ଦିଲୀପ କହିଲେ ମୁଁ ଜିତିବା ନେଇ ଆଶାବାଦୀ, ସବୁ ସମର୍ଥନ ଦେବ ଦଳ- ମନମୋହନ

NEWS7
urvashi-rautela-met-cricketer-rishabh-pant-before-the-final-twenty-twenty-match-against-west-indies

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ରୋଚକ ମୋଡ଼ ନେଇଛି। ବିରୋଧୀ ବିଜୁ ଜନତା ଦଳ ଚତୁର୍ଥ ଆସନ ପାଇଁ ଡଃ. ଦତ୍ତେଶ୍ଵର ହୋତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ଖେଳିଛି ବଡ଼ ଖେଳ। ବିଜେଡିକୁ ଚେକ୍ ଦେବା ପାଇଁ ବିଜେପି ନିଜର ପୁରୁଖା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି। ଖୋଦ୍ ଦିଲୀପ ରାୟ ମଧ୍ୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି। ମୁଁ ଜିତିବା ନେଇ ଆଶାବାଦୀ ଥିବା ଦିଲୀପ କହିଛନ୍ତି। ଅନ୍ୟପଟେ ଦିଲୀପଙ୍କୁ ଦଳ ସବୁ ସମର୍ଥନ ଦେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଦିଲୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲି। କଂଗ୍ରେସ ବିଜେଡ଼ି ସଦସ୍ୟଙ୍କ ସହିତ ବି ଆଲୋଚନା କରିବି। ନିର୍ବାଚନ ଜିତିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବି। ଆଉ ଆବଶ୍ୟକ ୮ଟି ଭୋଟ କେମିତି ସମର୍ଥନ ଆଣିବେ ପ୍ରଶ୍ନରେ ଦିଲ୍ଲୀପ ରାୟଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ୨୦୦୨ରେ ୩୦ଟି ଭୋଟ ଆବଶ୍ୟକ ପଡୁଥିଲା | ସେତେବେଳେ ଯୋଗାଡ଼ କରିଥିଲି, ଆଉ ଏବେ ଆଠଟି ଆବଶ୍ୟକ ରହିଛି | ମୋର ସମ୍ପର୍କ ସମସ୍ତଙ୍କ ସହିତ ଭଲ ଅଛି ସମସ୍ତଙ୍କୁ ଭେଟି ଭୋଟ ଭିକ୍ଷା କରିବି ।

ଅନ୍ୟପଟେ ଗଣମାଧ୍ୟମକୁ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦିଲୀପ ସ୍ଵାଧୀନ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ଓଡ଼ିଶା ବିଜେପିର ସମସ୍ତେ ତାଙ୍କୁ ସମର୍ଥନ ଦେବା ନେଇ ନୀତିଗତ ଭାବେ ନିଷ୍ପତ୍ତି ହୋଇଛି। ଦିଲୀପ ରାୟ ନିଶ୍ଚିତ ଭାବେ ନିର୍ବାଚନ ଜିତିବେ ଏବଂ ରାଜ୍ୟସଭାକୁ ଯିବେ। ସ୍ଵାଧ୍ଵୀନ ପ୍ରାର୍ଥୀ ଭାବେ ସେ ସମସ୍ତଙ୍କ ସହଯୋଗ ଲୋଡ଼ିବେ ଏବଂ ଆମେ ମଧ୍ୟ ସବୁ ପ୍ରକାରର ସହଯୋଗ ଦେବୁ ବୋଲି ମନମୋହନ ସାମଲ କହିଛନ୍ତି।

ଉଲ୍ଲେଖନୀୟ, ଆଜି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ରାଜ୍ୟସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଓଡ଼ିଶାରୁ ଖାଲି ହେବାକୁ ଥିବା ୪ଟି ଆସନ ମଧ୍ୟରୁ ଦଳ ବିଧିବଦ୍ଧ ଭାବେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ଦଳ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେଡି ଛାଡ଼ି ବିଜେପିରେ ପୂର୍ବରୁ ମିଶିଥିବା ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେପି ଖାତାକୁ ପ୍ରଥମ ଏବଂ ଦ୍ଵିତୀୟ ଆସନ ସହଜରେ ଯାଉଥିବା ବେଳେ ତୃତୀୟ ଆସନ ଯିବ ବିଜେଡି ଖାତାକୁ। ତେବେ ଚତୁର୍ଥ ଆସନ ପାଇଁ ବିଜେପି ଓ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଛି।

ଡଃ. ଦତ୍ତେଶ୍ଵର ହୋତାଙ୍କୁ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ କରିଛନ୍ତି। ଆଉ ବିଜେପି ଦୁଇ ବିରୋଧୀଙ୍କ ରଣନୀତିକୁ ପ୍ରତିହତ କରିବା ପାଇଁ ପୁରୁଖା ଏବଂ ଅଭିଜ୍ଞ ରାଜନେତା ଦିଲୀପ ରାୟଙ୍କୁ ପ୍ରାର୍ଥୀ କରିଛି। ଏବେ ରାଜ୍ୟସଭା ଯୁଦ୍ଧ ଆହୁରି ରୋଚକ ହେବାକୁ ଯାଉଛି।