ବେଲଘର ହାତୀ ମୃତ୍ୟୁ ଘଟଣା, ନିଲମ୍ୱିତ ରେଞ୍ଜରଙ୍କ ଗାଁ ନିକଟରୁ ମିଳିଲା ମୃତଦେହ

NEWS7
two-children-helping-hand-during-the-corona-crisis

ବାଲିଗୁଡା ୨୨/୦୧: ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଳଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲର ମୃତ ହାତୀକୁ ଗାଏବ ଘଟଣା । ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ନିକଟ ମିଳିଲା ଗାଏବ ମୃତ ହାତୀର ଦେହାଂଶ । କେସିଙ୍ଗା ତହଁସିର ଯୋଜନା ନିକଟରୁ ମିଳିଛି ହାତୀର ଖଣ୍ଡ ବିଖଣ୍ଡିତ ମୃତ ଦେହ ପୋତା ହୋଇଥିଲା । ହାତୀ ପୋତିବା ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବନ ବିଭାଗକୁ ମିଳିଛି ଏହି ସଫଳତା ।

ବାଲିଗୁଡା ବନଖଣ୍ଡ ବିଭାଗ କଳାହାଣ୍ଡି ବନଖଣ୍ଡ ବିଭାଗ ମିଳିତ ଭାବେ ଖୋଜାଖୋଜି କରି ସ୍ଥାନ ଚିହ୍ନଟ ପରେ ଅଞ୍ଚଳକୁ ଗ୍ରୀନ ବ୍ୟାରିକେଡ କରି ଘୋଡାଇଥିଲେ । ଜେସିପି ଦ୍ୱାରା ମାଟି କଢା ଯାଇ ୭ଫୁଟ୍ ତଳୁ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି । ଭୁବନେଶ୍ୱରରୁ ଆସି ସ୍ଵତନ୍ତ୍ର ଟାସ୍କ ଫୋର୍ସ ୪୮ ଘଣ୍ଟା କସରତ ପରେ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ।

ସୂଚନାଥାଉକି, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍ ଓ ଏହି ଘଟଣାର ତଦନ୍ତ କରୁଥିଲେ। ବୁଧବାର ଯୁଗ୍ମ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍ ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ।

ହାତୀ ଶବ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ।ଏହି ଅପରେସନ୍ କୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ୱାରା ମାଟି କଢ଼ାଯାଇ ୭ ଫୁଟ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ। ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି । ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା।