ଟିମ୍ କୁକଙ୍କ ଇସ୍ତଫା ଚର୍ଚ୍ଚା ବେଳେ ୭୨ ଘଣ୍ଟାରେ ଚାକିରି ଛାଡ଼ିଲେଣି ଆପଲର ୪ ବରିଷ୍ଠ ଅଧିକାରୀ: ଗଡ଼ବଡ଼ର ଆଭାସ?

NEWS7
vice-president-venkaiah-naidu-reached-bhubaneswar-2

ୱାଶିଂଟନ ଡିସି:ଆପଲର କମ୍ପାନୀରେ ବଡ଼ଧରଣର ହଲଚଲ। ଗତ ୭୨ ଘଣ୍ଟାରେ ଇସ୍ତଫା ଦେଲେଣି ଚାରି ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ। ଏଥିରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବିଭାଗର ମୁଖ୍ୟ ବି ସାମିଲ ଅଛନ୍ତି। ଆପଲର ଡିଜାଇନ୍, ଲିଗାଲ ଡିପାର୍ଟମେଣ୍ଟ ଏବଂ ପରିବେଶ ସୁରକ୍ଷା ବିଭାଗରେ କର୍ମଚାରୀ ଚାକିରି ଛାଡ଼ିଛନ୍ତି। ଆଧୁନିକ ଆପଲ ଇତିହାସରେ ଶୀର୍ଷ ସ୍ତରରେ ଏହା ସବୁଠାରୁ ବଡ଼ ଚାକିରି ଛାଡ଼ିବା ଘଟଣା।

ଯଦିଓ ଆପଲ ଏହାକୁ ପୂର୍ବ ନିର୍ଦ୍ଧାରିତ ଯୋଜନା ବୋଲି କହୁଛି, ତେବେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରୁ ଅଧିକାରୀଙ୍କର ଅଳ୍ପ ସମୟ ପାଇଁ ବିଦାୟ ନେବା କିଛି ଅଲଗା ସୂଚାଉଛି। କାଲିଫର୍ନିଆର କୁପର୍ଟିନୋରେ ଥିବା ଆପଲ୍ ଅଫିସ୍ରେ କିଛି ଘଟିଥାଇପାରେ ବୋଲି କୁହାଯାଉଛି।

ଏହି ବର୍ଷ ଅନ୍ୟାନ୍ୟ ପ୍ରମୁଖ ପଦରୁ ମଧ୍ୟ କର୍ମଚାରି ଇସ୍ତଫା ଦେଇଥିଲେ। ଦୀର୍ଘଦିନ ଧରି ଆପଲର ପରିଚାଳନା ଅଧିକାରୀ ଥିବା ଜେଫ୍ ୱିଲିୟମ୍ସ ମଧ୍ୟ ଜୁଲାଇ ମାସରେ ଇସ୍ତଫା ଦେଇଥିଲେ। ତା ପୂର୍ବରୁ ୨୦୨୫ ଆରମ୍ଭରୁ ଫାଇନାନ୍ସିଆଲ ଅଫିସର ଲୁକା ମାଏଷ୍ଟ୍ରି ମଧ୍ୟ ଚାକିରି ଛାଡ଼ିଥିଲେ।

ଆପଲ୍ରେ କିଏ ରହିଲେ କିଏ ଗଲେ?

ଆପଲ୍ର ମେସିନ୍ ଲର୍ଣ୍ଣିଂ ଏବଂ ଏଆଇ ଷ୍ଟ୍ରାଟେଜିର ବରିଷ୍ଠ ଉପାଧ୍ୟକ୍ଷ ଜନ୍ ଗିଆନାଣ୍ଡ୍ରିଆ ପ୍ରାୟ ୮ ବର୍ଷ ପରେ ଆପଲରୁ ଇସ୍ତଫା ଦେଇଛନ୍ତି। ଏବଂ ୨୦୨୬ରେ ସେ ପରାମର୍ଶଦାତା ଭୂମିକାରେ ନିର୍ବାହ କରିବେ।

ଆପଲ୍ର ଇଞ୍ଜିନିୟରିଂ ନିର୍ଦ୍ଦେଶକ ଅମର ସୁବ୍ରମଣିଙ୍କୁ ଏଆଇର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଯିଏ ସଫ୍ଟୱେର୍ ମୁଖ୍ୟ କ୍ରେଗ୍ ଫେଡେରିଘିଙ୍କୁ ରିପୋର୍ଟ କରିବେ। ଡିଜାଇନ୍ ମୁଖ୍ୟ ଏବଂ ହ୍ୟୁମାନ୍ ଇଣ୍ଟରଫେସର ମୁଖ୍ୟ ଆଲାନ୍ ଡାଏ ଆପଲ୍ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ରହିବା ପରେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ସେ ମେଟାର ମୁଖ୍ୟ ଡିଜାଇନ୍ ଅଧିକାରୀ ହେବା ଯୋଗ ଦେବେ। ଅଭିଜ୍ଞ ଡିଜାଇନର ଷ୍ଟିଫେନ୍ ଲେମେ ଏବେ ୟୁଜର ଇଣ୍ଟରଫେସ୍ ଡିଜାଇନର ନେତୃତ୍ୱ ନେବେ।

ସେହିପରି ଆପଲର ପରିବେଶ, ନୀତି ଏବଂ ସାମାଜିକ ପଦକ୍ଷେପର ଉପାଧ୍ୟକ୍ଷ ଲିସା ଜ୍ୟାକସନ ଜାନୁଆରୀ ୨୦୨୬ରେ ଅବସର ନେଉଛନ୍ତି। ତାଙ୍କ ସ୍ଥାନ ନିର୍ବାହ କରିବେ ସବିହ ଖାନ। ଆପଲ୍ର ଜେନେରାଲ କାଉନସେଲ୍ କେଟ୍ ଆଡାମ୍ସ ୨୦୨୬ ଶେଷରେ ଅବସର ନେବେ। ପୂର୍ବତନ ମେଟା ଆଇନଗତ ମୁଖ୍ୟ ଜେନିଫର ନ୍ୟୁଷ୍ଟେଡ୍ ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ। ସେ ଆଇନଗତ ଏବଂ ସରକାରୀ ବ୍ୟାପାର ଉଭୟର ତତ୍ତ୍ୱାବଧାନ ବି କରିବେ।

ଏଆଇ ଇନୋଭେସନ ଏବଂ ଉତ୍ପାଦ ବିଳମ୍ବଠାରୁ ଆରମ୍ଭ କରି ନିୟାମକ ଚାପ ଯୋଗୁ ବଡ଼ ଅଧିକାରୀମାନଙ୍କର ଏହି ପଳାୟନ ହେଉଛି।

ତେବେ ଅଧିକାରୀଙ୍କ ଏହି ପଳାୟନ ପରେ କାର୍ଯ୍ୟ ସ୍ଥିରତା ବଜାୟ ରଖିବା ପାଇଁ କମ୍ପାନୀ ତୁରନ୍ତ ଏହିସବୁ ପଦବୀଗୁଡ଼ିକରେ ନିଯୁକ୍ତ ଦେବ। ବଦଳ ଏବଂ ପୁନଃନିଯୁକ୍ତି ଘୋଷଣା କରିବାକୁ ଶୀଘ୍ର ପଦକ୍ଷେପ ନେଉଛି କମ୍ପାନୀ। ତେବେ ଏଥିପାଇଁ କୌଣସି ଉତ୍ପାଦ ବିଳମ୍ବ ହେବ ବୋଲି ଘୋଷଣା କରାଯାଇ ନାହିଁ। କିନ୍ତୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ଦଶ ବର୍ଷରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରିବା ପରେ ଟିମ୍ କୁକ୍ ଅବସର ପାଇଁ ପ୍ରସ୍ତୁତ ହେଉଛନ୍ତି। ତେଣୁ ବ୍ୟବସ୍ଥାର ନବୀକରଣ ପାଇଁ ଆଲୋଚନା, ନେତୃତ୍ୱ ପୁନର୍ଗଠନ ଆଦି ବ୍ୟାପକ ପରିବର୍ତ୍ତନ ହୋଇପାରେ।