ଭୋଟର ତାଲିକାରେ ନାମ ଯୋଡିଲେ ବାଂଲାଦେଶର ଭାବି ପ୍ରଧାନମନ୍ତ୍ରୀ, ଝିଅକୁ ବି ଆଣିବେ ରାଜନୀତିକୁ

NEWS7
village-fire-near-noieda-sector-50

ଢାକା ୨୭।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ୍ ରହମାନ ଶନିବାର ରାଜଧାନୀ ଢାକାରେ ଜାତୀୟ ଭୋଟର ଲିଷ୍ଟରେ ନାମ ଚଢାଇବା ଓ ଜାତୀୟ ପରିଚୟ ପତ୍ର (ଏନଆଇଡି) ପ୍ରାପ୍ତ କରିବାର ଔପଚାରିକତା ପୁରଣ କରିଛନ୍ତି। ସେ ଲଣ୍ଡନରେ ୧୭ ବର୍ଷରୁ ଅଧିକ କାଳ ଧରି ନିର୍ବାସନ ରହିବା ପରେ ଏହି ପଦକ୍ଷେପ ନେଇଛନ୍ତି। ୬୦ ବର୍ଷ ବୟଷ୍କ ତାରିକ୍ ରହମାନଙ୍କ ସହିତ ତାଙ୍କ ପତ୍ନୀ ଜୁବେଦା ରହେମାନ ଓ କନ୍ୟା ଜାଇମା ରହମାନ ମଧ୍ୟ ଭୋଟର ଲିଷ୍ଟରେ ନିଜ ନାମ ପଞ୍ଜିକୃତ କରିଛନ୍ତି। ଏଣୁ ବାଂଲାଦେଶ ଜାତୀୟ ରାଜନୀତିରେ ଆଗକୁ ଜାଇମା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଏହି ଅବସରରେ ତାରିକ ରହେମାନ ଢାକା ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେ ଛାତ୍ରନେତା ଉଷ୍ମାନ ହାଦୀକୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶର ଜାତୀୟ କବି କାଜୀ ନଜଋଲ ଇସ୍ଲାମଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱର୍ଗତ ରାଷ୍ଟ୍ରପତି ଜିୟାଉର ରହେମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଦେଶର ରାଜନୈତିକ ସଂକଟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷଣ। କାରଣ ସେ ତାଙ୍କର ରୁଗ୍ଣ ମାଙ୍କ ଠାରୁ ବିଏନପିର ପୂର୍ଣ୍ଣ ନେତୃତ୍ୱ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ରହେମାନଙ୍କ ଏକମାତ୍ର କନ୍ୟା ଜାଇମା ଯିଏ ବ୍ରିଟେନରେ ବାରିଷ୍ଟରୀ କରୁଛନ୍ତି ପିତାଙ୍କ ସହ ସାର୍ବଜନିକ ମଞ୍ଚରେ ଦେଖାଯିବା ଦେଶରେ ନୂଆ ରାଜନୈତିକ ଅଟକଳକୁ ଜନ୍ମ ଦେଇଛି। ଜାଇମା ପାର୍ଟିର ପୁନରୁଦ୍ଧାର ନିମନ୍ତେ ଦେଶରେ ଯୁବ ପିଢୀଙ୍କ ପ୍ରତୀକ ହୋଇ ପାରନ୍ତି। ଫେବୃଆରୀ ୨୦୨୬ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ତାରିକ୍ ବାଂଲାଦେଶୀଙ୍କ ସହିତ ଏକ ନୂଆ ସମ୍ପର୍କ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ତାଙ୍କ ଝିଅ ଜାଇମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରନ୍ତି।

ତାରିକ ରହେମାନ ୨୦୦୭ ମସିହାର କାର୍ଯ୍ୟକାରୀ ସରକାରଙ୍କ କାଳରେ ଗିରଫ ହୋଇଥିଲେ ଓ ସେ ଦୀର୍ଘ ୧୮ ମାସ ଜେଲରେ କଟାଇଥିଲେ। ଏହା ପରେ ସେ ୨୦୦୮ ମସିହାରେ ଚିକିତ୍ସା ନିମନ୍ତେ ବ୍ରିଟେନ ଚାଲିଯାଇଥିଲେ ଓ ଆଉ ଫେରିନଥିଲେ। ତେବେ ଦେଶରେ ଶେଖ ହସିନାଙ୍କୁ କ୍ଷମତାରୁ ବିଚ୍ୟୁତ କରାଯିବା ପରେ ସେ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ଜଣେ ମୁଖ୍ୟ ଦାବିଦାର ଭାବେ ଉଭା ହୋଇଛନ୍ତି।