ରାଜଧାନୀ ବାର୍‌ରେ ଅଗ୍ନିକାଣ୍ଡ ପରେ ସଜାଗ୍‌, ସେପଟେ ବାର୍‌ରେ ଚଢଉ ପୂର୍ବରୁ ଖବର ଲିକ୍

NEWS7
whatsapp-users-who-dont-accept-privacy-policy-may-lead-to-account-delete

ଭୁବନେଶ୍ୱର ୧୫/୧୨: ରାଜଧାନୀର ବାର୍ । ରାତି ହେଲେ ଜମେ ରଙ୍ଗୀନ ଆସର । ରାତି ତମାମ ଚାଲେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ବାରମ୍ୱାର ବାର୍‌ରେ ନିଆଁ ଲାଗିବା ପରେ ଆକ୍ସନକୁ ଅବକାରୀ ବିଭାଗ । ଏହାରି ଭିତରେ ରବିବାର ଚଢଉ କରିଥିଲା ଅବକାରୀ ବିଭାଗ । ହେଲେ ଆଶ୍ଚର୍ଯ୍ୟର କଥା ଚଢ଼ଉ ପୂର୍ବରୁ ଲିକ୍ ହୋଇଯାିଥିଲା ଖବର । ଶେଷରେ ଖାଲି ହାତରେ ଫେରିଥିଲା ଅବକାରୀ ବିଭାଗ । ଏମିତିକି କାହାକୁ ଜରିମାନାଟିଏ ବି କରିପାରିନଥିଲେ ।

ଏଠି ପ୍ରଶ୍ନ ଉଠୁଛି ଖବର ଲିକ୍ କଲା କିଏ? ବିଭାଗରେ ଚାଲିଛି ତର୍ଜମା । କଣ ବିଭାଗ ଭିତରେ କିଏ ବିଭୀଷଣ ଅଛି ? ଏମିତି ଅନେକ ପ୍ରଶ୍ନର ଛାନିିଭନ୍ ଚାଲିଛି ।ଗୁରୁବାର ଓ ସୋମବାରକୁ ଛାଡିଲେ ସବୁଦିନ ଭୋର ୪ ଟା ପର୍ଯ୍ୟନ୍ତ ବାର୍ ଓ ପବ୍‌ରେ ଜମେ ମଦର ଆସର । କିଛି ବାର୍ ମାଲିକ ବେଆଇନ ଭାବେ ଅଶ୍ଳୀଳ ନୃତ୍ୟ ବି କରାନ୍ତି । ଖାଲି ସେତିକି ନୁହେଁ ଜଳିଯାଇଥିବା ‘ନୋ ଲିମିଟ୍ ଏୟାର’ ଭଳି ଅନ୍ୟ କିଛି ରେସ୍ତୋରାଁ ଏବେ ବି ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି । ଏ ବିଷୟରେ ପୋଲିସ୍ ଓ ଅବକାରୀ ବିଭାଗର ସବୁ ଜାଣିଥିଲେ । ହେଲେ କେହି କିଛି କାର୍ଯ୍ୟାନୁଷ୍ଠାନ ନେଉ ନଥିଲେ ।

ନୋ ଲିମିଟ୍‌ରେ ଲାଗିଥିବା ନିଆଁ ଲିଭାଇବା ସମୟରେ ସେଠାରୁ ଏକ ଡାଏରୀ ମିଳିଥିଲା । ସେଥିରେ ପୋଲିସ୍, ଅବକାରୀ ଓ ବିଏମ୍ସିର ଚରିତ୍ର ପଞ୍ଜିକା ଲିପିବଦ୍ଧ ଥିଲା । କିଏ କେତେ ମାସିକିଆ ବଟି ନିଅନ୍ତି, ତାର ହିସାବ ସଂପୃକ୍ତ ବିଭାଗ ଗୁଡ଼ିକର ମୁଖା ଖୋଲି ଦେଇଥିଲା । ବିଳମ୍ବିତ ରାତି ବା ରାତିସାରା ବାର ବା ପବ ଖୋଲା ରହିବା ପଛର କାରଣ ଏଥିରୁ ସ୍ପଷ୍ଟ ହୋଇଥିଲା ।

ଶନିବାର ରାତିରେ ସହରରେ ଥିବା ସବୁ ବାର୍ ଓ ପବ୍‌ରେ ଦୁଇ ଗୁଣା ଭିଡ ହୁଏ । ରବିବାର ମଧ୍ୟ ସବୁ ବାର ଓ ପବରେ ଖଚାଖଚ ଭିଡ଼ ଥିଲା । ଅବକାରୀ ଅଧିକାରୀମାନେ ଯୋଜନା କରିଥିଲେ ଚଢ଼ଉ କରି ମୋଟା ଅଙ୍କର ଫାଇନ୍ ଆଦାୟ କରିବା ପାଇଁ । ଏଥିପାଇଁ ୭ଟି ଟିମ ଗଠନ କରାଯାଇଥିଲା । ପ୍ରାୟ ୩୦ଟି ଜାଗାରେ ପଞ୍ଝା ମାରିଥିଲା ଅବକାରୀ ବିଭାଗର ଏହି ୭ ଟିମ୍ । ହେଲେ ବିଭାଗର ଯୋଜନା ଫସର ଫାଟି ଯାଇଥିଲା । ସବୁ ଜାଗାରୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ସେଦିନ ସୁନାପିଲା ଭଳି ଅବକାରୀ ବିଭାଗର ସବୁ ଗାଇଡ୍ଲାଇନ୍‌କୁ ମାନିଥିଲେ ବାର୍ ଓ ପବ୍ ମାଲିକମାନେ ।

କିଛି ମାଲିକ ତ ସମୟ ପୂର୍ବରୁ ଦୋକାନ ବନ୍ଦ କରି ଦେଇଥିଲେ ।ବିଭିନ୍ନ ବାର ଓ ପବରୁ ଖାଲି ହାତରେ ଫେରିବା ପରେ କିଛି ବରିଷ୍ଠ ଅଧିକାରୀ ଔଷଧ ବିକଳରେ ତାଟିଆ କାମୁଡ଼ିଥିଲେ । ଚନ୍ଦ୍ରଶେଖପୁରର ଏକ ବାରରୁ ମଦ ପିଇ ଘରକୁ ଯାଉଥିବା କିଛି ନିଶାଡିଙ୍କୁ ତାଗିଦ୍ କରିବା ଆରମ୍ଭ କରିଥିଲେ । ୪ ଜଣ ନିଶାଡି ସାଦା ପୋଷାକରେ ଥିବା ଅବକାରୀ ଅଧିକାରୀଙ୍କୁ ଜାଣି ନପାରି ମାଡ଼ ମାରିଥିଲେ । ଏନେଇ ଥାନାରେ ଏତଲା ଦେଇଥିଲେ ଅବକାରୀ ଏସ୍ଆଇ ପ୍ରଫୁଲ୍ଲ କୁମାର ଗୁରୁ । ପୋଲିସ୍ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଥିଲା ।

ଦୁଇ ଦିନ ତଳେ ସତ୍ୟବିହାର ଠାରେ ‘ନୋ ଲିମିଟ ଏୟାର'ରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ବିନା ଲାଇସେନ୍ସରେ ସେଠାରେ ମଦ ବିକ୍ରି ହେଉଥିବା ଜଣାପଡ଼ିଥିଲେ ହେଁ, ‘ଅନୁମତି ଦିଆଯାଇ ନଥିଲା’ ବୋଲି ଅବକାରୀ ବିଭାଗ ସଫେଇ ଦେଇଥିଲା । ଏବେ ଅବକାରୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି ।

ହେଲେ ‘ନୋ ଲିମିଟ ଏୟାର' ବିରୋଧରେ କେହି ଥାନାରେ ଅଭିଯୋଗ କରି ନାହନ୍ତି କି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ଅଣ୍ଟା ଭିଡ଼ି ନାହାନ୍ତି । ଆଗକୁ ନୂଆ ବର୍ଷ ଆସୁଛି । କେବଳ ବାର କିମ୍ୱା ପବ୍ ନୁହେଁ, ବସ୍ତିରେ ଚେରାମଦ, ଢ଼ାବା ଗୁଡ଼ିକରେ ମଧ୍ୟ ନିଶା ସିଣ୍ଡିକେଟ ଧୁମ୍ ଚାଲିବ । ଏବେ ଠାରୁ ପୁଲିସ୍ ଓ ଅବକାରୀ ବିଭାଗର ଯଦି କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନ କରନ୍ତି ତା’ହେଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।