ଦ୍ବୀପଦେଶ ସିଙ୍ଗାପୁରରେ ଲି’ ଯୁଗ ଶେଷ; ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଲରେନ୍ସ ୱଙ୍ଗ୍‌

Published By : Prameya-News7 Bureau | May 16, 2024 IST

ସିଙ୍ଗାପୁର,୧୬/୫: ଏସୀୟ ଦ୍ୱୀପରାଷ୍ଟ୍ର ସିଙ୍ଗାପୁରରେ ଲି’ ଯୁଗ ଶେଷ । ୨୦ ବର୍ଷ  ଧରି କ୍ଷମତାରେ ରହିବା ପରେ ପ୍ରଧାନମନ୍ତ୍ରୀ ଲି. ସିଏନ୍‌ ଲୁଙ୍ଗ୍‌ ନିଜ ପଦରୁ ଦେଇଛନ୍ତି ଇସ୍ତଫା ।  ତାଙ୍କ ସ୍ଥାନରେ ସିଙ୍ଗାପୁରର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ୫୧ ବର୍ଷୀୟ ଲରେନ୍ସ ୱଙ୍ଗ୍‌ । ୱଙ୍ଗ୍‌ ଏହା ପୂର୍ବରୁ ଦେଶର ଉପ-ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସିଙ୍ଗାପୁରର  ପ୍ରଧାନମନ୍ତ୍ରୀ ହେବାରେ ୱଙ୍ଗ୍‌ ହେଉଛନ୍ତି ପ୍ରଥମ ନେତା ଯେ କି ଦେଶ ସ୍ୱାଧୀନତା ପରେ ଜନ୍ମ  ନେଇଥିଲେ । 

ୱଙ୍ଗ୍‌ ବୁଧବାର ପ୍ରଧାନମନ୍ତ୍ରୀ ପଦରେ ଶପଥପାଠ କରିଛନ୍ତି । ୧୯୬୫ରେ ସିଙ୍ଗାପୁର ସ୍ୱାଧୀନ ରାଷ୍ଟ୍ର ହେବା  ପରେ ଏ ପର୍ଯ୍ୟନ୍ତ ଏହାର ୪ ପ୍ରଧାନମନ୍ତ୍ରୀ ରହିଥିଲେ । ସମସ୍ତେ ପିପୁଲ୍ସ ଆକ୍ସନ୍‌ ପାର୍ଟିରୁ ରହିଥିଲେ । ଲି ସିଏନ୍‌ଙ୍କ ପିତା ଲି କୁଆନ ୟିଉ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗାଦି  ସମ୍ଭାଳିଥିଲେ । ତାଙ୍କୁ ଆଧୁନିକ ସିଙ୍ଗାପୁରର ପ୍ରତିଷ୍ଠାତା ବୋଲି କୁହାଯାଏ । ଲି କୁଆନ୍‌ ଦୀର୍ଘ ୨୫ ବର୍ଷ ଧରି ଶାସନ କରିଥିଲେ । ଏବେ ସିଙ୍ଗାପୁରରେ ଲି’ ଯୁଗର ଅବସାନ ଘଟିବା  ପରେ ଦେଶର ରାଜନୈତିକ ପୃଷ୍ଠଭୂମିରେ ବଡ଼ ପରିବର୍ତ୍ତନ ନେଇ ସଂକେତ ମିଳିଛି । ଲି ସିଏନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ନିଜର ଶେଷ ସାକ୍ଷାତକାରରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଅନ୍ୟମାନଙ୍କ  ଭଳି ମୁଁ ଦ୍ରୁତ ବେଗରେ ଦୌଡ଼ିବାକୁ ଚେଷ୍ଟା  କରିନାହିଁ । ସମସ୍ତଙ୍କୁ ସାଥିରେ ନେଇ ଦୌଡ଼ିବାକୁ ପ୍ରୟାସ କରିଛି । ଆମେ କିଛିଟା ସଫଳତା ପାଇଥିବା ମୁଁ ଭାବୁଛି । 

୭୨ ବର୍ଷୀୟ ଲି ସିଏନ୍‌ ପ୍ରଧାନମନ୍ତ୍ରୀ ପଦରୁ  ଇସ୍ତଫା ଦେଇଥିଲେ ହେଁ ସେ ଜଣେ ବରିଷ୍ଠ ମନ୍ତ୍ରୀ  ଭାବେ କ୍ୟାବିନେଟ୍‌ରେ ରହିବେ । ୧୯୮୪ରେ  ତାଙ୍କ ପିତା ପ୍ରଧାନମନ୍ତ୍ରୀ ପଦରେ ଥିଲା ବେଳେ  ସେ ରାଜନୀତିରେ ସାମିଲ ହୋଇଥିଲେ । ସିଙ୍ଗାପୁରର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଗୋହ ଚୋକ୍‌  ଟଙ୍ଗ୍‌ଙ୍କ ଶାସନ କାଳରେ ଲି ସିଏନ୍‌ଙ୍କର ଉତ୍‌ଥାନ  ହୋଇଥିଲା । ତାଙ୍କୁ ବିଭିନ୍ନ ବଡ଼ ପଦବୀରେ  ନିଯୁକ୍ତି ମିଳିଥିଲା । ଲି ସିଏନ୍‌ ପ୍ରଧାନମନ୍ତ୍ରୀ ହେବା   ପରେ ସମାଲୋଚକମାନେ ପ୍ରଶ୍ନ ଉଠାଇଥିଲେ । ଦେଶରେ ବଂଶବାଦ ରାଜନୀତି ସୃଷ୍ଟି ହେଉଥିବା  ଅଭିଯୋଗ କରିଥିଲେ । କିଛି ଏହାକୁ ‘ଫ୍ୟାମି-ଲି’   ପଲିଟିକ୍ସ କହି କଟାକ୍ଷ କରିଥିଲେ । ତମାମ ସମାଲୋଚନା ସତ୍ତେ୍ୱ ଲି ସିଏନ୍‌ ୨୦ ବର୍ଷ ଧରି ଶାସନ କରିଥିଲେ । ତାଙ୍କ ଶାସନ କାଳରେ ସିଙ୍ଗାପୁରର ଅର୍ଥନୀତି   ଆଖିଦୃଶିଆ ଭାବେ ବଢ଼ିଥିଲା । ବିଭିନ୍ନ   କ୍ଷେତ୍ରରେ ଦେଶ ସଫଳତା ପାଇଥିଲା । ଦ୍ୱୀପରାଷ୍ଟ୍ରକୁ ସେ ଏକ ଅନ୍ତର୍ଜାତୀୟ ଆର୍ଥିକ  ଶକ୍ତିକେନ୍ଦ୍ରରେ ପରିଣତ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଦେଶ ବଡ଼ ସଫଳତା ପାଇଥିଲା ।   ଗତ ୨୦ ବର୍ଷରେ ଦେଶର ମୁଣ୍ଡ ପିଛା ଜିଡିପି ଦୁଇଗୁଣା ହୋଇଥିଲା । ବିଶ୍ୱରେ ବିଭିନ୍ନ  ସମୟରେ ଆର୍ଥିକ ସଂକଟ ଦେଖାଦେଇଥିଲେ ସୁଦ୍ଧା ସିଙ୍ଗାପୁରକୁ ଏହା କାଟୁ କରି ନ ଥିଲା ।  ଏହାର ଶ୍ରେୟ ଲି ସିଏନ୍‌ଙ୍କୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.