LIVE TV

ସୁନା ଉପରୁ ଟ୍ୟାକ୍ସ ରିହାତି ହଟାଇଲା ଚୀନ୍, ଏବେ ବଢିବ ଦର

NEWS7
weather-update-in-odisha-69

ବେଜିଂ ୧।୧୧: ସୁନାକୁ ନେଇ ଚୀନ୍‌ ବଡ଼ ନିଷ୍ପତ୍ତି ନେଇଛି।  ସୁନା ଉପରେ ଥିବା ଟ୍ୟାକ୍ସ ରିହାତିକୁ ଚୀନ୍‌ ହଟାଇ ଦେଇଛି। ଏହି ନିଷ୍ପତ୍ତି ୧ ନଭେମ୍ବର ୨୦୨୫ରୁ ଦେଶରେ କାର୍ଯ୍ୟକାରୀ ହୋଇଛି। ଚୀନ୍‌ ରେ ସୁନା କିଣିଲେ ଏବେ ମୂଲ୍ୟ ଯୁକ୍ତ ଟ୍ୟାକ୍ସ (ଭାଟ) ଦେବାକୁ ପଡିବ।ଏଣୁ ସାଂଘାଇ ଗୋଲ୍ଡ ଏକ୍ସଚେଞ୍ଜରୁ କିଣା ଯାଉଥିବା ସୁନା ପାଇଁ ଶୁଳ୍କ ରିହାତି ମିଳିବ ନାହିଁ। ଏହି ନିଷ୍ପତ୍ତିର ପ୍ରଭାବ କେବଳ ଚୀନ୍ ନୁହେଁ ସାରା ବିଶ୍ୱ ବଜାର ଉପରେ ପଡିବ ବୋଲି ଏବେ ଆଶଙ୍କା କରାଯାଉଛି।

ଆର୍ଥିକ ମାନ୍ଦାବସ୍ଥା ମୁହଁରେ ଛିଡା ହୋଇଥିବା ଚୀନ୍‌ ରାଜସ୍ୱ ଆୟ ବଢାଇବା ପାଇଁ ଏହି ପଦକ୍ଷେପ ନେଇଛି। ଏହା ଦ୍ୱାରା ସରକାରଙ୍କ ଆୟ ବଢିବ, ହେଲେ ଲୋକଙ୍କ ପକେଟ ଖାଲି ହୋଇଯିବ। ଏହି ଟ୍ୟାକ୍ସ ସମାପ୍ତ ହେବା ଯୋଗୁ ଦେଶରେ ସୁନା ଦର ବଢିଯିବ। ସରକାରଙ୍କ ନିଷ୍ପତ୍ତି ପରେ ସାଂଘାଇ ଗୋଲ୍ଡ ଏକ୍ସଚେଞ୍ଜରୁ  ଖୁଚୁରା ସୁନା କିଣୁଥିବା ରିଟେଲରଙ୍କୁ ଭାଟରେ ରିହାତି ମିଳିବ ନାହିଁ। ଏଣୁ ଚୀନ୍‌ ରେ ସୁନା କିଣାବିକା ମହଙ୍ଗା ହୋଇଯିବ।

ଅନ୍ୟପକ୍ଷରେ ସରକାର ସୁନା ଉପରେ ଶୁଳ୍କ ବସାଇବା ଯୋଗୁ ଦେଶରେ ଚାହିଦା କମିବ। ବୈଶ୍ୱିକ ବଜାରରେ ସୁନା ଆଉନ୍ସ ପିଛା ୪୦୦୦ ଡଲାର ଆଖପାଖରେ କାରବାର ହେଉଛି। ଏବେ ଚୀନ୍‌ ସୁନା ଉପରୁ ଟ୍ୟାକ୍ସ ପ୍ରତ୍ୟାହାର କରିବା ଯୋଗୁ ବର୍ଷକ ପରେ ସୁନା ଆଉନ୍ସ ପିଛା ବୈଶ୍ୱିକ ବଜାରରେ ୫ହଜାର ଡଲାର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କମାନେ ଯେଉଁ ହାରରେ ସୁନା କ୍ରୟ କରୁଛନ୍ତି ଏଥିରୁ ମୂଲ୍ୟ ବୃଦ୍ଧି ଆଶଙ୍କାକୁ ଟାଳି ଦେଇ ହେବନି ବୋଲି ବିଶେଷଜ୍ଞ କହିଛନ୍ତି।

ଆମେରିକାରେ ସୁଧହାର ହ୍ରାସ ଓ ଟାରିଫ ଏବଂ ଟ୍ରେଡ ୱାରକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏଣୁ ସୁନା ଚାହିଦା ଢେର ବଢିଥିବା ବେଳେ ଚୀନ୍‌ ପକ୍ଷରୁ ଟ୍ୟାକ୍ସ ରିହାତି ହଟା ଯିବା ମୂଲ୍ୟ ବୃଦ୍ଧିକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଉଛି। ଏଣୁ ହ୍ରାସ ହୋଇ ଚାଲିଥିବା ସୁନା ଦର ପୁଣି ବଢିବା ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି।