ଆକ୍ରମଣ କରିପାରେ ଆମେରିକା: ପୁଣିଥରେ ଆଡ୍‌ଭାଇଜରି ଜାରି କଲା ଭାରତ, ଯଥା ସମ୍ଭବ ଇରାନ ଛାଡ଼ି ପଳାଅ

NEWS7
two-indian-school-girls-discover-new-asteroid-making-its-way-to-earth

ନୂଆଦିଲ୍ଲୀ: ଆମେରିକା ଯେକୌଣସି ସମୟରେ ଇରାନ ଉପରେ ଆକ୍ରମଣ କରିପାରେ। ସ୍ଥିତି ସଂକଟାପନ୍ନ ଥିବାରୁ ତେହେରାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ଛାତ୍ରଛାତ୍ରୀ ହୁଅନ୍ତୁ କିମ୍ବା ପର୍ଯ୍ୟଟକ କିମ୍ବା କୌଣସି ବ୍ୟବସାୟୀ, ଯଥା ସମ୍ଭବ ଯେ କୌଣସି ମାଧ୍ୟମରେ ସୁବିଧା କରି ଇରାନରୁ ଚାଲିଯିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏହା ପୂର୍ବରୁ ମଧ୍ୟ ୧୪ ଜାନୁଆରୀ ୨୦୨୬ରେ ମଧ୍ୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରି ସତର୍କ କରାଯାଇଥିଲା। ଅତି ଆବଶ୍ୟକ ନଥିଲେ ଇରାନ ଯିବାକୁ ଏଥିରେ ବାରଣ କରାଯାଇଥିଲା। ଏବଂ ଆନ୍ଦୋଳନ ସ୍ଥାନଗୁଡ଼ିକୁ ନ ଯିବାକୁ ମଧ୍ୟ କୁହାଯାଇଥିଲା। ତେବେ ବର୍ତ୍ତମାନର ସ୍ଥିତି ଦେଖି ଦୂତାବାସ ସହ ଯୋଗାଯୋଗ ଜାରି ରଖିବାକୁ କୁହାଯାଇଛି। ଏବଂ ଯେଉଁମାନେ ବର୍ତ୍ତମାନ ଇରାନରେ ରହୁଛନ୍ତି ସେମାନେ ତୁରନ୍ତ ଦୂତାବାସରେ ଆସି ନାଁ ପଞ୍ଜିକରଣ କରାଇବାକୁ ପରାମର୍ଶ ଦିଆଯାଇଛି।

ଦୂତାବାସ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ କୁହାଯାଇଛି “ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଏବଂ ପ୍ରବାସନ ଡକ୍ୟୁମେଣ୍ଟ, ପାସପୋର୍ଟ ଏବଂ ପରିଚୟପତ୍ର ସମେତ, ସହଜରେ ଉପଲବ୍ଧ ରଖନ୍ତୁ। ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।”

ଘଟଣା ସମ୍ପର୍କରେ ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବରଗୁଡ଼ିକ ମଧ୍ୟ ଜାରି କରାଯାଇଛି। ଏହି ମୋବାଇଲ୍ ନମ୍ବର ଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨, +୯୮୯୯୩୨୧୭୯୩୫୯ ।

ଇରାନ ଉପରେ ଖୁବ୍‌ଶୀଘ୍ର ଆଟାକ କରିପାରେ ଆମେରିକା

ଇରାନ ଏବଂ ଆମେରିକା ଏପର୍ଯ୍ୟନ୍ତ ପରମାଣୁ ଚୁକ୍ତିରେ ପହଞ୍ଚି ପାରି ନାହାନ୍ତି। ଏଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଫେବୃଆରୀ ୨୫ ତାରିଖରେ ଓମାନରେ ହେବ। ପରମାଣୁ ଚୁକ୍ତିକୁ ନେଇ ଅନିଶ୍ଚିତତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ପରସ୍ପର ପ୍ରତି ବାକ୍ୟବାଣ ମାରିବା ଜାରି ରଖିଛନ୍ତି। ମାମଲା ଉତ୍ତେଜନାପୂର୍ଣ୍ଣ ରହିଛି। ତେଣୁ ଆମେରିକା ଇରାନ ଆଖପାଖରେ ଯୁଦ୍ଧ ଜାହାଜ, ଫାଇଟର ଜେଟ୍ ଆଦି ମୁତୟନ କରିଛି। ଇରାନ ନିକଟରେ ଅତି କମରେ ଦୁଇଟି ଆମେରିକୀୟ ଯୁଦ୍ଧଜାହାଜ ମୁତୟନ କରାଯାଇଛି।

ସେପଟେ ୟୁଏସଏସ ଜେରାଲ୍ଡ ଆର ଫୋର୍ଡ ବିମାନବାହକ ଜାହାଜ ଉତ୍ତର ଆଫ୍ରିକା ନିକଟବର୍ତ୍ତୀ ଜିବ୍ରାଲ୍ଟରର ଜଳଭାଗରେ ପଶ୍ଚିମ ଏସିଆ ଅଭିମୁଖେ ଯାଉଥିବା ଦେଖାଯାଇଥିଲା। ୟୁଏସଏସ ଆବ୍ରାହମ ଲିଙ୍କନ ବର୍ତ୍ତମାନ ଓମାନ ଉପକୂଳରୁ ପ୍ରାୟ ୧୫୦ ରୁ ୩୦୦ ମାଇଲ ଦୂରରେ ଆରବ ସାଗରରେ ରହିଥିବା ସୂଚନା ମିଳିଛି।

କାଳେ ଇରାନ ଆମେରିକା ଏୟାରବେସ୍ ଉପରେ ଆକ୍ରମଣ କରିଦେବ ସେଥିପାଇଁ ଆମେରିକା କାତାରର ଅଲ୍ ଉଦେଦ ବାୟୁ ଘାଟି ଏବଂ ବାହାରିନରେ ଥିବା ଆମେରିକୀୟ ନୌସେନାର ପଞ୍ଚମ ନୌବାହିନୀରୁ ଶତାଧିକ ସୈନିକଙ୍କୁ ସ୍ଥାନାନ୍ତର କରିଛି। ଏନେଇ ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ପ୍ରକାଶ ପାଇଛି।

ୱାଶିଂଟନ ସହିତ ତେହେରାନର ପରମାଣୁ ଚୁକ୍ତିନାମା ବିଫଳ ହେବା ପରେ ଟ୍ରମ୍ପ ଇରାନ ଉପରେ ଟାର୍ଗେଟ୍ ଆଟାକ୍ କରିପାରନ୍ତି ବୋଲି କୁହାଯାଉଛି। ଏପଟେ ଆମେରିକା ସେନା ପେଣ୍ଟାଗନ ଟ୍ରମ୍ପଙ୍କୁ ଅପସନ ଦେଇଛନ୍ତି। ଯଦି ଟ୍ରମ୍ପ ଇସାରା ଦିଅନ୍ତି ତେବେ ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଓ ତାଙ୍କ ପୁଅଙ୍କୁ ହତ୍ୟା କରାଯିବ ବୋଲି ପେଣ୍ଟାଗନ କହିଛି।