ମହାରାଷ୍ଟ୍ର ପୌର ନିର୍ବାଚନ ସଫଳତାରେ ମୁଖ୍ୟମନ୍ତ୍ରୀ ଗଦଗଦ, ୧୦ ବଡ଼ ନିଷ୍ପତ୍ତିରେ ବାଜିଲା କ୍ୟାବିନେଟର ମୋହର

NEWS7
vodafone-launches-4-new-prepaid-recharge-plans-starting-at-rs-24

ମୁମ୍ବାଇ ୧୭।୧: ମହାରାଷ୍ଟ୍ରରେ ମୁମ୍ବାଇ ସମେତ ୨୯ ମହାନଗରନିଗମ ନିର୍ବାଚନ ଶେଷ ହେବା ପରେ କ୍ଷମତାସୀନ ମହଯୁତୀ (ବିଜେପି-ଶିବସେନା) ସରକାର ଜନତାଙ୍କୁ ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୦ଟି ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି, ଯାହାର ସିଧା ଲାଭ ମୁମ୍ବାଇ ସମେତ ମହାରାଷ୍ଟ୍ରବାସୀଙ୍କୁ ମିଳିବ।

କ୍ୟାବିନେଟ୍ ବୈଠକରେ ମୁମ୍ବାଇରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ନିମନ୍ତ ୪୫ ହଜାର କ୍ୱାର୍ଟର ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି। ଏହା ଛଡା ଟୋଲ ଟ୍ୟାକ୍ସ ସମେତ ଅନ୍ୟ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ନିର୍ବାଚନ ଲାଗି ଆଚରଣ ବିଧି ଲାଗୁଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲମ୍ବିତ ଥିଲା। ଏ ଗୁଡିକୁ କ୍ୟାବିନେଟ୍ ବୈଠକରେ ମଞ୍ଜୁର କରାଯାଇଛି। କ୍ୟାବିନେଟ ବୈଠକରେ ସବୁଠୁ ବଡ଼ ନିଷ୍ପତ୍ତି ମୁମ୍ବାଇ ଓ ନଭୀ ମୁମ୍ବାଇକୁ ସଂଯୁକ୍ତ କରୁଥିବା ଅଟଲବିହାରୀ ବାଜପେୟୀ ସେୱରୀ-ନହାଭାଶୋଭା ଅଟଳ ସେତୁ ଲାଗି ନିଆଯାଇଛି।

ସରକାର ଅଟଳ ସେତୁରେ ଦିଆଯାଉଥିବା ଟୋଲ ରିହାତୀକୁ ଆହୁରି ୧ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ୧ ଜାନୁୟାରୀ ୨୦୨୬ରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଅଟଳ ସେତୁ ଉପଯୋଗ ଲାଗି ୫୦% ଟୋଲ ରିହାତି ଜାରି ରହିବ। କ୍ୟାବିନେଟ ବୈଠକରେ ଗୃହବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏଥିରେ ମୁମ୍ବାଇ ସହର ଓ ଉପନଗରରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଲାଗି ୪୦ରୁ ୪୫ ହଜାର ସରକାରୀ କ୍ୱାର୍ଟର ନିର୍ମାଣ କରାଯିବ। ଏହା ମୁମ୍ବାଇ ପୋଲିସ ହାଉସିଂ ଟାଉନସିପ ପ୍ରୋଜେକ୍ଟ ଓ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟର ଷ୍ଟେଟ୍ ଇନଫ୍ରାଷ୍ଟ୍ରକ୍ଚର କର୍ପୋରେସନ (ଏମଏସଆଇଡିସି) ମାଧ୍ୟମରେ ପୁରଣ କରାଯିବ।

ଏହି ପ୍ରକଳ୍ପରେ ପାଖାପାଖି ୫ କୋଟି ସ୍କୋୟାରଫୁଟ କ୍ଷେତ୍ରର ବିକାଶ କରାଯିବ। ଏଥି ପାଇଁ ପାଖାପାଖି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ହାଉସିଂ ପ୍ରେଜେକ୍ଟ ପାଇଁ ୩୦% ପାଣ୍ଠି ରାଜ୍ୟ ସରକାର ଯୋଗାଇ ଦେବେ ବାକି ୭୦% ଏମଏସଆଇଡିସି ସରକାରୀ ଗ୍ୟାରେଣ୍ଟିରେ ବିଭିନ୍ନ ଆର୍ଥିକ ସଂସ୍ଥାନରୁ ଋଣ ରୂପେ ସଂଗ୍ରହ କରିବ। ପ୍ରକଳ୍ପର ଟେକ୍ନିକାଲ ଓ ଫାଇନାନସିଆଲ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତି ଓ କାମ ଆରମ୍ଭ କରିବା ନିମନ୍ତେ କ୍ୟାବିନେଟ୍ ୧୦୦ କୋଟି ଟଙ୍କାର ପ୍ରାରମ୍ଭିକ ରାଶି ମଧ୍ୟ ମଞ୍ଜୁର କରିଛି। ଏହା ଛଡା ଅଟଳ ସେତୁରେ ଇଲେକ୍ଟ୍ରିକ୍ କାର ଓ ଇଲେକ୍ଟ୍ରିକ୍ ବସ୍ ସମ୍ପୂର୍ଣ୍ଣ ନିଶୁଳ୍କ ଯାତାୟାତ ନିଷ୍ପତ୍ତିକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି। ଏହା ଦ୍ୱାରା ଇ-ଭେଇକଲ ଉପଯୋଗକର୍ତ୍ତାଙ୍କ ସହିତ ଅନ୍ୟ ବାହନ ଚାଳକଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ।