'ଗମ୍ଭୀରଙ୍କ ପାଖରେ ସବୁ ରୋଗ ପାଇଁ ଗୋଟିଏ ଔଷଧ, କିନ୍ତୁ କିଛି କାମକୁ ନୁହେଁ' ; ବର୍ଷିଲେ ପୂର୍ବତନ କ୍ରିକେଟର୍

NEWS7
under-construction-bridge-collapsed-in-bonai

ନୂଆଦିଲ୍ଲୀ, ୨୫/୦୨: ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଭାରତ । ଦଳ ସୁପର ୮ର ପ୍ରଥମ ମୁକାବିଲାରେ ମାଟି କାମୁଡିଛି । ନିଜର ଟି୨୦ ବିଶ୍ୱକପ୍ ଇତିହାସରେ ସବୁଠୁ ବଡ ପରଜାୟ ଦେଖିଛି ଟିମ୍ ଇଣ୍ଡିଆ । ଯାହାକୁ ନେଇ ଖେଳାଳି ଏବଂ କୋଚଙ୍କୁ ସମାଲୋଚନା କରାଯାଉଛି । ଅକ୍ଷର ପଟେଲଙ୍କୁ କଣ ପାଇଁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା ତାକୁ ନେଇ ଅନେକ ଭେଟେରାନ ପ୍ରଶ୍ନ କରୁଛନ୍ତି । ଏହା ମଧ୍ୟରେ ପୂର୍ବତନ ଖେଳାଳି ସଞ୍ଜୟ ମାଞ୍ଜରେକର କୋଚ୍ ଗୌତମ ଗମ୍ଭୀରଙ୍କ ଉପରେ ବର୍ଷିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ଗମ୍ଭୀର ନିଜକୁ ମହାନ ଭାବୁଛନ୍ତି । ସେ ଭାବୁଛନ୍ତି ଯେ ତାଙ୍କ ପାଖରେ ସବୁ ସମସ୍ୟାର ସମାଧାର ରହିଛି । ଅର୍ଥାତ ସବୁ ରୋଗ ପାଇଁ ଗମ୍ଭୀର ଓ୍ୱାଶିଂଟନ ସୁନ୍ଦରଙ୍କୁ ଏକମାତ୍ର ମେଡିସିନ୍ ଭାବେ ବିବେଚନା କରୁଛନ୍ତି । ପୂର୍ବରୁ ଗୋଟିଏ ମେଡିସିନ୍ ଆସୁଥିଲା ଯାହାର ନାଁ ଥିଲା କଲ୍ୟାଣ ଜୀବନ । ଏହାକୁ ମୁଣ୍ଡବ୍ୟଥାଠୁ ଆରମ୍ଭ କରି ପେଟ ଯନ୍ତ୍ରଣା ସବୁଥିପାଇଁ ବ୍ୟବହାର କରିହେଉଥିଲା । ଏବେ ଗମ୍ଭୀର ଓ୍ୱାସିଂଟନ ସୁନ୍ଦରଙ୍କୁ ସବୁ ସମସ୍ୟାର ସମାଧାନର ବାଟ ଭାବେ ବ୍ୟବାହର କଲେଣି । ଦଳରେ ବ୍ୟାଟିଂ ସମସ୍ୟା ଥିଲେ ଓ୍ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳୁଛି । ବୋଲର କିମ୍ବା ଅତିରିକ୍ତ ସ୍ପିନର ଆବଶ୍ୟକ ଥିଲେ ଓ୍ୱାଶିଂଟନଙ୍କୁ ସାମିଲ କରାଯାଉଛି । ଅଲରାଉଣ୍ଡର ଖୋଜିବାକୁ ଥିଲେ ଓ୍ୱାଶିଂଟନ ସୁନ୍ଦର ଆସିଯାଉଛନ୍ତି ।

ମାଞ୍ଜରେକର ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରିଙ୍କୁ ସିଂ ୬ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ରିଙ୍କୁ କିଛି କରିସ୍ମା କରିପାରିନଥିଲେ । ଏସମସ୍ତ ଖେଳାଳିଙ୍କଠୁ ଉପରେ ଓ୍ୱାଶିଂଟନଙ୍କୁ ବ୍ୟାଟିଂ ପଠାଯାଇଥିଲା । ଯାହା ସନ୍ତୁଳନ ବିଗାଡିଦେଲା ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାଠୁ ହାରିବା ପରେ ଭାରତର ସେମି ଫାଇନାଲ ଖେଳିବା ସମ୍ବାବନା କମିଯାଇଛି । ଦଳକୁ ସେମିରେ ପ୍ରବେଶ କରିବା ପାଇଁ ହେଲେ ବଳକା ଦୁଇଟି ମ୍ୟାଚ୍ କୁ ବୃହତ ବ୍ୟବଧାନରେ ଜିତିବା ଜରୁରୀ । ଏହାସହ ଅଧିକ ରନ୍ ରେଟ୍ ଦରକାର ।

ବର୍ତ୍ତମାନ ସମୟରେ ଭାରତର ନେଟ୍ ରନ୍ ରେଟ୍ ଖରାପ ରହିଛି । ଗୁରୁବାର ଜିମ୍ବାଓ୍ୱେ ବିପକ୍ଷ ମୁକାବିଲାରେ ଦଳକୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେବାକୁ ପଡିବ । ଏହାସହ ୨୨୦-୨୩୦ ରନ୍ କରିବାକୁ ହେବ । ଅନ୍ୟ ଦିଗରେ ଜିମ୍ବାଓ୍ୱେ ୧୨୦ ରନରେ ଅଲଆଉଟ୍ ହେଲେ ଭାରତର ରନ୍ ରେଟ୍ ବଢିଯିବ । ଏହାଦ୍ୱାରା ଭାରତ ଅନ୍ୟ ଟିମ୍ ଉପରେ ଚାପ ପକାଇ ପାରିବ ।

ଭାରତକୁ କ’ଣ କରିବାକୁ ହେବ

ମୁକାବିଲା ଜିତିବାକୁ ଦଳରେ ଅନେକ ପରିବର୍ତ୍ତନ ଦରକାର । ଅଭିଷେକ ଶର୍ମାଙ୍କ ଜାଗାରେ ସଞ୍ଜୁ ସାମସନ୍ ଭଲ ବିକଳ୍ପ ହୋଇପାରନ୍ତି । ପାଓ୍ୱାର ପ୍ଲେରେ ୭୦ରୁ ଅଧିକ ରନ୍ ସଂଗ୍ରହ କରିବା ଜରୁରୀ । ଏମ୍ ଚିଦାମ୍ବରମ ଗ୍ରାଉଣ୍ଡରେ ମ୍ୟାଚ୍ ହେଉଥିବାରୁ ଏହା ସ୍ପିନରଙ୍କୁ ସୁହାଇଥାଏ । ଭାରତ ପାଖରେ ଦକ୍ଷ ସ୍ପିନର ରହିଛନ୍ତି । ଯେଉଁମାନେ ଜିମ୍ପାଓ୍ୱେ ବ୍ୟାଟରଙ୍କୁ ଅଟକାଇପାରିବେ । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ. ଅକ୍ଷର ପଟେଲଙ୍କୁ ଦଳରେ ସୁଯୋଗ ମିଳିପାରେ । କିନ୍ତୁ ବ୍ୟାଟର ଭଲ ବ୍ୟାଟିଂ କରି ବଡ ରନ୍ ସ୍କୋର କଲେ ହିଁ ବୋଲରଙ୍କ ଉପରେ ଚାପ କମିବ ଏବଂ ବିଜୟ ସହଜ ହୋଇପାରିବ ।