Live Live
LIVE

ଦେଶରେ ବଢ଼ିଲା ଧନୀଙ୍କ ସଂଖ୍ୟା, ଦୁନିଆର ସବୁଠୁ ଧନୀ ତାଲିକାର ତୃତୀୟ ନମ୍ବରରେ ଭାରତ

NEWS7
villagers-stopped-trucks-and-jcbs-from-protesting-against-illegal-sand-smuggling

ନୂଆଦିଲ୍ଲୀ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଆର୍ଥିକ ଗତିବିଧି ଏବଂ ଉଦ୍ୟମିତା, ଦେଶରେ କୋଟିପତିଙ୍କ ସଂଖ୍ୟାରେ ନିରନ୍ତର ବୃଦ୍ଧିକୁ ପ୍ରୋତ୍ସାହିତ କରୁଛି। ନିକଟରେ ପ୍ରକାଶିତ ହୁରୁନ୍ ଗ୍ଲୋବାଲ୍ ଧନୀ ତାଲିକା ୨୦୨୬ ଅନୁଯାୟୀ, ଭାରତରେ ଏବେ ମୋଟ ୩୦୮ କୋଟିପତି ଅଛନ୍ତି। ଯାହା ଗତ ବର୍ଷ ତୁଳନାରେ ୨୪ ଅଧିକ। ଏହି ବୃଦ୍ଧି ସହ ଭାରତ କୋଟିପତିଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ତାଲିକାରେ କେବଳ ଯୁକ୍ତରାଷ୍ଟ୍ର ଏବଂ ଚୀନ୍ ଭାରତଠାରୁ ଆଗରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଗତ ୧ ବର୍ଷ ମଧ୍ୟରେ ଭାରତରେ ୫୭ ଜଣ ନୂତନ କୋଟିପତି ଯୋଡ଼ି ହୋଇଛନ୍ତି। ଯାହା ଆମେରିକା ଏବଂ ଚୀନ୍ ପରେ ଦ୍ୱିତୀୟ ସର୍ବାଧିକ। ଅବଶ୍ୟ ଏହି ଅବଧି ମଧ୍ୟରେ ୨୭ ଜଣ ତାଲିକାରୁ ବାଦ ପଡ଼ିଛନ୍ତି।

ଭାରତୀୟ କୋଟିପତିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି

ହୁରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁସାରେ, ଭାରତୀୟ କୋଟିପତିଙ୍କ ମୋଟ ସମ୍ପତ୍ତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସେମାନଙ୍କର ମୋଟ ସମ୍ପତ୍ତି ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇ ୧୧୨. ୬ ଲକ୍ଷ କୋଟିରେ ପହଞ୍ଚିଛି। ଆହୁରି ମଧ୍ୟ ଏହି ଅବଧି ମଧ୍ୟରେ ୧୯୯ ଜଣ କୋଟିପତିଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା ବେଳେ ୧୦୯ ଜଣ କୋଟିପତିଙ୍କ ସମ୍ପତ୍ତି ହ୍ରାସ ପାଇଛି ବା ଅପରିବର୍ତ୍ତିତ ରହିଛି। ରିପୋର୍ଟ ଅନୁଯାୟୀ, ଭାରତର ପ୍ରାୟ ୭ ପ୍ରତିଶତ କୋଟିପତି ମହିଳା।

ମୁକେଶ ଅମ୍ବାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ତାଙ୍କ ସମ୍ପତ୍ତି ପ୍ରାୟ ୯.୮ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତି ପ୍ରାୟ ୯ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଯଦିଓ ତାଙ୍କ ସମ୍ପତ୍ତି ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଛି। ଫଳରେ ତାଙ୍କ ସମ୍ପତ୍ତି ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କା ରହିଛି।

ତୃତୀୟରେ ଅଛନ୍ତି HCL ଟେକ୍ନୋଲୋଜିର ଅଧ୍ୟକ୍ଷା ରୋଶନି ନାଦର ମାଲହୋତ୍ରା।ତାଙ୍କ ସମ୍ପତ୍ତି ପ୍ରାୟ ୩.୨ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଉଛି । ଉଲ୍ଲେଖଯୋଗ୍ୟ, ସେ ଭାରତର ଶ୍ରେଷ୍ଠ ୧୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏକମାତ୍ର ମହିଳା।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକାଂଶ ନୂଆ କୋଟିପତି

ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚଳିତ ବର୍ଷ ସର୍ବାଧିକ ୫୩ ଜଣ ନୂତନ କୋଟିପତି ଯୋଡ଼ି ହୋଇଛନ୍ତି। ଏହା ପରେ ଶିଳ୍ପ ଉତ୍ପାଦ କ୍ଷେତ୍ରରୁ ୩୬ ଜଣ ଏବଂ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରରେ ୩୧ ଜଣ ନୂତନ କୋଟିପତି ଅଛନ୍ତି। ଅବଶ୍ୟ ଧନୀଙ୍କ ସମୁଦାୟ ସମ୍ପତ୍ତି ଦୃଷ୍ଟିରୁ ଶକ୍ତି କ୍ଷେତ୍ର ସବୁଠୁ ରହିଛି। ଶକ୍ତି କ୍ଷେତ୍ରର କେବଳ ୮ ଧନୀଙ୍କ ପାଖରେ ୧୮.୩ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଯାହା ଭାରତର ସବୁ ଧନୀଙ୍କ ଧନର ପାୟ ୧୬ ପ୍ରତିଶତ।

ସମ୍ପତ୍ତି ଆୟରେ ସାଇରସ୍ ପୁନାୱାଲା ସବୁଠାରୁ ଆଗରେ

ପୁନେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସାଇରସ୍ ଏସ୍. ପୁନାୱାଲାଙ୍କ ସମ୍ପତ୍ତି ବୃଦ୍ଧି ଏବର୍ଷ ସବୁଠୁ ଆଗରେ ରହିଥିଲା। ଗୋଟିଏ ବର୍ଷରେ ପ୍ରାୟ ୦.୯୧ ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି।

ମୁମ୍ବାଇ ଏବେ ବି ଭାରତର ସବୁଠାରୁ ବଡ଼ କୋଟିପତିଙ୍କ କେନ୍ଦ୍ର

ଭାରତରେ ମୁମ୍ବାଇ ସବୁଠାରୁ ଅଧିକ କୋଟିପତି ରହିଛନ୍ତି। ସହରରେ ମୋଟ ୯୫ ଜଣ କୋଟିପତି ଅଛନ୍ତି। ଅବଶ୍ୟ ମୁମ୍ବାଇ ବଦଳରେ ଏବେ ଚୀନର ସେନଜେନକୁ ଏସିଆର କୋଟିପତି ହବ୍ ବୋଲି କୁହାଯାଉଛି। କାରଣ ଏଠାରେ ୧୩୩ ଜଣ କୋଟିପତି ଅଛନ୍ତି। ରିପୋର୍ଟ ଅନୁସାରେ, ଏବର୍ଷ ମୁମ୍ବାଇରେ ୧୫ ନୂଆ କୋଟିପତି ଯୋଡ଼ି ହୋଇଛନ୍ତି। ଯାହା ନ୍ୟୁୟର୍କ ଏବଂ ଲଣ୍ଡନ ଭଳି ବିଶ୍ୱ ସହର ଅପେକ୍ଷା ଅଧିକ। ତେବେ ବିଶ୍ୱ ସ୍ତରରେ, ନ୍ୟୁୟର୍କ ୧୪୬ ଜଣ ବିଲେନିୟରଙ୍କ ସହିତ ସହର ତାଲିକାର ଶୀର୍ଷରେ ଅଛି। ଏହା ପରେ ସାଂଘାଇ, ବେଜିଂ ଏବଂ ଲଣ୍ଡନ ରହିଛନ୍ତି।

ଭାରତର ସବୁଠାରୁ ଯୁବ କୋଟିପତି

ରିପୋର୍ଟ ଅନୁଯାୟୀ, ଭାରତୀୟ କୋଟିପତିଙ୍କ ହାରାହାରି ବୟସ ୬୭ ବର୍ଷ। ଯାହା ବିଶ୍ୱ ହାର ୬୫ ବର୍ଷ ତୁଳନାରେ ସାମାନ୍ୟ ଅଧିକ। ଭାରତର ସବୁଠାରୁ ଯୁବ କୋଟିପତି ହେଉଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ। ତାଙ୍କ ବୟସ ୩୨ ବର୍ଷ ଏବଂ ତାଙ୍କର ସମ୍ପତ୍ତି ପ୍ରାୟ ୧୪ ହଜାର ୪୪୦ କୋଟି ଟଙ୍କା।

ମହିଳା କୋଟିପତିଙ୍କ ସଂଖ୍ୟାରେ ବୃଦ୍ଧି

ରିପୋର୍ଟ ଅନୁଯାୟୀ, ଭାରତରେ ୨୩ ଜଣ ମହିଳା କୋଟିପତି ଅଛନ୍ତି। ସେମାନଙ୍କର ମୋଟ ସମ୍ପତ୍ତି ପ୍ରାୟ ୯.୮ ଟ୍ରିଲିୟନ ଡଲାର।