ବିଷ ପିଇଦେଲେ ଚାରି ସାଙ୍ଗ, ତିନି ଜଣକ ମୃତ୍ୟୁ... ରହସ୍ୟ ଜାଣିବାକୁ ପୋଲିସର ତନାଘନା

NEWS7
two-terrorist-mruta-in-jammu

ନୂଆଦିଲ୍ଲୀ: ବିଷ ପିଇଦେଲେ ଚାରି ବନ୍ଧୁ। ତିନି ଜଣକର ଚାଲିଗଲା ଜୀବନ। ଜଣେ ଗୁରୁତର ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ବିହାରର ସହରସା ଜିଲ୍ଲାରୁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ରିପୋର୍ଟ ଅନୁଯାୟୀ, ଜିଲ୍ଲାର କନାରିଆ ଥାନା ଅଞ୍ଚଳ ଅନ୍ତର୍ଗତ ଫାରେୱା ମୁସାହାରି ଗାଁର ଚାରି ବନ୍ଧୁ ଏକାଠି କୀଟନାଶକ ପିଇ ଦେଇଛନ୍ତି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାଜା କୁମାର (୨୦), ସନି ଦେଓଲ (୧୮) ଏବଂ ଅନ୍ୟ ଜଣେ ନାବାଳକ ଜଣାପଡ଼ିଛି। ସେହିଭଳି ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଚାରି ବନ୍ଧୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଶନିବାର ସେମାନେ ଏକ ସାର ଦୋକାନରୁ କୀଟନାଶକ କିଣିଥିଲେ। ଆଉ ଗାଁଠାରୁ କିଛି ଦୂରରେ ଏକ ମକାକ୍ଷେତରେ କୀଟନାଶକ ପିଇଥିଲେ। ତେବେ ଏହି ଖବର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଚାରିଜଣଙ୍କୁ ତୁରନ୍ତ ଖଗାରିଆର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ରାଜା ଏବଂ ସନି, ତାଙ୍କ ପରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା।ଏହା ସହ ଅନ୍ୟ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।

ସେପଟେ ଘଟଣାର ସୂଚନା ପାଇ କାନେରିଆ ଥାନା ମୁଖ୍ୟ ଟିମ୍ ସହ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ପୋଲିସ କୀଟନାଶକ ଏବଂ ପ୍ଲାଷ୍ଟିକ୍ ଗ୍ଲାସର ନମୁନା ମଧ୍ୟ ଜବତ କରିଛି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।ଚାରି ଜଣ କାହିଁକି ଏପରି ସାଂଘାତିକ ପଦକ୍ଷେପ ନେଲେ ? ତାହା ଜାଣିବାକୁ ପୋଲିସ ତଦନ୍ତ ଜାରି ରଖିଛି। ସେପଟେ ମୃତକଙ୍କ ପରିବାରବର୍ଗ ଘଟଣାକୁ ନେଇ ଭାଙ୍ଗିପଡ଼ିଛନ୍ତି। ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।