙ୍କ ଫିରକି, ପାକିସ୍ତାନକୁ ହରାଇ ସୁପର-୮ରେ ଭାରତ

NEWS7
who-is-in-a-dilemma-over-coronavirus-eventually-had-to-delete-tweet

କଲୋମ୍ବୋ: ଲାଗିଲା ହାଇଭୋଲଟେଜ୍ ମୁକାବିଲା ରୋମାଞ୍ଚକର ହେବ। କ୍ରିକେଟ୍ ପ୍ରେମୀଙ୍କୁ ଏକ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ମୁକାବିଲା ଦେଖିବାକୁ ମିଳିବ। ହେଲେ ମ୍ୟାଚକୁ ଭାରତ ଏକତରଫା ଭାବେ ଜିତି ନେଇଛି। ବିଜୟ ସହ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ସୁପର-୮ରେ ପ୍ରବେଶ କରିଛି। ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଶୋଚନୀୟ ଭାବେ ୬୧ ରନରେ ହରାଇଛି। ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି ଇଶାନ କିଶନ ଓ ଭାରତୀୟ ବୋଲର। ଇଶାନ କିଶନଙ୍କ ୭୭ ରନ ଏବଂ ବାକି ବ୍ୟାଟରଙ୍କ ଛୋଟ ଛୋଟ ଯୋଗଦାନ ବଳରେ ଭାରତ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନ ପକ୍ଷରୁ ଉସ୍ମାନ ଖାନ ୪୪ ରନ କରିଥିଲେ। ଟି-୨୦ ବିଶ୍ଵକପରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ରେକର୍ଡ ୮-୧ କୁ ବୃଦ୍ଧି କରିଛି।

୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରରେ ସାହିବଜାଦା ଫରହାନ(୦)ଙ୍କୁ ପାଭିଲିୟନ ପଠାଇଥିଲେ। ପୁଣି ଦ୍ଵିତୀୟ ଓଭର ବୋଲିଂ କରିଥିବା ଯଶପ୍ରୀତ ବୁମରା ପାକିସ୍ତାନକୁ ଡବଲ ଝଟକା ଦେଇଥିଲେ। ସାଇମ ଆୟୁବ(୬ ରନ) ଓ ଅଧିନାୟକ ସଲମାନ ଆଘା(୪ ରନ) ପାଭିଲିୟନ ଫେରିଥିଲେ। ନିଜର ଖରାପ ଫର୍ମ ବଜାୟ ରଖି ବାବର ଆଜମ(୫ ରନ) ଅକ୍ଷରଙ୍କ ବଲରେ ବୋଲ୍ଡ ହୋଇଥିଲେ। ୩୪ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ପାକିସ୍ତାନ। ଉସ୍ମାନ ଖାନଙ୍କୁ ବାଦ ଦେଲେ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଉସ୍ମାନ ୩୪ ବଲରୁ ୪୪ ରନ କରିଥିଲେ। ମହମ୍ମଦ ନଓ୍ଵାଜ ୪ ରନ ଫହୀମ ଅଶ୍ରଫ ୧୦ ରନ କରି ଆଉଟ୍ ହୋଇଥିଲେ। ଶେଷରେ ପାକିସ୍ତାନ ୧୧୪ ରନରେ ଅଲଆଉଟ୍ ହୋଇଛି। ଭାରତ ମ୍ୟାଚକୁ ୬୧ ରନରେ ଜିତି ନେଇଛି।

ଏହି ମ୍ୟାଚରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସ୍ପିନ ବୋଲିଂ ବିଭାଗ ଶାଣିତ ବୋଲିଂ କରିଥିଲେ। ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ଓ ତିଳକ ବର୍ମାଙ୍କୁ ଗୋଟିଏ ଗୋଟିଏ ଓ୍ଵିକେଟ୍ ମିଳିଛି।

ଭାରତୀୟ ଇନିଂସ ​​​​​​​

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଥମ ଓଭରରେ ହିଁ ଅଭିଷେକ ଶର୍ମା ଖାତା ଖୋଲି ପାରି ନ ଥିଲେ। ଏହା ପରେ ପାକିସ୍ତାନ ବୋଲରଙ୍କ ଉପରେ କାଉଣ୍ଟର ଆଟାକ୍ କରିଥିଲେ ଇଶାନ କିଶନ। ଆଉ ତାଙ୍କୁ ସହଯୋଗ ଦେଇଥିଲେ ତିଳକ ବର୍ମା। ଇଶାନ ବିସ୍ଫୋରକ ବ୍ୟାଟିଂ କରି ୨୭ ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଇଶାନ ଓ ତିଳକ ଦ୍ଵିତୀୟ ଓ୍ଵିକେଟରେ ୮୭ ରନ ଯୋଡ଼ି ଭାରତର ସ୍ଥିତି ମଜବୁତ କରିଥିଲେ। ତେବେ ଇଶାନ କିଶନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇଶାନ ୪୦ ବଲରୁ ୧୦ ଚୌକା ଓ ୩ ଛକା ସହ ୭୭ ରନ କରିଥିଲେ।

ଏହା ପରେ ଭାରତର ରନ ଗତି ଧିମା ପଡ଼ିଥିଲା। ଉସ୍ମାନ ତାରିକ ଭାରତୀୟ ବ୍ୟାଟରଙ୍କୁ ବଡ଼ ସଟ୍ ଖେଳିବାକୁ ଦେଇ ନ ଥିଲେ। ତିଳକ ବର୍ମା ୨୪ ବଲରୁ ୧୫ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲରେ ବଡ଼ ସଟ୍ ଖେଳିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ ହେଁ ମନ୍ଥର ପିଚ୍ ପାଇଁ ଦ୍ରୁତ ବ୍ୟାଟିଂ କରି ପାରି ନ ଥିଲେ। ଶିବମ ଦୁବେ ୧୭ ବଲରୁ ୨୭ ରନ କରିଥିଲେ। ରିଙ୍କୁ ସିଂ ୪ ବଲରୁ ୧୧ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୧୭୫ ରନ କରି ପାରିଥିଲା