ଜୟସ୍ଵାଲଙ୍କ ସହ ଦ. ଆଫ୍ରିକାକୁ ଧୋଇଲେ ରୋହିତ-କୋହଲି, ୨-୧ରେ ସିରିଜ୍ ଜିତିଲା ଭାରତ

NEWS7
trump-to-launch-his-own-social-media-platform

ବିଶାଖାପଟନମ: କୁଲଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କ ଶାଣିତ ପରେ ବ୍ୟାଟିଂରେ ଯଶସ୍ଵୀ ଜୟସ୍ଵାଲଙ୍କ ସହ ରୋହିତ ଓ ବିରାଟଙ୍କ କମାଲ। ନିର୍ଣ୍ଣାୟକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟ୍ରେ ହରାଇଛି ଭାରତ। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଡିକକଙ୍କ ୧୦୬ ରନ ଓ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା। ଜବାବରେ ଜୟସ୍ଵାଲଙ୍କ ଅପରାଜିତ ୧୧୬ ରନ, ରୋହିତ ଶର୍ମାଙ୍କ ୭୫ ଓ କୋହଲିଙ୍କ ଅପରାଜିତ ୬୫ ରନ ବଳରେ ୬୧ ବଲ୍ କି ଥାଇ ସହଜରେ ମ୍ୟାଚକୁ ଜିତି ନେଇଛି ଭାରତ। ଦିନିକିଆ ସିରିଜ୍ ସଂପନ୍ନ ସହ ଡିସେମ୍ବର ୯ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ।

୨୭୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ଏହି କ୍ରମରେ ରୋହିତ ଓ ଜୟସ୍ଵାଲ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ଓପନର ୨୬ ଓଭରରେ ୧୫୫ ରନ ଯୋଡ଼ି ଭାରତର ବିଜୟକୁ ସହଜ କରିଥିଲେ। ରୋହିତ ଶର୍ମା ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୭୩ ବଲରୁ ୭ ଚୌକା ଓ ୩ ଛକା ସହ ୭୫ ରନ କରିଥିଲେ।

ଏହା ପରେ ଜୟସ୍ଵାଲ ଓ କୋହଲି ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ମ୍ୟାଚ୍କୁ ସଂପୂର୍ଣ୍ଣ ଏକତରଫା କରିଥିଲେ। ଜୟସ୍ଵାଲ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଥିଲେ। କୋହଲି ସିରିଜରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ଜୟସ୍ଵାଲ ୧୨୧ ବଲରୁ ୧୨ ଚୌକା ଓ ୨ ଛକା ସହ ଅପରାଜିତ ୧୧୬ ରନ ଇନିଂସ ଖେଳିଥିଲେ। କୋହଲି ୪୫ ବଲରୁ ୬ ଚୌକା ଓ ୩ ଛକା ଜରିଆରେ ୬୫ ରନ କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ୩ୟ ଓ୍ଵିକେଟରେ ୧୧୬ ରନ ଯୋଡ଼ି ଦଳକୁ ୬୧ ବଲ ବାକି ଥାଇ ୮ ଓ୍ଵିକେଟରେ ଜିତାଇଛନ୍ତି।