ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ କମିଲା ଅଣ୍ଡାର ଦାମ୍, ଚିନ୍ତାରେ ବ୍ୟବସାୟୀ

NEWS7
whether-or-not-social-media-accounts-will-be-linked-to-aadhaar-hearing-in-supreme-court-in-january-2

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ସାରା ବିଶ୍ବକୁ ପ୍ରଭାବିତ କରିଛି। ଅଶୋଧିତ ତେଲଠାରୁ ଆରମ୍ଭ କରି ଚାଉଳ, ଗହମ ଆଦି ଉପରେ ଏହାର ପ୍ରଭାବ ପଡ଼ିଛି। ଯୁଦ୍ଧ ଯୋଗୁ ରପ୍ତାନୀରେ ବାଧା ଉପୁଜିଥିବାରୁ ବନ୍ଦରମାନଙ୍କରେ ଏହିସବୁ ସାମଗ୍ରୀ ଅଟକି ରହିଛି। ଯାହାକୁ ନେଇ ଚିନ୍ତାରେ ଉଦ୍ୟୋଗୀ। ଏହାରି ମଧ୍ୟରେ ଯୁଦ୍ଧର ପ୍ରଭାବ ପଡ଼ିଛି ଭାରତର ଅଣ୍ଡା ଉଦ୍ୟୋଗ ଉପରେ।

ରିପୋର୍ଟ ଅନୁସାରେ, ହାଇଦ୍ରାବାଦରେ ଏବେ ଅଣ୍ଡାର ମୂଲ୍ୟ କମିଛି। ଗତ ତିନି ଦିନରେ ସହରରେ ଦ୍ରୁତଗତିରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି। କାରଣ ଯୁଦ୍ଧ ଯୋଗୁ ଅଣ୍ଡା ରପ୍ତାନୀ ହୋଇପାରୁନାହିଁ। ପ୍ରକୃତରେ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆକୁ ଅଣ୍ଡା ରପ୍ତାନୀ ହୋଇପାରୁନାହିଁ। କାରଣ ପଶ୍ଚିମ ଏସିଆର ଅନେକ ଗୁରୁତ୍ବପୂର୍ଣ୍ଣ ବନ୍ଦର ଏବଂ ବିମାନବନ୍ଦରରେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ଆହୁରି ପୁଣି ଅନେକ ରୁଟ୍ରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି।

ଫଳରେ ଭାରତର ଅନେକ ରାଜ୍ୟରୁ ହେଉଥିବା କୁକଡ଼ା ଅଣ୍ଡା ରପ୍ତାନୀରେ ବାଧା ସୃଷ୍ଟି ହୋଇଛି। ଏମିତିରେ ବଡ଼ ଆକାରରେ ରପ୍ତାନୀ ହେଉଥିବା ଅଣ୍ଡା ଏବେ ସ୍ଥାନୀୟ ମାର୍କେଟକୁ ପଠାଯାଉଛି। ଫଳରେ ଆବଶ୍ୟକତା ଠାରୁ ଅଧିକ ଅଣ୍ଡା ଯୋଗୁ ହାଇଦ୍ରାବାଦ ଭଳି ସହରରେ ଦାମ୍ କମିଛି।

ସେପଟେ ପୋଲ୍ଟ୍ରି ଉଦ୍ୟୋଗୁଡ଼ିକ ଆଗକୁ ବଡ଼ କ୍ଷତିର ଆଶଙ୍କା କରି ଏବେ ଚିନ୍ତାରେ। ବିଶେଷଜ୍ଞଙ୍କ ମତରେ ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ଲଜିଷ୍ଟିକ୍ ଏବଂ ବାଣିଜ୍ୟିକ ମାର୍ଗ ପ୍ରଭାବିତ ହୋଇଛି। ଫଳରେ ଅନେକ କ୍ଷେତ୍ରରେ ରପ୍ତାନୀ ପ୍ରଭାବିତ ହୋଇଛି। ବର୍ତ୍ତମାନ ଜାତୀୟ ଅଣ୍ଡା ସମନ୍ବୟ କମିଟି (NECC) ଅନୁସାରେ, ଅଣ୍ଡା ଦାମ୍ ହ୍ରାସ ପାଇ ପ୍ରତି ଅଣ୍ଡା ମୂଲ୍ୟ ୪.୨୦ ଟଙ୍କା ହୋଇଛି। କିଛି ସ୍ଥାନରେ ରପ୍ତାନୀ ହୋଇନପାରିବାରୁ ଦାମ୍ ଖସି ୩.୩୦ ଟଙ୍କାରେ ପହଞ୍ଚିଛି। ସାଧାରଣତଃ ଖରାଦିନେ ଅଣ୍ଡାର ଚାହିଦା କମିଯାଏ। ଫଳରେ ଦାମରେ ଋତୁକାଳୀନ ହ୍ରାସ ହୋଇଥାଏ। ଅବଶ୍ୟ କୁକୁଡ଼ା ଚାଷୀଙ୍କ କହିବା କଥା ଏଥର ଦାମ ହ୍ରାସ ସାମାନ୍ୟ ଠାରୁ ଅଧିକ ଦ୍ରୁତ।