ଟ୍ରମ୍ପଙ୍କ ଟାର୍ଗେଟରେ ଭାରତୀୟ ଚାଉଳ, ଶୀଘ୍ର ଲଗାଇବେ ନୂଆ ଟାରିଫ୍

NEWS7
two-sc-minors-beaten-to-death-for-open-defecating

ନୂଆଦିଲ୍ଲୀ, ୦୯/୧୨:ସୁଧୁରୁ ନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ୍ । ବାରମ୍ବାର ଦେଖାଉଛନ୍ତି ଟାରିଫ୍ ବୃଦ୍ଧିର ଧମକ । ଅନେକ ଦେଶ ବିରୋଧରେ ଟାରିଫ୍ ଶୁଳ୍କ ବୃଦ୍ଧି କରିବା ପରେ ଏବେ କୃଷିଜାତ ଦ୍ରବ୍ୟର ଆମାଦୀନ ଉପରେ ନୂଆ ଶୁଳ୍କ ଲଗାଇବାକୁ ଯାଉଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏନେଇ ସେ ସ୍ପଷ୍ଟ ସଙ୍କେତ ମଧ୍ୟ ଦେଇଛନ୍ତି । ଯାହା ମଧ୍ୟରେ ଭାରତୀୟ ଚାଉଳ ସାମିଲ ରହିଛି ।

କୁହାଯାଉଛି ଯେ, ଆମେରିକାର କୃଷକମାନେ ଟ୍ରମ୍ପଙ୍କ ନିକଟରେ ଅଭିଯୋଗ କରିଥିଲେ । ଶସ୍ତା ବିଦେଶୀ ଚାଉଳ ଦ୍ୱାରା ସେମାନେ କ୍ଷତିଗ୍ରସ୍ତ ହେଉଥିବା କୃଷକ ଅଭିଯୋଗ କରିଥିଲେ । ଯାହା ପରେ ଟ୍ରମ୍ପ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ଉପରେ ଟାରିଫ୍ ବୃଦ୍ଧି ନେଇ କହିଛନ୍ତି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଟାରିଫ୍ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକୀୟ କୃଷକଙ୍କୁ୧୨ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ ନେଇ ହ୍ୱାଇଟ ହାଉସର ଏକ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଟ୍ରମ୍ପ୍ ଭାରତ ସହ କାନାଡା ଉପରେ ମଧ୍ୟ ନୂଆ ଟାରିଫ ଲଗାଇବାକୁ ସଙ୍କେତ ଦେଇଛନ୍ତି । କିଛି ଦେଶ ଆମେରିକା ବଜାରରେ ଶସ୍ତା ଚାଉଳ ବିକ୍ରି କରୁଥିବା ଅଭିଯୋଗ ଉପରେ ବିଚାର ହେବ ବୋଲି ଟ୍ରମ୍ପ୍ କହିଛନ୍ତି ।

ବୈଠକରେ ଦେଶର କୃଷକ ଏବଂ କୃଷି ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । କୃଷକଙ୍କ କିଛି ପ୍ରତିନିଧି ମଣ୍ଡଳ କହିଛନ୍ତି ଯେ, ଆମେରିକା ବଜାର ଅନ୍ୟ ଦେଶର ଚାଉଳ ପାଇଁ ପ୍ରଭାବିତ ହେଉଛି । ବିଦେଶୀ ଚାଉଳ ଘରୋଇ ଉତ୍ପାଦଠୁ ଶସ୍ତାରେ ବିକ୍ରି ହେଉଛି । ଯାହାପରେ ଏମିତି ଶସ୍ତାରେ ବିକ୍ରି କରୁଥିବା ଦେଶ ଧୋକା ଦେଉଛନ୍ତି ବୋଲି ଟ୍ରମ୍ପ୍ ପ୍ରକାଶ କରିଛନ୍ତି ।

ବୈଠକରେ କିଛି ଅଧିକାରୀ ଭାରତ, ଥାଇଲାଣ୍ଡ, ଚୀନ ଏବଂ କାନାଡା ଚାଉଳ ବାବଦରେ ଟ୍ରମ୍ପଙ୍କୁ କହିଥିଲେ । ଏହାପରେ ଟ୍ରମ୍ପ୍ କୃଷକଙ୍କୁ କେଉଁ ଦେଶ ଉପରେ ଟାରିଫ୍ ଲଗାଇଲେ ଭଲ ହେବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଭାରତ ଏବଂ କାନାଡାର ନାଁ ପ୍ରଥମେ ଆସିଥିଲା । ଯେଉଁଥିରୁ ଟ୍ରମ୍ପ୍ ଦ୍ୱିପାକ୍ଷିକ ସମମ୍ପର୍କକୁ ଖରାପ କରି ଭାରତ ବିରୋଧରେ ଉଚ୍ଚ ଟାରିଫ ଲଗାଇପାରନ୍ତି ବୋଲି କୁହାଯାଉଛି ।