I-PAC ଚଡଉ ବିବାଦ: ସୁପ୍ରିମକୋର୍ଟରେ କ୍ୟାଭିଏଟ ଦାୟର କଲେ ପଶ୍ଚିମବଙ୍ଗ ସରକାର

NEWS7
two-cyclone-in-america

ନୂଆଦିଲ୍ଲୀ ୧୦।୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି) କାର୍ଯ୍ୟାଳୟ ଚଢଉକୁ ନେଇ ଜାରି ଟଣାଓଟରାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ମମତା ସରକାର ମାମଲାରେ ସୁପ୍ରିମକୋର୍ଟରେ କ୍ୟାଭିଏଟ ଆପ୍ଲିକେସନ ଦାଖଲ କରିଛନ୍ତି। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଆଇ-ପିଏସି ମାମଲାରେ ଇଡି ସୁପ୍ରିମକୋର୍ଟକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଥିଲା।

କ୍ୟାଭିଏଟ ଦାଖଲ କରି ପଶ୍ଚିମବଙ୍ଗ ସରକାର ଶୀର୍ଷ ନ୍ୟାୟାଳରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଏହି ମାମଲାରେ କୌଣସି ପିଟିସନ ଅଥବା ଅପିଲ ଦାୟର କରାଯାଏ ତେବେ ରାଜ୍ୟ ସରକାରଙ୍କ ପକ୍ଷ ନଶୁଣି ଯେପରି କୌଣସି ଆଦେଶ ଗୃହୀତ କରାନଯାଏ। ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ମାମଲାରେ କୋର୍ଟ କୌଣସି ଏକ ତରଫା ଆଦେଶ ଦେବା ପୂର୍ବରୁ ସମ୍ବଦ୍ଧିତ ପକ୍ଷଙ୍କୁ ଶୁଣାଣି ଲାଗି ସମ୍ପୂର୍ଣ୍ଣ ଅବସର ପ୍ରଦାନ ସୁନିଶ୍ଚିତ କରିବେ।

ଉଲ୍ଲେଖଯୋଗ୍ୟ ଯେ ମମତା ସରକାରଙ୍କ ଆଶଙ୍କା ଥିଲା ଏହି ମାମଲାକୁ ନେଇ ଇଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ। ଏହାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ନିଜ ଆଇନଗତ ରଣନୀତି ଉପରେ ମନ୍ଥନ କରୁଛି। କୁହାଯାଉଛି ଇଡି ମଧ୍ୟ ଗୁରୁତର ସହ ଆଇନଗତ ବିକଳ୍ପ ନେଇ ବିଚାର କରୁଛି, ଯେଉଁଥିରେ ସୁପ୍ରିମକୋର୍ଟ ଯିବା ମଧ୍ୟ ସାମିଲ। ତେବେ ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଇଡି ସମସ୍ତ ଦିଗ ଓ ସମ୍ଭାବିତ ଆଇନ ରାସ୍ତାର ଆକଳନ କରୁଛି।

ଏହା ପୂର୍ବରୁ ଇଡି ଶୁକ୍ରବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତାଙ୍କ ଯାଞ୍ଚରେ ଜାଣିଶୁଣି ବାଧା ସୃଷ୍ଟି କରାଯାଇଥିବା ନେଇ ଇଡି କୋର୍ଟଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଥିଲା। ଇଡିଙ୍କ ପକ୍ଷରୁ ରୁଜୁ ଆବେଦନରେ ମାମଲାର ସିବିଆଇ ଯାଞ୍ଚ କରିବାକୁ ମଧ୍ୟ ଦାବି କରାଯାଇଛି। ଏହା ସହିତ ଏଜେନ୍ସୀ କୋର୍ଟରେ ଆବେଦନ ଦାଖଲ କରି ଏ ନେଇ ମୋକଦ୍ଦମା ରୁଜୁ କରିବାକୁ ମଧ୍ୟ ଅନୁମତି ମାଗିଛି।ଏହି ସମୟରେ ଇଡି କୋର୍ଟଙ୍କୁ କହିଛି ଯେ ଗୁରୁବାର ଯାଞ୍ଚ କାଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସୂଚନା ନେଇ ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଇ-ପିଏସି କାର୍ଯ୍ୟାଳୟ ଓ ଏହାର ସହ ସଂସ୍ଥାପକ ପ୍ରତୀକ ଜୈନଙ୍କ ବାସଭବନ ଉପରେ ଗୁରୁବାର ଇଡି ଚଢଉ କରିଥିଲା। ଏହି ସୂଚନା ମିଳିବାମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପ୍ରଶାସନ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ପହଞ୍ଚି କଥିତ ରୂପେ କିଛି ଫାଇଲ ଓ ଇଲେକ୍ଟ୍ରୋନିକ୍ ଡିଭାଇସ ବାହାର କରି ନିଜ ଗାଡିରେ ରଖାଇଥିଲେ।