AI କଣ୍ଟେଣ୍ଟ ଉପରେ ଦେବାକୁ ପଡ଼ିବ ସ୍ପଷ୍ଟ ସୂଚନା, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଁ ଆଦେଶ ଜାରି

NEWS7
vishal-dadlani-angered-over-flower-shower-on-health-workers-doctors-army-doing-pr

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ପାଇଁ କଡ଼ା ଆଦେଶ ଜାରି କରିଛନ୍ତି । ଏହା ଅନୁସାରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏଣିକି ଏଆଇ ସାମଗ୍ରୀ ଉପରେ ୱାଟରମାର୍କ ଲଗାଇବେ । ଏପରି ସାମଗ୍ରୀକୁ ଚିହ୍ନଟ ପାଇଁ ସଂକେତ ରହିବା ଜରୁରି । ସରକାର କହିଛନ୍ତି ଯେ ଥରେ ଏଆଇ ୱାରଟମାର୍କ କିମ୍ୱା ମେଟା ଡାଟା ଲଗାଯିବା ପରେ ତାହାକୁ ହଟାଯିବ କିମ୍ୱା ଦବା ଯାଇପାରିବ ନାହିଁ ।

ସରକାର କହିଛନ୍ତି ଯେ ମଣିଷ ନିର୍ମିତ କିମ୍ବା କୃତ୍ରିମ ଭାବରେ ତିଆରି କରାଯାଇଥିବା ସୂଚନାକୁ ସ୍ପଷ୍ଟ ଭାବେ ଚିହ୍ନଟ କରିବା ପାଇଁ ଲେବଲ୍ (ୱାଟରମାର୍କ) ବାଧ୍ୟତାମୂଳକ ହେବ । ଏଥିରେ ଅଡିଓ, ଭିଡିଓ, ଫଟୋ କିମ୍ବା ଗ୍ରାଫିକ୍ସ ସମେତ ଯେକୌଣସି ଡିଜିଟାଲ୍ ବିଷୟବସ୍ତୁ ଅନ୍ତର୍ଭୁକ୍ତ ରହିବ । ୟୁଜର ଯେପରି ଏପରି ସାମଗ୍ରୀର କୌଣସି ଅପବ୍ୟବହାର କରିବେ ନାହିଁ, ତାହା ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡ଼ିକ ନିଶ୍ଚିତ କରିବେ । ପ୍ଲାଟଫର୍ମଗୁଡ଼ିକ ୟୁଜରମାନଙ୍କୁ ବେଆଇନ, ଅଶ୍ଳୀଳ, ଜାଲିଆତି କିମ୍ବା ଶିଶୁ ଯୌନ ଶୋଷଣ ବିଷୟବସ୍ତୁ ସୃଷ୍ଟି କିମ୍ବା ସେୟାର କରିବାରୁ ରୋକିବା ପାଇଁ ଅଟୋମେଟେଡ୍ ଟେକ୍ନୋଲୋଜି ବ୍ୟବହାର କରିବେ ।

ନିୟମ ଉଲ୍ଲଂଘନ କଲେ ଦଣ୍ଡିତ ହେବେ ବୋଲି ପ୍ରତି ତିନି ମାସରେ ୟୁଜରଙ୍କୁ ପ୍ଲାଟଫର୍ମଗୁଡ଼ିକ ଚେତାବନୀ ଦେବେ । ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯିବ କିମ୍ବା ବିଷୟବସ୍ତୁକୁ ହଟାଇ ଦିଆଯାଇପାରିବ । ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ସମୟ ସୀମା ମଧ୍ୟ ହ୍ରାସ କରିଛନ୍ତି । ପୂର୍ବରୁ ୩୬ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡୁଥିଲା, ଏବେ ତିନି ଘଣ୍ଟା ମଧ୍ୟରେ ସୂଚନା ଦେବା ବାଧ୍ୟତାମୂଳକ । ଉଲ୍ଲଂଘନ ହେଲେ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ । ଡିଜିଟାଲ୍ ମିଡିଆରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଅଧିକ ପଢନ୍ତୁ:ଦେଶବ୍ୟାପୀ କୌଣସି ନେଟୱାର୍କ ଅଛି କି ? ନିରୁଦ୍ଦିଷ୍ଟ ପିଲାଙ୍କ ବଢୁଥିବା ମାମଲା ଉପରେ ସୁପ୍ରିମକୋର୍ଟ କଠୋର; କେନ୍ଦ୍ରକୁ ତଦନ୍ତ ନିର୍ଦ୍ଦେଶ