ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ DMDK ସହ ହେଲା ଶାସକ DMKର ମେଣ୍ଟ, NDAକୁ ଝଟକା

NEWS7
whatsapp-to-get-two-video-call-options-as-rooms-soon

ଚେନ୍ନାଇ ୧୯।୨: ତାମିଲନାଡୁରେ କ୍ଷମତାସୀନ ଦ୍ରବିଡ ମୁନେତ୍ର କଜଗମ (ଡିଏମକେ) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେସିୟା ମୁରପୋକ୍କୁ ଦ୍ରବିଡ କଜଗମ (ଡିଏମଡିକେ) ସହ ମେଣ୍ଟ ଘୋଷଣା କରିଛି। ଏହି ମେଣ୍ଟ ରାଜ୍ୟରେ ବିରୋଧୀ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଲାଗି ଏବେ ଝଟକା ମନେ କରାଯାଉଛି। ଡିଏମଡିକେ ନେତା ପ୍ରେମଲତା ବିଜୟକାନ୍ତ ଗୁରୁବାର ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କୁ ଭେଟିବା ପରେ ଏହି ମେଣ୍ଟ ନେଇ ପୁଷ୍ଟି କରିଛନ୍ତି।

ଏ ନେଇ ପ୍ରେମଲତା ସୋସିଆଲ ମିଡିଆରେ ଫଟୋ ସେୟାର କରିଥିବା ବେଳେ ଆମକୁ ମିଳିତ ଦ୍ରବିଡ ଶାସନ ପ୍ରଣାଳୀକୁ କାୟମ ରଖିବାକୁ ପଡିବ ବୋଲି ଉଲ୍ଲେଖ କରିଛନ୍ତି। ସେ ଏହା ବି କହିଛନ୍ତି ଯେ ଆସନ ଭାଗବଣ୍ଟା ସୂଚନା ପରେ ଦିଆଯିବ, ତେବେ ମେଣ୍ଟକୁ ୨୦୦ରୁ ଅଧିକ ଆସନ ମିଳିବ ବୋଲି ସେ ଅନୁମାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଡିଏମଡିକେକୁ ସ୍ୱାଗତ କରି ଏହାର ସଂସ୍ଥାପକ ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଓ ପ୍ରେମଲତାଙ୍କୁ କହିଛନ୍ତି ଯେ ଲାଲ ଓ କଳାପତାକା ମିଶି ତାମିଲନାଡୁର ପ୍ରଗତିକୁ ଆହୁରି ଆଗକୁ ନେଇଯିବେ।

ସେହିପରି ପ୍ରେମଲତା କହିଛନ୍ତି ଯେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଇଛା ଅନୁସାରେ ଏହି ମେଣ୍ଟ କରିଛି। ମେଣ୍ଟ ବହୁତ ଆଗରୁ ହେବାର ଥିଲା। ବିଜୟକାନ୍ତ ଜୀବିତାବସ୍ଥାରେ ଦୁଇ ଦଳଙ୍କ ମଧ୍ୟରେ ବୁଝାମଣା ହୋଇଯାଇଥିଲା। ତେବେ ଡିଏମଡିକେ ସହ ମେଣ୍ଟକୁ ଡିଏମକେ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଏବେ ମନେ କରାଯାଉଛି। କାରଣ ଡିଏମଡିକେ ୨୦୧୧ ମସିହାରୁ ଅଖିଳ ଭାରତୀୟ ଅନ୍ନା ଦ୍ରବିଡ ମୁନେତ୍ର କଜଗମ( ଏଆଇଡିଏମକେ)ର ଏକ ସହଯୋଗୀ ଦଳ ଭାବେ ରହିଆସିଛି।

ତିରୁଚିରାପଲ୍ଲୀ, ପଦୁକୋଟ୍ଟଇ ଆଖପାଖ ଓ ମଧ୍ୟ ଜିଲ୍ଲାରେ ଡିଏମଡିକେର ମଜଭୁତ ସମର୍ଥନ ରହିଛି। ୨୦୧୧ ମସିହାରେ ଏହି ଦଳ ୨୯ଟି ଆସନ ଜିତିଥିଲା ଓ ଏହାର ଭୋଟ ପ୍ରତିଶତ ୭.୯ ଥିଲା। ତେବେ ୨୦୧୬ ଓ ୨୦୨୧ରେ ଏହି ଦଳ ଗୋଟେ ବି ଆସନ ଜିତି ପାରିନଥିଲା। କୁଡାଲୋର ଜିଲ୍ଲାର ବିରୁଧାଚଲମ ଓ ଭିଲ୍ଲୁପୁରମର ଋଷିବନ୍ଦିୟମ, କଲ୍ଲକୁରୁଚୀ ଓ ଉଲନ୍ଦୁରପେଟ ଡିଏମଡିକେର ଗଡ଼ ଭାବେ ଜଣାଶୁଣା। ଏଥିରେ ଡିଏମକେ ୨୦୧୬ ମସିହାରୁ ଋଷିବନ୍ଦିୟମକୁ ହାତେଇ ନେଇଛି। ହେଲେ ବିରୁଦ୍ଧାଚଲମକୁ ଗତ ୩ ଦଶନ୍ଧୀ ହେଲା ହାତେଇ ପାରିନି।

ତେବେ ଏହି ମେଣ୍ଟ ଯୋଗୁ ଡିଏମକେ ମଜଭୁତ ହେବ ବୋଲି ଆଶା କରାଯାଉଛି। ଏହି ମେଣ୍ଟରେ କଂଗ୍ରେସ ମଧ୍ୟ ସାମିଲ ରହିଛି। ଏଣୁ ପ୍ରତିଦ୍ୱନ୍ଦ୍ୱୀ ଦଳଙ୍କ ଭୋଟ ସେୟାର କମିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏଆଇଡିଏମକେ ଏହି ମେଣ୍ଟକୁ ସମାଲୋଚନା କରିଛି। ପୂର୍ବତନ ଲୋକସଭା ସାଂସଦ ଓ ୪ ଥରର ବିଧାୟକ ଏସ.ସେମଲାଇ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ ବିଜୟ କାନ୍ତଙ୍କ ଆତ୍ମା କେବେ କ୍ଷମା କରିବ ନାହିଁ।

ଏହା ବି ପଢନ୍ତୁ:-ସଂଖ୍ୟାଲଘୁ ସାବଧାନ ! ଆଗକୁ ମିଳିବନି ୫% ସଂରକ୍ଷଣ, ହଟାଇ ଦେଲେ ଏହି ସରକାର